ଦେଶରେ ଜାରି ରହିଛି ବନ୍ୟା ବିତ୍ପାତ । ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଜଳପ୍ରଳୟ, ପଶ୍ଚିମବଙ୍ଗକୁ ବି କଲବଲ  କରୁଛି ବନ୍ୟା ।

117

କନକ ବ୍ୟୁରୋ : ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଜାରି ରହିଛି ବନ୍ୟା ପ୍ରଳୟ । ମଙ୍ଗଳବାର ଉତରପ୍ରଦେଶରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ପଶ୍ଚିମବଙ୍ଗରେ ବି ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବନ୍ୟାରେ ବେହାଲ ଉତ୍ତରପ୍ରଦେଶ । ରାଜ୍ୟରେ ଥିବା ଉଭୟ ଗଙ୍ଗା ଓ ଯମୁନା ନଦୀରେ ବନ୍ୟା ଆସିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ପରେ ଗଙ୍ଗା ଯମୁନାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ଯୋଗୁଁ ତଳତଳିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି । ଘରଦ୍ୱାର ରାସ୍ତାଘାଟ ସବୁଠି ଜମିଛି ବନ୍ୟା ପାଣି । ଆଉ ରାଜ୍ୟରେ ସୃଷ୍ଟି ହୋଇଥିବା ଏହି ବନ୍ୟା ସ୍ଥିତି ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ପରଖିଛନ୍ତି ଆଦିତ୍ୟନାଥ । ବାରଣାସୀର ତଳିଆ ଅଂଚଳ ବନ୍ୟା ପାଣିରେ ବୁଡି ରହିଛି । ଫଳରେ ଏନଡିଆରଏଫ ସହାୟତାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।

ସେପଟେ ପଶ୍ଚିମବଙ୍ଗରେ ମଧ୍ୟ ସମାନ ସ୍ଥିତି । ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ତାଣ୍ଡବ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଅନେକ ଗାଁ ବନ୍ୟା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ବନ୍ୟା ସ୍ଥିତି ଦେଖିବା ସହ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ ମଧ୍ୟ ବଣ୍ଟନ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ମଧ୍ୟପ୍ରଦେଶରେ ମଧ୍ୟ ବନ୍ୟା ତାଣ୍ଡବ ସରକାର ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ସଠିକ୍ ଭାବେ ବନ୍ୟା ସ୍ଥିତି ବୁଝୁନଥିବା କଂଗ୍ରେସ ସଭାପତି କମଲନାଥ କରିଛନ୍ତି ଅଭିଯୋଗ ।

ଦେଶର ବିଭିନ୍ନ ରାଜ୍ୟରେ ଚାଲିଛି ଜଳପ୍ରଳୟ । କେଉଁଠି ବନ୍ୟା ତ ପୁଣି କେଉଁଠି ଲଗାଣବର୍ଷା ପାଇଁ କୁତ୍ରିମ ବନ୍ୟା ବଡ ସମସ୍ୟା ହୋଇ ଛିଡା ହୋଇଛି । ଚଳିତ ବର୍ଷ ମୌସୁମୀ ବର୍ଷା ଅନେକ ରାଜ୍ୟରେ ଆଣିଛି ବନ୍ୟା ବିତ୍ପାତ ।