ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଭିତରେ ଭାରତୀୟଙ୍କୁ ସତର୍କ ସୂଚନା । ଯଥାଶୀଘ୍ର ସ୍ୱଦେଶ ଫେରିବାକୁ ଭାରତ ସରକାର ଦେଲେ ନିର୍ଦ୍ଦେଶ। 

192

କନକ ବ୍ୟୁରୋ : ଆଫଗାନିସ୍ତାନରେ ଜାରି ରହିଛି ତାଲିବାନର ଆତଙ୍କ । ତାଲିବାନିଙ୍କ ଅତ୍ୟାଚାର ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଆଫଗାନିସ୍ତାନର ଅନେକ ଗାଁ, ସହର ଉପରେ ତାଲିବାନ ନିଜର କବ୍ଚା କରିବା ଆରମ୍ଭ କଲାଣି । ଆଉ ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ଏହାରି ଭିତରେ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ବେଶ ଚିନ୍ତାର ବିଷୟ ହୋଇଥିଲା । ଫଳରେ ମଙ୍ଗଳବାର ଆଫଗାନିସ୍ତାନର ମଜର-ଇ-ସରିଫରୁ ସ୍ୱତନ୍ତ୍ର ବିମାନ ଯୋଗେ ସେଠାରେ ଥିବା ଭାରତୀୟଙ୍କୁ ନୂଆଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି । ସେପଟେ ଆଫଗାନିସ୍ତାନର ଅନ୍ୟ ସ୍ଥାନରେ ଥିବା ଭାରତୀୟଙ୍କୁ ତୁରନ୍ତ ସ୍ୱଦେଶ ଫେରିଆସିବା ପାଇଁ ସରକାରଙ୍କ ତରଫରୁ କୁହାଯାଇଛି ।

ଆଫଗାନିସ୍ତାନର ୬ଟି ପ୍ରାନ୍ତରେ କବଜା କରିଥିବା ତାଲିବାନ ଏବେ ତାଜକିସ୍ତାନ ସୀମାକୁ ଲାଗିଥିବା ମଜର-ଇ-ସରିଫ ପର୍ଯ୍ୟନ୍ତ ପହଁଚି ସାରିଲାଣି । ମଜର-ଇ-ସରିଫ ନିକଟବର୍ତୀ ଅଂଚଳରେ ଆଫଗାନ୍ ସେନା ଓ ତାଲିବାନିଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଏପରି ଭୟାବହତା ଦେଖି ମଜର-ଇ-ସରିଫରେ ଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରାଯିବ । ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନକୁ ମଜର-ଇ-ସରିଫ ପଠାଯାଇଛି । ଭାରତୀୟ ବାଣିଜ୍ୟ ଦୂତାବାସ ଟ୍ୱିଟ୍ କରିକି ମଜର-ଇ-ସରିଫ ଏବଂ ଏହାର ଆଖପାଖରେ ଥିବା ଭାରତୀୟଙ୍କୁ ଶୀଘ୍ର ଯୋଗାଯୋଗ କରିବା ପାଇଁ ଅପିଲ କରିଛି ।

ତାଲିବାନ ଟାର୍ଗେଟରେ ‘ମଜର-ଇ-ସରିଫ’ । ଚାରିପଟୁ ଘେରୁଛି ତାଲିବାନ । ମଜର-ଇ-ସରିଫରେ ଥିବା ଭାରତୀୟଙ୍କୁ ଶୀଘ୍ର ନିଜ ଆବଶ୍ୟକ କାଗଜପତ୍ର ଧରି ପହଁଚିବାକୁ କୁହାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ସେଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଏୟାରଲିଫ୍ଟ କରାଯିବ । ତେବେ ପୂର୍ବରୁ ସେଠାରେ ଥିବା ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ନୂଆ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ସାରିଛି । ତେବେ କାବୁଲରେ ଏବେ ବି ଭାରତୀୟ ଦୂତାବାସରେ କର୍ମଚାରୀ ନିୟୋଜିତ ରହିବେ । ଆଫଗାନିସ୍ତାନରୁ ଆମେରିକା ସେନା ଓହରି ଯିବା ପରେ ଏବେ ଦେଶର ପରିସ୍ଥିତି ବେଶ ସମ୍ବେଦନଶୀଳ ହୋଇ ପଡିଛି । ଆଫଗାନ ସରକାର ଓ ତାଲିବାନ ମଧ୍ୟରେ ଗୃହଯୁଦ୍ଧ ବେଶ ଉତ୍କଟ ରୂପ ନେବାରେ ଲାଗିଛି ।

ଜଳୁଛି ଆଫଗାନିସ୍ତାନ! ଦେଶରେ ବଢୁଛି ତାଲିବାନ ରାଜୁତି ।ଆଫଗାନିସ୍ତାନ ଉଭୟ ଭାରତ ଓ ପାକିସ୍ତାନର ପଡୋଶୀ ଦେଶ । ଏଥିପାଇଁ ଆଫଗାନିସ୍ତାନର ମହତ୍ୱ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତାଲିବାନ ଆତଙ୍କବାଦୀଙ୍କ ଠାରୁ ଭାରତ ପାଇଁ ସଂକଟ ଥିବାରୁ ଭାରତ ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଅନେକ ନିବେଶ ମଧ୍ୟ କରିଛି । ହେଲେ ଏବେ ତାଲିବାନର ଶକ୍ତି ଆହୁରି ବଢିବାରେ ଲାଗିଛି । ଆଫଗାନିସ୍ତାନରେ ଲାଗି ରହିଥିବା ଗୃହଯୁଦ୍ଧ ଦିନକୁ ଦିନ ଉତ୍କଟ ରୂପ ନେବାରେ ଲାଗିଛି । ଫଳରେ ସେଠାରୁ ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଉଛି ।