ଟୋକିଓରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳୀ । ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ ।

352

କନକ ବ୍ୟୁରୋ : ଟୋକିଓରେ ଟେକ ରଖି ସ୍ୱଦେଶ ଫେରିଛନ୍ତି ଭାରତୀୟ ଆଥଲେଟ୍ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଓଡ଼ିଆ ହକି ଖେଳାଳୀ । ସ୍ୱାଗତ ପାଇଁ ବିମାନବନ୍ଦରରେ ବ୍ୟାପକ ଆୟୋଜନ କରାଯାଇଥିଲା । ପରିବାର ସଦସ୍ୟମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ ।

ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳୀଙ୍କୁ ସ୍ୱାଗତ କରିବା ପାଇଁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଭିନିଲ କ୍ରିଷ୍ଣା, ଦିଲ୍ଲୀପ ତିର୍କୀ ଏବଂ ଅଭିଜିତ୍ ପଲ୍ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ । ଓଡିଆ ହକି ତାରକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରାଯାଇଥିଲା ।

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ହକି ଦଳ । ଉଭୟ ପୁରୁଷ ଏବଂ ମହିଳା ହକି ଦଳରେ ଦୁଇ ଜଣ ଲେଖାଏଁ ଓଡିଆ ଖେଳାଳୀ ମଧ୍ୟ ରହିଥିଲେ । ପୁରୁଷ ଦଳରେ ଅମିତ ରୋହିଦାସ ଏବଂ ବିରେନ୍ଦ୍ର ଲାକ୍ରା ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିନେଇଥିବା ବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ଚମତ୍କାର ପ୍ରଦର୍ଶନ କରିଥିଲେ ।