ପରଦାକୁ ଆସିବେ ମୋଦି ! ଖୁବଶୀଘ୍ର ରିଲିଜ ହେବ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ, ଜାଣନ୍ତୁ ମୋଦିଙ୍କ ଭୂମିକାରେ କିଏ ଆସିବ ନଜର?

243

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ପିଏମ ନରେନ୍ଦ୍ର ମୋଦିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରରେ ନରେନ୍ଦ୍ର ଦାମଦୋର ଦାସ ମୋଦିଙ୍କ ଚରିତ୍ରରେ ବିବେକ ଓବରୟ ନଜରକୁ ଆସିଛନ୍ତି । ବିବେକ ଓବରୟଙ୍କ ଏହି ଲୁକ୍ ନରେନ୍ଦ୍ର ମୋଦିଙ୍କ ଲୁକ୍ ସହ ମେଳ ଖାଉଛି । ପୋଷ୍ଟରରେ ପଛପଟେ ରାଷ୍ଟ୍ରୀୟ ଧ୍ୱଜ ଫରଫର ହୋଇ ଉଡୁଥିବା ବେଳେ ଫିଲ୍ମର ଟ୍ୟାଗଲାଇନ ମଧ୍ୟ ସାମ୍ନାକୁ ଆସିଛି । ଦେଶଭକ୍ତି ହି ମେରି ଶକ୍ତି ଫିଲ୍ମର ଟ୍ୟାଗଲାଇନ ଥିବା ବେଳେ ଏହାକୁ ୨୩ଟି ଭାଷାରେ ରିଲିଜ କରାଯାଇଛି । ୨୦୧୯ ପୂର୍ବରୁ ଏହି ଫିଲ୍ମ ମୋଦିଙ୍କ ପାଇଁ ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହୋଇପାରେ ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଲଞ୍ଚ କରିଛନ୍ତି । ମୋଦିଙ୍କ ଭୂମିକାରେ ଅଭିନୟ କରିଥିବା ବିବେକ ଓବରୟ ଫିଲ୍ମର ପ୍ରଥମ ପୋଷ୍ଟର ଟ୍ୱିଟ୍ କରିବା ସହ କ୍ୟାପସନରେ ଲେଖିଛନ୍ତି, ଏହି ଯାତ୍ରା ପାଇଁ ସମସ୍ତଙ୍କ ପ୍ରାର୍ଥନା ଓ ଆର୍ଶୀବାଦ କାମନା କରୁଛି । ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ତେବେ କେବେ ଏହି ଫିଲ୍ମ ରିଲିଜ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।


ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମ ମେର୍କସ ଦୀର୍ଘ ୨ ବର୍ଷ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରି ଆସୁଛନ୍ତି । ସେତେବେଳେ ପରେଶ ରାୱଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପରେ ଏହି ରୋଲ ପାଇଁ ପରେ ବିବେକ ଓବରୟଙ୍କୁ ଫାଇନାଲ କରାଯାଇଥିଲା । ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିବା ପରେ ଏବେ ଫ୍ୟାନ ମାନେ ଟିଜର ଓ ଟ୍ରେଲର ପାଇଁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହାପୂର୍ବରୁ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶାସନକାଳକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଆଉ ଏଭଳି ସମୟରେ ‘ପିଏମ ନରେନ୍ଦ୍ର ମୋଦି’ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିବା ପରେ ଫିଲ୍ମ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ନିର୍ବାଚନୀ ବର୍ଷରେ ଏହି ଦୁଇଟି ଫିଲ୍ମ ପରଦାକୁ ଆସିବାକୁ ଥିବା ବେଳେ ଏହାକୁ ନେଇ ରାଜନୈତିକ ମାହୋଲ ମଧ୍ୟ ଉଷ୍ମ ହୋଇଛି ।