ମନ୍ତ୍ରୀଙ୍କ ‘ଅଗ୍ନିଋତୁ’ ବୟାନ ପରେ ପରିବେଶବିତ୍ ଖପ୍ପା । ଯଦି ଜାଣିଥିଲେ ଅଗ୍ନିଋତୁର ସମୟ, କାହିଁକି ଜଳିଲା ଜଙ୍ଗଲ ?

188

କନକ ବ୍ୟୁରୋ: ଏ ନିଆଁ ଦେଖିଲେ ବୁଝି ହେଉଛି କେତେ ଭୟଙ୍କର ଶିମିପାଳର ସ୍ଥିତି । ଏଠି, ସେଠି ସବୁଠି ଖେଳିଯାଇଛି ନିଆଁ, ଜଳୁଛି ଜଙ୍ଗଲ । ଆଉ ଯେଉଁଠି ଜଙ୍ଗଲୀ ନିଆଁ ଜୀବଜନ୍ତୁ, ଜୈବ ବିବିଦ୍ଧତା ପାଇଁ ଯମ ସାଜିଛି ସେଠି ଜଙ୍ଗଲ ମନ୍ତ୍ରୀଙ୍କ ହାଲୁକା ବୟାନ ଜଟିଳ ଗଣିତ ସୃଷ୍ଟି କରିଛି । ଜଙ୍ଗଲ ନିଆଁକୁ ତ ଲିଭେଇ ହେଉନି ଲାଗୁଛି ମନ୍ତ୍ରୀ ନିଜ କଥାରେ ନିଆଁକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ଆଉ ଅଗ୍ନିଋତୁର ଆବିଷ୍କାର କରିଛନ୍ତି । ବନାଗ୍ନିକୁ ଲୁଚାଇବାକୁ ଅଗ୍ନିଋତୁର ବାହାନା କରି ମନ୍ତ୍ରୀ କହିଛନ୍ତି ଏହି ସମୟରେ ନିଆଁ ଲାଗିବା ସ୍ୱାଭାବିକ ।

ତେବେ କଣ ଏହି ଅଗ୍ନିଋତୁ ? ସତରେ ଅଛି କି ଅଗ୍ନିଋତୁ? ନା ଜଙ୍ଗଲ ନିଆଁକୁ ଲୁଚାଇବାକୁ ଏମିତି କହିଛନ୍ତି ମନ୍ତ୍ରୀ ?ଫେବୃୟାରୀ ୧୫ରୁ ଜୁନ ୧୫ ଅଗ୍ନିଋତୁର ସମୟ ମନ୍ତ୍ରୀ କହୁଥିବା ବେଳେ ପରିବେଶ ବିତ କହିଛନ୍ତି ଫେବୃୟାରୀ ୧ରୁ ଜୁନ ୩୦ ଯାଏଁ ଅଗ୍ନିଋତୁ ଭାବେ ବନ ବିଭାଗରେ ଗଣାଯାଏ । ଆଉ ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଏ । ମାତ୍ର ଯଦି ବିଭାଗୀୟ କ୍ୟାଲେଣ୍ଡରରେ ଏହି ସମୟକୁ ଅଗ୍ନିଋତୁ କୁହାଯାଏ ତେବେ କଣ ପାଇଁ ନିଆଗଲାନି ଆଗୁଆ ପଦକ୍ଷେପ । ଜଙ୍ଗଲ ଜଳିବା ଯାଏଁ କଣ ପାଇଁ କରାଗଲା ଅପେକ୍ଷା ? ଏମିତି କିଛି ଅସନ୍ତୋଷ ବାଢିଛନ୍ତି ପରିବେଶ ବିତ୍ ।

ସେପଟେ ଜଙ୍ଗଲରେ ନିଆଁ ଲାଗିବା ଯଦି ସ୍ୱାଭାବିକ ତେବେ ଟାକ୍ସଫୋର୍ସର ଆବଶ୍ୟକତା କାହିଁକି ପଡିଲା ?
ଯଦି ନିଆଁ ନିୟନ୍ତ୍ରଣରେ ଅଛି ତେବେ ଶିମିଳିପାଳରେ ଏତେ ବନ କର୍ମଚାରୀ କରୁଛନ୍ତି କଣ?
ଯେତେବେଳେ ଜଙ୍ଗଲ ଜଳୁଛି, ପ୍ରକୃତି ହାହାକାର ହେଉଛି ସେତେବେଳେ ରାଜନୀତି ଛାଡି ସମସ୍ତେ ଏକାଠି ଲଢିବାର ଆବଶ୍ୟକତା ରହିଛି । ଆଉ ଜଙ୍ଗଲକୁ କେମିତି ଲିଭାଯାଏ ତାର ଶୀଘ୍ର ପଦକ୍ଷେପ ନେବାରୁ ବି ଆବଶ୍ୟକତା ଅଛି ।

ତେବେ ଦୀର୍ଘ ଦୁଇ ସପ୍ତାହରୁ ଅଧିକ ଦିନ ଧରି ନିଆଁ ଜଳୁଥିଲେ ବି ଏଯାଏଁ ଆକାଶମାର୍ଗରୁ ପାଣି ଢଳାହୋଇ ନିଆଁ ଲିଭାଯାଇନି । ଯଦିଓ ଅଷ୍ଟ୍ରେଲିଆ ଜଙ୍ଗଲର ଭୟଙ୍କର ନିଆଁ ଆଉ ନିଆଁଲିଭାର କୌଶଳ ଦେଖିଛି ବିଶ୍ୱ । ତେଣୁ ଅଗ୍ନିକୁ ଆୟତ୍ତ କରିବାକୁ ହେଲିକପ୍ଟରେ ପାଣି ବର୍ଷା କରିବା, ବାଲି ପକାଇବା ଭଳି ଅନ୍ୟାନ୍ୟ କୌଶଳ ଆପଣାଇବାକୁ ବିଭିନ୍ନ ସ୍ତରରେ ଦାବି ହେଉଛି ।
ତେବେ ଆସନ୍ତୁ ଶିମିଳିପାଳର ନିଆଁ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଶୀଘ୍ର ଲିଭେଇବାକୁ ସ୍ୱର ସାଜିବା ଆଉ ସରକାରଙ୍କୁ ସକ୍ରିୟ କରାଇବା । ଯେପର୍ଯ୍ୟନ୍ତ ନିଆଁ ନଲିଭିଛି, ସେ ପର୍ଯ୍ୟନ୍ତ ଆମେ ଶାନ୍ତିରେ ନିଶ୍ୱାସ ନେବୁନି, ଲଢେଇ ଜାରି ରଖିବୁ…