ବିବାହ କାର୍ଡରେ ନିର୍ବାଚନ ପ୍ରଚାର ! ନମୋ ଆପରେ ବିିଜେପିକୁ ଚାନ୍ଦା ଓ ମୋଦିଙ୍କୁ ଭୋଟ ଦେବାକୁ ଅପିଲ କଲେ ଯୁବରାଜ ଓ ସାକ୍ଷୀ, ସୋସିଆଲ ମିଡିଆରେ ହେଲା ଭାଇରାଲ

165

ନିର୍ବାଚନ ବର୍ଷରେ ଉଷ୍ମ ହୋଇଛି ରାଜନୀତି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଚା’ ଦୋକାନ ଖଟିରେ ମଧ୍ୟ ରାଜନୀତିକ ଗସିପ ଶୁଣିବାକୁ ମିଳୁଛି । ଏହାଛଡା ନିର୍ବାଚନ ବର୍ଷରେ ବାହାଘର ଉତ୍ସବରେ ମଧ୍ୟ ରାଜନୀତିର ରଙ୍ଗ ଦେଖିବାକୁ ମିଳୁଛି । ଖାସକରି ବାହାଘର ନିମନ୍ତ୍ରଣ କାର୍ଡରେ ନିଜର ପସନ୍ଦର ଦଳ ସପକ୍ଷରେ ପ୍ରଚାର କରାଯାଉଥିବା ଦେଖିବାକୁ ମିଳୁଛି । କେଉଁଠି ନିମନ୍ତ୍ରଣ କାର୍ଡର ରଙ୍ଗ ପସନ୍ଦର ଦଳର ରଙ୍ଗ ସହ ମେଳ ଖାଉଛି ତ ପୁଣି କେଉଁଠି ବାହାଘର କାର୍ଡରେ ପସନ୍ଦର ପାର୍ଟିକୁ ଭୋଟ ଦେବାକୁ ଅପିଲ କରୁଛନ୍ତି ।

ଗୁଜରାଟର ସୁରଟ ସହରର ଯୁବରାଜ ଓ ସାକ୍ଷୀ ଆଗାମୀ ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ନିଜ ବିବାହ ଉତ୍ସବରେ ସାମିଲ ହେବାକୁ ଯୁବରାଜ ନିମନ୍ତ୍ରଣ କାର୍ଡରେ ଘରର ଠିକଣା ସହ ପସନ୍ଦର ଦଳ ପାଇଁ ମଧ୍ୟ କ୍ୟାମ୍ପେନ କରିଛନ୍ତି । ଯୁବରାଜଙ୍କ ବିବାହ କାର୍ଡରେ ଆଗାମୀ ୨୦୧୯ ନିର୍ବାଚନରେ ମୋଦିଙ୍କୁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରାଯାଇଛି ।

ଏହାଛଡା ବାହାଘରରେ ଗିଫ୍ଟ ଦେବା ବଦଳରେ ନମୋ ଆପ୍ ଜରିଆରେ ବିଜେପି ଦଳକୁ  ନିର୍ବାଚନ ପାଇଁ ଚାନ୍ଦା ଦେବାକୁ କୁହାଯାଇଛି । ବାହାଘରରେ ଆସିବାକୁ ଥିବା ଅତିଥି ନମୋ ଆପ୍ ଜରିଆରେ ବିଜେପିକୁ ଚାନ୍ଦା ଦେଲେ ତାହା ଆମ ପାଇଁ ସବୁଠୁ ବଡ ଉପହାର ହେବ ବୋଲି କହିଛନ୍ତି ଯୁବରାଜ । ଏହି କାର୍ଡର ଫଟୋ ଟ୍ୱିଟରେ ମଧ୍ୟ ସେୟାର କରିଛନ୍ତି ଯୁବରାଜ । ଏହାପରେ ଏହି ବାହାଘର କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବିଜେପିକୁ ଭୋଟ ଦେବା ପାଇଁ ଅପିଲ କରିବା ସହ କାର୍ଡର ପଛପାଶ୍ୱର୍ରେ ରାଫେଲ ବିବାଦର ପୂରା କାହାଣୀ ଉଲ୍ଲେଖ କରିଛନ୍ତି । କାର୍ଡରେ ଦୁଇଟି ରାଫେଲ ଯୁଦ୍ଧ ବିମାନର ଚିତ୍ର ଥିବା ବେଳେ ଏଥିରେ ନିର୍ମଳା ସୀତରମଣ ସଂସଦରେ ରାଫେଲ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଦେଇଥିବା ଉତ୍ତର ସ୍ଥାନ ପାଇଛି । ଆଉ ଏଭଳି ଏକ ଭିନ୍ନ ଧରଣର କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।