ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେଙ୍କ ନାମ ଘୋଷଣା , ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବଙ୍କୁ ନେଇ କହିଲେ ଏଭଳି କଥା

370

କନକ ବ୍ୟୁରୋ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ । ଏନେଇ ଖୋଦ ବିଜେପିର ଦେବେନ୍ଦ୍ର ଫଡନଭିସ ସିନ୍ଦେଙ୍କ ନାମ ଘୋଷଣା କରିଛନ୍ତି । ବିଜେପି ମେଣ୍ଟରେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ଠାରେ ଦାବି କରି ଫେରିବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସମ୍ମିଳନୀରେ ସମସ୍ତଙ୍କୁ ଚମକାଇ ଫଡନଭିସ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେଙ୍କ ନାମ ଘୋଷଣା କରିଛନ୍ତି ।

ସିନ୍ଦେଙ୍କ ନାମ ଘୋଷଣା ପରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସିନ୍ଦେ ଉଦ୍ଧବ ସରକାରଙ୍କ ଉପରେ ବର୍ଷିଥିଲେ । ପ୍ରଥମେ ସିନ୍ଦେ କହିଛନ୍ତି କି ମହାରାଷ୍ଟ୍ରର ବିକାଶ ପାଇଁ ସେ ବିଜେପି ସହିତ ମେଣ୍ଟର ସରକାର ଗଠନ କରିବାକୁ ଯାଉଛନ୍ତି । ମହାବିକାଶ ଅଘାଡି ସରକାରରେ କାମ କରିବା ବେଳେ ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା କଥା ସେ କହିଛନ୍ତି । ଏନେଇ ସେ ବାରମ୍ବାର ଉଦ୍ଧବ ଠାକରେଙ୍କ ଠାରେ କଥା ଉଠାଇଥିଲେ ବି ଉଦ୍ଧବ ତାଙ୍କ କଥାକୁ ସ୍ୱୀକାର କରିନଥିବା ଅଭିଯୋଗ କରିଛନ୍ତି ସିନ୍ଦେ । ସିନ୍ଦେ କହିଛନ୍ତି କି ଆମର ପ୍ରକୃତ ମେଣ୍ଟ ବିଜେପି ସହିତ ଥିଲା । ହେଲେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ରାଜ୍ୟରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ଆଗକୁ ନେବାକୁ ସେ ବିଜେପି ସହିତ ମେଣ୍ଟରେ ସରକାର ଗଠନ କରିବାକୁ ଯାଉଛନ୍ତି ।

ସେପଟେ ସିନ୍ଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି । ଦେବେନ୍ଦ୍ର ଫଡନାଭିସ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିବାରୁ ସିନ୍ଦେ କହିଛନ୍ତି କି ବିଜେପି ମହାରାଷ୍ଟ୍ରର ବଡ ଦଳ ହୋଇ ବି ମୋ ନାମକୁ ମୁଖ୍ୟମନ୍ତ୍ରୀ ଭାବେ ସୁପାରିଶ କରିଥିବାରୁ ତାଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି । ଏହାସହ ଆଗାମୀ ଦିନରେ ମହାରାଷ୍ଟ୍ରବାସୀ ଏକ ମଜବୁତ ସରକାର ଦେଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।