ପରୀ ମାମଲାରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମ ଥର ମତ ଦେଲେ ଧର୍ମେନ୍ଦ୍ର । ସିବିଆଇ ତଦନ୍ତ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ । କହିଲେ ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ଅସଲ ସତ ।

166

କନକ ବ୍ୟୁରୋ : ନୟାଗଡରେ ୫ ବର୍ଷର ଶିଶୁ ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସରୋଜ ସେଠୀ ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି ଯାଂଚକାରୀ ସଂସ୍ଥା । ଆଉ ଏତିକିବେଳେ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଦେବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀର ବାପା, ମାଆ ସିବିଆଇ ତଦନ୍ତ ଦାବି କରୁଥିବା କହି, ଏକ ନିରପେକ୍ଷ ସଂସ୍ଥାଦ୍ୱାରା ତଦନ୍ତ କରାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି ଧର୍ମେନ୍ଦ୍ର ।

ପରୀ ପାଇଁ ନ୍ୟାୟ ଦାବି କରି ପଦଯାତ୍ରା କରିଥିଲା ବିଜେପି । ରାଜ୍ୟ ସରକାରଙ୍କ ଦ୍ୱାରା ହେଉଥିବା ଏସଆଇଟି ତଦନ୍ତ ଠିକ ଦିଗରେ ଯାଉନଥିବା କହି ବିରୋଧ ପ୍ରଦର୍ଶନ କରିଆସୁଛି ଦଳ । ଆଉ ଏକିତିବେଳେ ରାଜ୍ୟ ୟୁନିଟର ସ୍ୱର ସହ ସ୍ୱର ମିଶାଇ ସିବିଆଇ ତଦନ୍ତ ପାଇଁ ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଉତରପ୍ରଦେଶ ହାଥରସ ମାମଲାର ଉଦାହରଣ ନେଇଛନ୍ତି ଧର୍ମେନ୍ଦ୍ର ।

ସେହି ହାଥରସ ମାମଲା, ଯାହାକୁ ନେଇ ସାରାଦେଶରେ ତମ୍ବିତୋଫାନ ଲାଗିରହିଥିଲା । ଦ୍ୱିତୀୟ ନିର୍ଭୟା ମାମଲା କହି ଉତର ପ୍ରଦେଶରେ ଯୋଗୀ ସରକାରଙ୍କ ଉପରେ ଯୋରଦାର ବର୍ଷିଥିଲେ ବିରୋଧୀ । ଚାରିଆଡୁ ଘେରିଯିବା ପରେ ବାଧ୍ୟହୋଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବିଜେପି ସରକାର ।

ଏ ହେଉଛି ରାତିଅଧରେ ହାଥରସ ପୀଡିତାଙ୍କ ଜଳୁଥିବା ଜୁଇ । ଅଭିଯୋଗ ହୋଇଥିଲା ପରିବାର ଲୋକଙ୍କୁ ନଜଣାଇ ରାତି ଅଧିଆ, ଫୋର୍ସ ଲଗାଇ ଶବଦାହ କରିଥିଲା ୟୁପି ପୋଲିସ । ପୋଲିସର ଏଭଳି ବ୍ୟବହାରକୁ ନେଇ ହରଡଘଣାରେ ପଡିଯାଇଥିଲେ ୟୁପିରେ ବିଜେପି ସରକାର ।

ହାଥରସ ମାମଲାରେ ହୋଇଥିଲା କ’ଣ?
-ଅଭିଯୋଗ ଆଧାରରେ ୪ ଜଣଙ୍କୁ ଗିରଫ କରିଥିଲା ୟୁପି ପୋଲିସ
-ହେଲେ ପୀଡିତାଙ୍କ ପ୍ରତି ଦୁଷ୍କର୍ମ ହୋଇନଥିବା କୁହାଯାଇଥିଲା
-ପୋଲିସ ଲଗାଇ ରାତି ଅଧରେ ପୀଡିତାଙ୍କ ଶବଦାହ କରାଗଲା
-ହାଥରସକୁ କର୍ଡନ କରି ରଖିବା ସହ ବିରୋଧୀଙ୍କୁ ଛଡାଯାଇ ନଥିଲା
-ଏପରିକି ଗଣମାଧ୍ୟମକୁ ମଧ୍ୟ ପ୍ରବେଶ କରାଇ ଦେଇନଥିଲେ ୟୁପି ସରକାର

୨୦ ବର୍ଷର ଯୁବତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାର ମାମଲାରେ ଏମିତି ଫସିଗଲେ ଯୋଗୀ ସରକାର ଯେ, ବିରୋଧୀଙ୍କୁ ପୋଲିସ ଲଗାଇ ଅଟକାଇବାକୁ ପଡିଲା । ଗଣମାଧ୍ୟମକୁ ମଧ୍ୟ ଭିତରକୁ ଛଡାଗଲା ନାହିଁ । ହେଲେ ଚାରିଆଡୁ ଚାପ ପରେ ଶେଷରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇଁ ବାଧ୍ୟ ହେଲେ ୟୁପିରେ ବିଜେପି ସରକାର । ଆଉ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚାର୍ଜସିଟରେ ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ରହିଛି ପୀଡିତାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଭଳି ସଂଗୀନ ଦଫା ।