ପ୍ରକୃତିରାଣୀକୁ ପ୍ରତାରଣା ! ଅଟକି ରହିଛି କଳାହାଣ୍ଡିର ଡୋକରୀଚଞ୍ଚରା ପର୍ଯ୍ୟନଟସ୍ଥଳୀର ବିକାଶ, ଆଶାନୁରୁପ ବିକାଶ ନଥିବାରୁ ପର୍ଯ୍ୟଟକ ଖପ୍ପା ।

223
କନକ ବ୍ୟୁରୋ: ଲକ କଡାଉନ ପରେ ଖୋଲିଛି କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ଡୋକରୀ ଚଂଚରା । ସୁନ୍ଦର ପରିବେଶ ସାଙ୍ଗକୁ ପ୍ରକୃତିର ଅପରୂପ ଆନନ୍ଦ ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି । ଯିଏ ଥରେ ଏଠାକୁ ଆସିଛି ସେ ବାରମ୍ବାର ଆସିବାକୁ ଇଚ୍ଛା କରେ । ପ୍ରକୃତିରାଣୀ ଭାବେ ପରିଚିତ ଡୋକରୀ ଚଂଚରା ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇଛି ସତ, ହେଲେ ଏଠାରେ ଆନୁସଙ୍ଗିକ ବିକାଶ ନାହିଁ  । ଯାହାକୁ ନେଇ ଖପ୍ପା ପର୍ଯ୍ୟଟକ ।
ଘଂଚ ଜଙ୍ଗଲ । ସବୁଜ ବନାନୀ ଭିତରେ ମାଇଲ ମାଇଲ ପଥର ଚଟାଣ । ଆଉ ପଥର ଚଟାଣରେ କୁଳୁକୁଳୁ ନାଦରେ ବହିଯାଉଛି  ନିର୍ଝରିଣୀ । କଳାହାଣ୍ଡି କୋକସରା ବ୍ଲକରେ ଅଛି ପ୍ରକୃତିରାଣୀ ଭାବରେ ପରିଚିତ ଡୋକରୀ ଚଂଚରା ପର୍ଯ୍ୟଟନ ସ୍ଥଳୀ । ଏଠି ୩ଟି ଜଳ ପ୍ରପାତ ଏବଂ ସୁଦୀର୍ଘ ପଥର ଚଟାଣ ପର୍ଯ୍ୟଟକଙ୍କୁ ନିଜ ପ୍ରେମରେ ବାନ୍ଧି ରଖେ । ଓଡିଶା ସମେତ ଛତିଶଗଡରୁ ପିକନିକ୍ ପାଇଁ ଡୋକରୀ ଚଂଚରାକୁ ଆସିଥାନ୍ତି ପର୍ଯ୍ୟଟକ । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ଏହି ସ୍ଥାନରେ ଆଶାନୁଋପ ବିକାଶ ହୋଇ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରନ୍ତି ।
ଡୋକରୀ ଚଂଚରାକୁ ଯିବା ପାଇଁ କେବଳ ରାସ୍ତାଟିଏ ଥିବା ବେଳେ ଆଉ କିଛି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ପାହାଡ ଉପରେ ଗୋଟିଏ ଜଳପ୍ରପାତ ଥିବା ବେଳେ ତଳେ ଆଉ ଗୋଟିଏ ଜଳ ପ୍ରପାତ ରହିଛି । ଏ ଜଳ ପ୍ରପାତରୁ ସେ ଜଳ ପ୍ରପାତକୁ ଯିବା ପାଇଁ ରାସ୍ତାର ବିକାଶ ହୋଇ ପାରୁନଥିବାରୁ ଖପ୍ପା ହେଉଛନ୍ତି ପର୍ଯ୍ୟଟକ । ଏହା ସହିତ ଏଠାରେ ଏକ ରୋପ ୱେ ନିର୍ମାଣ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ହୋଇଥିବା ପ୍ଲାନ୍ ସରକାରୀ ଫାଇଲ ତଳେ ଚାପି ହୋଇଯାଇଛି ।