ମଣ୍ଡିରୁ ଉଠିପାରୁନି ଧାନ ! ଶୀତ କାକରରେ ଅନ୍ଧାର ରାତିରେ ଅମଳ ଫସଲକୁ ଜଗିରହିଛନ୍ତି ଚାଷୀ

95

କନକ ବ୍ୟୁରୋ : ଶୀତ କାକରରେ ଫସଲ ଖୋଲାରେ ପଡିରହିଛି ଆଉ ତାକୁ ଜଗିରହିଛି ଚାଷୀ । ରାଜ୍ୟର ଅନେକ ଅଂଚଳରୁ ଏଭଳି ଚିତ୍ର ଆସିବା ପରେ ସରକାର କଡ଼ା ନିର୍ଦେଶ ଦେଇଛନ୍ତି । ତୁରନ୍ତ ଧାନ କ୍ରୟ କେନ୍ଦ୍ର ଖୋଲି ଚାଷୀଙ୍କ ଠାରୁ ଧାନ କିଣିବାକୁ ନିର୍ଦେଶ ଦେଇଛନ୍ତି ।

ଅନ୍ଧାର ରାତିରେ ଅମଳ ଫସଲକୁ ଅପେକ୍ଷା କରିଛନ୍ତି ଚାଷୀ । ଦୁଇ ସପ୍ତାହ ହେଲାଣି ମଣ୍ଡିରେ ଦିନରାତି ବିତୁଛି । କେବେ ଧାନ ବିକ୍ରି ହେବ, କାହାକୁ ଜଣାନାହିଁ । ସରକାରୀ ବାବୁ ଓ ମିଲରଙ୍କୁ ଅପେକ୍ଷା କରି ନୟାନ୍ତ ହେଲେଣି ମାଲକାନଗିରିର ଚାଷୀ । କମ ଦାମ ଓ ମିଲରଙ୍କ କଟନୀ ଛଟନୀ ନୀତି ଚାଷୀଙ୍କ ଚିନ୍ତା ବଢାଇଦେଇଛି ।

ଭଦ୍ରକରେ ଜିଲ୍ଲାର ତିହିଡି ବ୍ଲକରେ ଚାଷୀଙ୍କ ଧାନ କିଣିବାକୁ ଜିଲ୍ଲା ପ୍ରଶାସନ ୧୬ଟି ମଣ୍ଡି ଖୋଲିଛି । ହେଲେ ଧାନ ରଖିବାକୁ ଗୋଦାମ ନାହିଁ । ଫଳରେ ଶୀତ କାକରରେ ମଣ୍ଡି ବାହାରେ ପଡି ରହିଛି ଧାନ । ଯୋଗାଣ ବିଭାଗ ଓ ମିଲରଙ୍କ ମନମୁଖୀ କାମ ଯୋଗୁଁ ୧୫ ଦିନ ହେଲା ଧାନ ବିକ୍ରି ହୋଇପାରିନାହିଁ ।

ରାଜ୍ୟର ଅନେକ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିବା ପରେ ପ୍ରତି ଜିଲ୍ଲାରେ ତୁରନ୍ତ ଧାନ କିଣା କେନ୍ଦ୍ର ଖୋଲିବାକୁ ସରକାର କଡା ନିର୍ଦେଶ ଦେଇଛନ୍ତି । ରାଜ୍ୟରେ ଏଯାଏଁ ୬୦୯ଟି ପ୍ୟାଡି ପ୍ରକ୍ୟୁରମେଂଟ ସେଂଟର କାହିଁକି ଖୋଲାଯାଇନି ବୋଲି ସମବାୟ ବିଭାଗ ପ୍ରଶ୍ନ କରିଛି । କୋଅପରେଟିଭ୍ ସୋସାଇଟି ଡେପୁଟି ରେଜିଷ୍ଟ୍ରାର ଓ ସର୍କଲ ଆସିଷ୍ଟାଂଟ୍ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ୨ ଦିନ ମଧ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟାନୁଷ୍ଠାନର ବିସ୍ତୃତ ରିପୋର୍ଟ ସଂପୃକ୍ତ ଜିଲ୍ଲାପାଳଙ୍କୁ ଦେବାକୁ ନିର୍ଦେଶ ଦିଆଯାଇଛି ।

ବର୍ଷ ତମାମ ପରିଶ୍ରମ କରି ଅମଳ କରିଥିବା ଚାଷୀ ଫସଲ ବିକ୍ରି କରିବା ସହ ତାର ଉଚିତ ମୂଲ୍ୟ ପାଇବାକୁ ଅନାଇ ରହିଛି । ହେଲେ ମାସ ମାସ ଧରି ମଣ୍ଡିରୁ ଉଠୁନି ଧାନ । ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ ।