ମହଙ୍ଗା ପଡିଲା ମାଡ : ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର ଗିରଫ

24

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଦଇତାଙ୍କ ଦାଦାଗିରି । ଡାକ୍ତରଙ୍କୁ ମାଡ ମାରିଲେ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର । ଆଉ ଥାନାରେ ମାମଲା ପରେ ଗିରଫ ହୋଇଛନ୍ତି ଦବଙ୍ଗ ଦଇତା । ଡାକ୍ତରଙ୍କ ଅଭିଯୋଗ ଆଧାରରେ ପ୍ରେମାନନ୍ଦ ଦାସମହାପାତ୍ର ଓ ତାଙ୍କ ଜ୍ୱାଇଁ ନବକିଶୋର ପୃଷ୍ଟିଙ୍କୁ ଗିରଫ କରିଛି କୁମ୍ବାରପଡା ଥାନା ପୋଲିସ । ପ୍ରେମାନନ୍ଦଙ୍କ ବିରୋଧରେ ଲାଗିଛି ୩୦୭ ଦଫା । ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରେମାନନ୍ଦ । କହିଛନ୍ତି ଡାକ୍ତରଙ୍କ ବ୍ୟବହାରରେ ପ୍ରତିକ୍ରିୟାଶୀଳ ହୋଇ ତାଙ୍କୁ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ ।

ଗତକଲି ରାତିରେ ନିଜ ନାତିକୁ ନେଇ ପୁରୀ ମେଡିକାଲ ଯାଇଥିଲେ ପ୍ରେମାନନ୍ଦ ଦାସମହାପାତ୍ର । ଚିକିତ୍ସା ପାଇଁ ନେଇଥିବାବେଳେ ଡ୍ୟୁଟିରେ ଥିବା ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ ତାଙ୍କୁ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହି ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଏକ ଟୋକନ ଆଣିବାକୁ କହିବାରୁ ଏଥିରେ ଉତକ୍ଷିପ୍ତ ହୋଇପଡିଥିଲେ ପ୍ରେମାନନ୍ଦ । ଆଉ ସଂପୃକ୍ତ ଡାକ୍ତରଙ୍କୁ ସିଡିଏମଓଙ୍କ ନମ୍ବର ମାଗିଥିଲେ । ଡାକ୍ତର ମନା କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଏନେଇ ସେ କୁମ୍ଭାରପଡା ଥାନାରେ ମାମଲା ରୁଜୁ କରିଥିଲେ ଡାକ୍ତର ଜଣକ । ଘଟଣାକୁ ଏଡିଏମଓ ଓ ସିଡିଏମଓ ନିନ୍ଦା କରିଛନ୍ତି ।