ଖରାଦିନେ ପାଣି ଛାଡୁନଥିଲା ଛତିଶଗଡ଼: ବର୍ଷାଦିନେ ଭୋଗିଲା ଫଳ

921

କନକ ବ୍ୟୁରୋ: ରାୟଗଡ଼ ଜିଲ୍ଲା ସରିଆର ମହାନଦୀ କୂଳରେ ଥିବା ପୋରଥ ମନ୍ଦିର ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇଛି । ଛତିଶଗଡ଼ରେ ମହାନଦୀ କିପରି କରାଳ ରୂପ ଧାରଣ କରିଛି ତାହା ଏହି ଚିତ୍ରରୁ ଅନୁମାନ କରିହେଉଛି । ଲଗାଣ ବର୍ଷା ଯୋଗୁ ଛତିଶଗଡ଼ରେ ବନ୍ୟା ସ୍ଥିତି ସଙ୍ଗୀନ୍ ହୋଇପଡ଼ିଛି । ଶିଓରୀ ନାରାୟଣ ପୋଲ ଉପରେ ଲହଡି ଭାଙ୍ଗୁଛି ପାଣି । ସେଠାରେ ବିପଦ ସଙ୍କେତଠାରୁ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଚନ୍ଦ୍ରପୁର ଅଞ୍ଚଳରେ ବି ସମାନ ସ୍ଥିତି । ଅନ୍ୟ ଜିଲ୍ଲା ସହ ଜାଞ୍ଜଗିରି-ଚାମ୍ପା ଜିଲ୍ଲା ବିଚ୍ଛିନ୍ନ ହୋଇପଡ଼ିଛି । ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇପଡ଼ିଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ମୁନାଦି ଗାଁକୁ ଖାଲି କରିଛି ପ୍ରଶାସନ । ବନ୍ୟା ବିପନ୍ନଙ୍କ ପାଇଁ ପ୍ରଶାସନ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ରାୟଗଡ଼ ଓ ବଲୋଦା ବାଜାର ଜିଲ୍ଲାର ସ୍ଥିତି ସାଂଘାତିକ ହୋଇଛି । ତେବେ ବନ୍ୟା ପାଇଁ ଓଡ଼ିଶାକୁ ଦୋଷ ଦେଇଛନ୍ତି ଛତିଶଗଡ଼ ମହାନଦୀ ରିଜର୍ଭର ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ରାକେଶ କୁମାର ନାଗରିଆ । ସେ କହିଛନ୍ତି ହୀରାକୁଦ ଗେଟ୍ ନଖୋଲିବାରୁ ଛତିଶଗଡ଼ରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି ।

“ହୀରାକୁଦର ଗେଟ୍ ଅପରେସନ୍ ହେଉନାହିଁ.. ସେହି କାରଣରୁ ଆମର ଏଠି ବନ୍ୟା ହେଉଛି । ଏହା ପୂର୍ବରୁ ଆପଣଙ୍କ ଲୋକ ଏପରି କରି ସାରିଛନ୍ତି.. ସେମାନଙ୍କୁ କୁହନ୍ତୁ ଗେଟ୍ ଖୋଲିବେ । ଏଠାରେ ପ୍ରବଳ ବନ୍ୟା ହୋଇଛି.. ଗେଟ୍ ନଖୋଲିବାରୁ ଅନେକ କ୍ଷତି ହେଉଛି । ସବୁ ତଥ୍ୟ ଓଡ଼ିଶା ଅଫିସରଙ୍କୁ ଦିଆଯାଇଛି.. ସେମାନେ ଜାଣିଛନ୍ତି, କେତେ ପାଣି ଆସୁଛି.. କେତେ ପାଣି ଛଡ଼ାଯାଉଛି । ହୀରାକୁଦରେ ଗେଟ୍ ଅପରେସନ୍ ଠିକ ହେଉନଥିବାରୁ ଛତିଶଗଡ଼ରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି ।” ଏପଟେ ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି ହୀରାକୁଦର ୩୪ଟି ଗେଟ୍ ଖୋଲାଯାଇଛି, ଏବେ ଆଉ ଗେଟ୍ ଖୋଲଯିବାର ସ୍ଥିତି ଉପୁଜିନାହିଁ ।

ଖରାଦିନେ ଛତିଶଗଡ଼ ପଟର ମହାନଦୀରେ ପାଣି ଭର୍ତି ହୋଇ ରହିଥିବା ବେଳେ ଶୁଖିଲା ପଡିଥିଲା ଓଡ଼ିଶା ପଟ । କାରଣ ଥିଲା ବଡ଼ ବଡ଼ ବ୍ୟାରେଜ୍ ପାଣି ଅଟକାଉଥିଲା ପଡ଼ୋଶୀ ରାଜ୍ୟ । ଓଡ଼ିଶା ପଟେ ମହାନଦୀ ବେସିନ୍ ଶୁଖିଲା ପଡ଼ିଥିବାରୁ ଅଧିକ ପାଣି ଧରିବା କ୍ଷମତା ରହିଥିଲା । କିନ୍ତୁ ଖରାଦିନେ ଅଧିକ ପାଣି ଅଟକାଇ ରଖିଥିବାରୁ ଏବେ ବନ୍ୟାରେ କଳବଲ ହେଉଛି ଛତିଶଗଡ଼ । କେତେ ପାଣି ଅଛି, କେତେ ପାଣି ଛଡ଼ାଯାଉଛି, ଏ ନେଇ ଓଡ଼ିଶାକୁ କୌଣସି ତଥ୍ୟ ଦିଆଯାଉନଥିଲା । ବାରମ୍ବାର ଅନୁରୋଧ ସତ୍ୱେ ବନ୍ୟା ପରିଚାଳନା ପାଇଁ ଆଲୋଚନାକୁ ଆସୁନଥିଲା ଛତିଶଗଡ଼ ।

ଛତିଶଗଡ ତଥ୍ୟ ଆଦାନ ପ୍ରଦାନ କରୁନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ । ସେ କହିଛନ୍ତି, ଓଡିଶା ସବୁବେଳେ ବିବାଦ ବଢାଉଛି । ୧୦ବର୍ଷ ଧରି ମହାନଦୀ ଉପରେ ସମସ୍ତ ପ୍ରକଳ୍ପ କାମ ଅଟକାଇ ରଖିଛି ଓଡିଶା । ମାମଲା ବିଚାରଧୀନ ରହିଛି, ଜଲଦି ସମସ୍ୟାର ସମାଧାନ ଚାହୁଁଛି ଛତିଶଗଡ । ରବୀନ୍ଦ୍ର ଚୌବେ କହିଛନ୍ତି ଯେ ବନ୍ୟା ପାଣି ତଳ ମୁଣ୍ଡକୁ ଯିବା ସ୍ୱାଭାବିକ ପ୍ରକ୍ରିୟା ।

“ଛତିଶଗଡ ତଥ୍ୟ ଆଦାନ ପ୍ରଦାନ କରୁନଥିବା ଅଭିଯୋଗ ମିଛ । ଓଡିଶା ସବୁବେଳେ ବିବାଦ ବଢ଼ାଉଛି । ୧୦ବର୍ଷ ଧରି ମହାନଦୀ ଉପରେ ସମସ୍ତ ପ୍ରକଳ୍ପ କାମ ଅଟକାଇ ରଖିଛି ଓଡିଶା । ମାମଲା ବିଚାରଧୀନ ରହିଛି । ସମସ୍ୟାର ଶୀଘ୍ର ସମାଧାନ ଚାହୁଁଛି ଛତିଶଗଡ । ବନ୍ୟା ପାଣି ତଳ ମୁଣ୍ଡକୁ ଯିବା ସ୍ୱାଭାବିକ ପ୍ରକ୍ରିୟା ।”