ଲଗାଣ ବର୍ଷାରେ ଅଧା ଓଡିଶା ପାଣି: ମହାନଦୀ ସହ ଫୁଲୁଛି ଅନ୍ୟ ନଦୀ

139

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ କେବଳ ମହାନଦୀ ଫୁଲନାହିଁ , ବରଂ ଅନ୍ୟ ୧୦ଟି ନଦୀର ପାଣି ବି ବଢିବାରେ ଲାଗିଛି । ଫଲରେ ତଳିଆ ଅଂଚଳରେ ପାଣି ପଶିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭଦ୍ରକରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ି ବଢ଼ି ଚାଲିଛି । ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ଅଛି । ଫଳରେ ଭଦ୍ରକର ଧାମନଗର, ଭଣ୍ଡାରୀପୋଖରୀ ଓ ଯାଜପୁର ଜିଲ୍ଳାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଜଳକାର ଜଳସ୍ତର ମଥାନୀ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଜଳସ୍ତର ବଢ଼ୁଥିବାରୁ ତଳିଆ ଅଂଚଳରେ ଥିବା ଗାଁ ଗୁଡିକରେ ପଶି ଯାଇଛି ପାଣି ।

ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର । ତଳିଆ ଅଂଚଳରେ ପାଣି ପଶିଯାଇଛି । ବାଲିଆପାଳ ବ୍ଲକର ଜାମକୁଣ୍ଡା ପଂଚାୟତର କୁହ୍ଲା ଓ ପନ୍ତେଇ ରାସ୍ତାରେ ୨ଫୁଟ ଉଚର ପାଣି ପ୍ରବାବିତ ହେଉଛି । ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସମଗ୍ର ଅଂଚଳ ପାଣିରେ ବୁଡିଛି ।

ଗଜପତିରେ ବିଭିନ୍ନ ନଦୀରେ ଜଳସ୍ତର ବଢୁଥିବା ବେଳେ ଗାଁ ଗଣ୍ଡାରେ ଜଳବନ୍ଦୀ ହୋଇପଡ଼ିଛନ୍ତି ଲୋକେ । ଲଗାଣ ବର୍ଷା ଯୋଗୁ ବଂଶଧାରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଂଶଧାରା ବିପଦ ସଙ୍କେତ ନିକଟରେ ରହିଛି । ଉପରମୁଣ୍ଡରେ ଜଳସ୍ତର ବଢୁଥିବା ବେଳେ ତଳିଆ ଅଞ୍ଚଳ ବି ଜଳମଗ୍ନ ହୋଇଗଲାଣି । ଆନ୍ଧ୍ରପ୍ରଦେଶ ପଟେ ଗେଟ୍ ବନ୍ଦ କରିଦିଆଗଲେ କାଶୀନଗର ତଳିଆ ଅଂଚଳରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି ।

ଲଗାଣ ବର୍ଷା ୪ ଦିନ ହେଲା ଜାରି ରହିଛି । ଅସ୍ତରଙ୍ଗର ଦେବୀ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲେ ବି ନଦୀ କୁଳିଆ ଲୋକେ ଆତଙ୍କିତ ହୋଇଛନ୍ତି । ସେହିପରି ଚାଷ ଜମିରେ ବର୍ଷା ଜଳ ପଶିବା ଦ୍ୱାରା ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଗାଁରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଯାତାୟତ ପ୍ରଭାବିତ ହୋଇଛି ।