କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ! ବରୁଣେଇ ନିକଟରେ ଜାତୀୟ ସ୍ମାରକୀ ପାଇଁ ସ୍ଥାନ ଚିହ୍ନଟ ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ଟିମ ପଠାଇବାକୁ କଲେ ଅନୁରୋଧ
କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମାଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଚିଠିରେ ୧୮୧୭ର ଓଡ଼ିଆ ବୀରତ୍ୱର ଇତିହାସକୁ ଉଜ୍ଜିବିତ କରୁଥିବା ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ଅବସରରେ ବରୁଣେଇ ଦୁର୍ଗ ନିକଟରେ ପ୍ରସ୍ତାବିତ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସ୍ଥାନ ଚିହ୍ନଟ କରିବାକୁ ସଂସ୍କୃତି ମନ୍ତ୍ରଣାଳୟକୁ ଏକ ଟିମ୍ ପଠାଇବାକୁ ସେ ଅନୁରୋଧ କରିଛନ୍ତି । ତା ସହ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଗତ ଜୁଲାଇ ୨୦ ତାରିଖରେ ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଡ. ଶର୍ମାଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର । ତା ଛଡା ଏହି ୨ ଶହ ବର୍ଷ ପୂର୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବର୍ଷ ତମାମ ଚାଲିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ଜୁଲାଇ ମାସ ୨୦ ତାରିଖରେ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଖୋର୍ଦ୍ଧାର ପ୍ରସିଦ୍ଧ ବରୁଣେଇ ଦୁର୍ଗ ତଥା ପାଇକ ବିଦ୍ରୋହର କେନ୍ଦ୍ରସ୍ଥଳ ନିକଟରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଧର୍ମେନ୍ଦ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ତା ଛଡା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ପଇକ ବିଦ୍ରୋହକୁ ସ୍ୱୀକୃତି ଦେବାକୁ ସେ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
୧୮୧୭ ମସିହାରେ ଖୋର୍ଦ୍ଧାଗଡରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ପାଳନ ପୂର୍ବରୁ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ପାଇକ ବିଦ୍ରୋହର ପୂର୍ତି ପାଳନ କରିବା ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗିଥିଲା । ଯାହା ସେ ସମୟରେ ରାଜନୀତିର ପାଣିପାଗକୁ ଉଷ୍ମ କରିଥିଲା । ପୂର୍ବରୁ ପାଇକ ବିଦ୍ରୋହ ଉତ୍ସବ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏକ କମିଟି ଗଠନ କରିଥିଲେ । ଏଥିରେ କମିଟିରେ ଉଭୟ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମିଲ କରାଯାଇଥିଲା । ତା’ସହ କମିଟିରେ ବିଶେଷ ନିୟନ୍ତ୍ରିତ ସଦସ୍ୟ ଭାବେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାମିଲ କରାଯାଇଥିଲା । ତା ଛଡା ଓଡ଼ିଶା ବାସୀଙ୍କ ମନ ଜିଣିବାରେ ମୋଦି ସରକାର ଆଦୌ ପଛଘୁଞ୍ଚା ଦେଇନଥିଲେ । ୨୦୦ ବର୍ଷର ବୀରତ୍ୱର ଗାଥା ଗାଉଥିବା ଏହି ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ କେନ୍ଦ୍ରୀୟ ବଜେଟରେ ମଧ୍ୟ ଅର୍ଥ ବ୍ୟୟବରାଦ ହୋଇଥିଲା ।
କେବଳ ବିଜେପି ନୁହେଁ ବିଜେଡି ମଧ୍ୟ ପାଇକ ବିଦ୍ରୋହକୁ ନେଇ ଆରମ୍ଭ କରିଥିଲା ଅଙ୍କକଷା । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ଦାବି କରିଥିଲା ରାଜ୍ୟ ସରକାର । ଏଥିନେଇ ତରବରିଆ ଭାବେ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ନବୀନ ଦର୍ଶାଇଥିଲେ ଯେ, ସିପାହୀ ବିଦ୍ରୋହର ବହୁ ପୂର୍ବରୁ ପାଇକ ବିଦ୍ରୋହ ହୋଇଥିଲା, ତେଣୁ ୨ ଶହ ବର୍ଷ ପୂର୍ତି ଅବସରରେ ଏହି ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ମିଳୁ । ଏନେଇ ରାଜ୍ୟ କ୍ୟାବିନେଟ ନିଷ୍ପତି ନେଇ ସାରିଛି ଏବେ କେନ୍ଦ୍ର ସରକାର ଏ ବାବଦରେ ଚିନ୍ତା କରିବା ଉଚିତ୍ ।