ସାବାସ୍ ଯବାନ ! କେବଳ ମାଓବାଦୀଙ୍କ ସହ ଲଢେଇ ନୁହେଁ ବିଚ୍ଛିନ୍ନାଂଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ବିଏସଏଫ ଯବାନଙ୍କ ବଦାନ୍ୟତା

18

କେବଳ ଆମକୁ ସୁରକ୍ଷା ଦେବାରେ ନୁହେଁ ଅନେକ କ୍ଷେତ୍ରରେ ବଦାନ୍ୟତା ଦେଖାଉଛନ୍ତି ସୀମା ସୁରକ୍ଷା ବଳର ଯବାନ । କେତେବେଳେ ବର୍ଡରରେ ଆତଙ୍କବାଦୀଙ୍କ ସହ ତ ଆଉ କେତେବେଳେ ଘଂଚ ଜଙ୍ଗଲ ଭିତରେ ମାଓବଦୀଙ୍କ ସହ ଘମାଘୋଟ ଲଢେଇ । ଏହାରି ଭିତରେ ସାମ୍ନାକୁ ଆସିଛି ବି.ଏସ.ଏଫ ଯବାନଙ୍କ ବଦାନ୍ୟତା । ଜଳଭଣ୍ଡାରର ଆର ପାରିରେ ଆସୁସ୍ଥ ହୋଇ ପଡିଥିବା ୧୭୦ରୁ ଅଧିକ ଅସୁସ୍ଥ କନ୍ୟାଶ୍ରମ ଛାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଁଚାଇଛନ୍ତି ସିମା ସୁରକ୍ଷା ବିହୀନିର ଯବାନ ।

ଗତକାଲି ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଥିବା ବଡପଡା କନ୍ୟାଶ୍ରମର ଶତାଧିକ ଛାତ୍ରୀ ଜଳଖିଆ ଖାଇ ଅସୁସ୍ଥ ହୋଇ ପଡିଥିଲେ । କନ୍ୟାଶ୍ରମର ଏଭଳି ଜରୁରୀକାଳିନ ପରିସ୍ଥିତି ଦେଖି ସହାୟତାର ହାତ ବଢାଇ ଥିଲେ ବଡପଡା ବି.ଏସ.ଏଫ କ୍ୟାମ୍ପର ଯବାନମାନେ । ତୁରନ୍ତ ଛାତ୍ରୀମାନଙ୍କୁ ଫାଷ୍ଟ ଏଇଡ ଚିକିତ୍ସା କରି ସ୍ପିଡ୍ ବୋଟ ଯୋଗେ ଚିତ୍ରକୋଣ୍ଡା ଜଳଭଣ୍ଡାର ପାର କରାଇଥିଲେ ୮ ବି.ଏସ.ଏଫ ବାଟାଲିୟନର ଯବାନ । ପରେ ଯାନବାଇ ଘାଟରୁ ବି.ଏସ.ଏଫ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଚିତ୍ରକୋଣ୍ଡା ସ୍ଥାନାନ୍ତରିତ କରାଯାଇଥିଲା ।

ପ୍ରାୟ ୧୭୧ ଜଣ ଛାତ୍ରୀଙ୍କୁ ବି,ଏସ,ଏଫ ଯବାନମାନେ ଚିତ୍ରକୋଣ୍ଡା ଡାକ୍ତରଖାନାରେ ପହଂଚାଇଥିଲେ । କେବଳ ଏତିକି ନୁହେଁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଯାଗା ନ ହବାରୁ ଅନେକ ଛାତ୍ରୀଙ୍କୁ ଚିତ୍ରକୋଣ୍ଡା ସ୍ଥିତ ବି.ଏସ.ଏଫ ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ଯୋଗାଇ ଦେଇଥିଲେ ସୀମା ସୁରକ୍ଷା ବାହିନୀର ଏହି ଯବାନମାନେ । ତେବେ ମାଓବାଦୀଙ୍କ ସହ ଲଢେଇ କରିବାକୁ ନିୟୋଜିତ ଥିବା ବି.ଏସ.ଏଫ ଯବାନ ମାନଙ୍କର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସବୁ ବର୍ଗର ଲୋକେ ।

ସୂଚନା ମୁତାବକ, ମାଲାକନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ବିଚ୍ଛିନ୍ନାଞ୍ଚଳରେ ଥିବା ବଡ଼ପଡ଼ା ଏଜୁକେସନାଲ କମ୍ପ୍ଲେକ୍ସ(କନ୍ୟାଶ୍ରମ)ରେ ରହୁଥିବା ୨୫୦ ଛାତ୍ରୀଙ୍କୁ ଶୁକ୍ରବାର ସକାଳେ ଜଳଖିଆରେ ଚୁଡ଼ା-ଚିନି ଦିଆଯାଇଥିଲା । ସେଥିରୁ ଫିନାଇଲ୍ ଗନ୍ଧ ବାହାରୁଥିବା ବେଳେ ଖାଇବା ପରେ ସେମାନଙ୍କୁ ବାନ୍ତି ସହ ଝାଡ଼ା ଆରମ୍ଭ ହୋଇଥିଲା । ଅଳ୍ପ କିଛି ସମୟ ବ୍ୟବଧାନରେ ୧୫୦ ଜଣ  ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ବଡ଼ପଡ଼ା ବିଏସଏଫ୍ କ୍ୟାମ୍ପସ୍ଥିତ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଏତେ ସଂଖ୍ୟାକ ପିଲା ଅସୁସ୍ଥ ହୋଇଥିବା ଦେଖି ବିଏସଏଫ୍ ଯବାନମାନେ ତୁରନ୍ତ ସମସ୍ତ ଛାତ୍ରୀଙ୍କୁ ସ୍ପିଡ୍ ବୋଟ ଯୋଗେ ନଦୀ ପାର କରାଇ ଜାନବାଇ ଘାଟକୁ ଆଣିଥିଲେ । ସେଠାରୁ ବିଏସଏଫ୍ ଆମ୍ବୁଲାନ୍ସ, ଚିତ୍ରକୋଣ୍ଡା ମେଡିକାଲର ଆମ୍ବୁଲାନ୍ସରେ ଛାତ୍ରୀମାନଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ଅଣାଯାଇଥିଲା ।