ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଜୟନାରାୟଣ ମିଶ୍ରଙ୍କ ବଡ ନିଷ୍ପତ୍ତି : ଫେରାଇଲେ ସୁରକ୍ଷାକର୍ମୀ, କହିଲେ ଓଡିଶା ପୋଲିସ ଉପରେ ମୋର ଭରସା ନାହିଁ

254

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଜୟନାରାୟଣ ମିଶ୍ରଙ୍କ ବଡ ନିଷ୍ପତ୍ତି । କହିଲେ ଓଡିଶା ପୋଲିସ ଉପରେ ମୋର ଭରସା ନାହିଁ । ମୁଁ ମୋ ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଉଛି । ସେହିପରି କ୍ରାଇମବ୍ରାଞ୍ଚ ଉପରେ ଓଡିଶାବାସୀଙ୍କର ଭରସା ନାହିଁ । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ରାଜ୍ୟବାସୀ ଜାଣିବାକୁ ଚାହିଁବେ ହତ୍ୟାକାଣ୍ଡର ରହସ୍ୟ କ’ଣ? କ୍ରାଇମବ୍ରାଞ୍ଚ ବାରମ୍ବାର ଆମକୁ ଆଈ ମା’ କାହାଣୀ ଶୁଣାଇଛନ୍ତି । ପରୀ ଓ ମମିତା ପରେ ଆଉ ଏକ କାହାଣୀ ପ୍ଲଟ୍ ଖୋଜା ଚାଲିଛି ।

ନିକଟରେ ନବ ଦାସଙ୍କୁ ଗୁଳି ମାଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପୋଲିସ ଅଫିସର ତାଙ୍କୁ କାହିଁକି ଗୁଳି ମାଡ କଲେ , ଏହାର କାରଣ କ’ଣ ସେ ନେଇ ତଦନ୍ତ ଭାର ସମ୍ଭାଳିଛି କ୍ରାଇମବ୍ରାଞ୍ଚ ଟିମ୍ । ଗତକାଲି ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କି ଭାଙ୍ଗି କିଛି କାଗଜପତ୍ର ଜବତ କରିଥିଲେ । ଉଦ୍ଧାର କାଗଜରେ ଲାଲ୍‌ ରଙ୍ଗ ସ୍ୟାହି ବା କାଳିରେ ଓଡ଼ିଆରେ କିଛି କଥା ଉଲ୍ଲେଖ ରହିଛି । ପ୍ରାୟ ସବୁ କାଗଜ ଓଦା ଓ ଟିକି ଟିକି ଖଣ୍ଡରେ ରହିଛି ଓ ପାଣିରେ ବତୁରି ଯାଇଥିବାରୁ ଅଧିକାଂଶ ଅକ୍ଷର ଅସ୍ପଷ୍ଟ ଦେଖାଯାଉଛି, ଯାହାକୁ ପଢ଼ିବା ଏତେ ସହଜ ନୁହେଁ । ଫରେନ୍‌ସିକ ଲାବୋରାଟୋରିକୁ ପଠାଯାଇ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞଙ୍କ ଦ୍ବାରା ଲିଭିଯାଇଥିବା ଅକ୍ଷର ପୁନରୁଦ୍ଧାର କରାଯିବା ସହିତ ଏହାକୁ ପରୀକ୍ଷା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ହେଲେ କ୍ରାଇମବ୍ରାଞ୍ଚ ଏହି କାଗଜ ରହସ୍ୟର ଉନ୍ମୋଚନ କରିବା ପରେ ସ୍ଥାନୀୟ ପୁଲିସର ଭୂମିକା ସନ୍ଦେହକୁ ଚାଲିଆସିଛି । ପ୍ରଶ୍ନ ଉଠୁଛି, ନବଙ୍କୁ ଗୁଳିମାରିବା ପରେ ପରେ ହିଁ ଝାରସୁଗୁଡ଼ା ପୁଲିସ ଗୋପାଳଙ୍କୁ ଘଟଣାସ୍ଥଳରୁ କାବୁ କରି ନେବା ସହିତ ବିମାନବନ୍ଦର ଥାନାକୁ ଆଣିଥିଲେ । ତାଙ୍କ ପକେଟ୍‌ରୁ ଗୁଳି ଜବତ କରାଗଲା ଓ ବନ୍ଧୁକ ଓ ମୋବାଇଲ୍ ଫୋନ୍ ବି । ହେଲେ ଗୋପାଳଙ୍କ ପାଖରେ ଥିବା ଏସବୁ କାଗଜ ସଂପର୍କରେ କେହି କେମିତି ଜାଣି ପାରିଲେନାହିଁ ?