ତୃତୀୟ ମହଲାକୁ ବୈଜୟନ୍ତଙ୍କ ଆକ୍ରମଣ ନେଇ ରାଜନୀତି ଜୋର । ମୁଖପାତ୍ରଙ୍କ ପ୍ରତିକ୍ରିୟା, ଲକ୍ଷ୍ମଣରେଖା ଟପି ସାରିଛନ୍ତି ସାଂସଦ

32

କନକ ବ୍ୟୁରୋ : ତୃତୀୟ ମହଲା, ବିଜେଡି ବନାମ ବୈଜୟନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଉପରେ ସୋସିଆଲ ମିଡିଆରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆକ୍ରମଣ ରାଜନୀତି ଜୋର ଧରିଛି । ଆଜି ଏ ନେଇ ବିଜେଡି ପୁଣି ମୁହଁ ଖୋଲିଛି । ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, ଦଳରେ ରହିବା ପାଇଁ ଲକ୍ଷ୍ମଣରେଖା ଦରକାର ଓ ସେ ଏହା ଟପି ସାରିଛନ୍ତି । ଅନ୍ୟ ଦଳକୁ ଧରିଲେ ବି ଚିନ୍ତା ନାହିଁ । ସେ ରୋକଠୋକ ଶୁଣାଇଛନ୍ତି- ଆମ ସପକ୍ଷବାଦୀଙ୍କ ସଂଖ୍ୟା ଏତେ ଅଧିକ ଯେ ବିରୋଧୀଙ୍କ କଥା ଚିନ୍ତା କରୁନା । ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ ପଦକ୍ଷେପ ନେବେ । ପ୍ରଥମ ଥର ଲାଗି ଦଳର ସଭାପତି ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉପରେ ସୋସିଆଲ ମିଡିିଆରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଘନ ଘନ ଆକ୍ରମଣ କରିଥିଲେ । ତୃତୀୟ ମହଲା ଉପରେ ବୈଜୟନ୍ତଙ୍କ ଟାର୍ଗେଟ୍ ପରେ, ଏ ନେଇ ପ୍ରତିକ୍ରିୟା ରଖିଥିଲେ ନବୀନ । ନବୀନଙ୍କ ପ୍ରତିକ୍ର୍ରିୟା ପରେ ତୃତୀୟ ମହଲାର ଅଧିକାରୀଙ୍କ ବିରୋଧରେ ପୁଣି ଥରେ ବର୍ଷିଥିଲେ ବୈଜୟନ୍ତ ।

ନିଶ୍ଚିନ୍ତ କୋଇଲିରେ ପାଣି ଟାଙ୍କି ଉଦଘାଟନ ସମୟରେ ବିଜେଡିର କର୍ମୀମାନେ କୌଣସି ବାଧା ଦେଇ ନଥିଲେ ଏବଂ ସାଂସଦ ସିଧା ସିଧା ପାଣି ଟାଙ୍କି ଉଦଘାଟନ କରିଥିଲେ । କିନ୍ତୁ ପାଣିଟାଙ୍କି ଉଦଘାଟନ ପରେ ତୃତୀୟ ମହଲାର ନିର୍ଦ୍ଦିଷ୍ଟ ଅଫିସରଙ୍କୁ ଟାର୍ଗେଟ କରିଥିଲେ । ଏପରିକି ବିଜୁ ତତ୍ତ୍ୱ କଥା ବି ମନେ ପକାଇ ଦେଇଥିଲେ । ବିଜୁ ବାବୁ କହିଥିଲେ ଯେଉଁ ଅଫିସର କାମ କରୁନାହିଁ ତାକୁ ମାଡ଼ ମାର । ଆଉ ପରୋକ୍ଷରେ ବୈଜୟନ୍ତ ଏଭଳି ଇସାରା କରିବାକୁ ପଛାଇ ନଥିଲେ । ଏହାସହ ବୈଜୟନ୍ତ କହିଥିଲେ କିଛି ଅଫିସର ଏବେ ନିଜ ଲକ୍ଷ୍ମଣ ରେଖା ଡେଇଁ ଦଳୀୟ କାର୍ୟ୍ୟକ୍ରମରେ ମୁଣ୍ଡ ପୂରାଉଛନ୍ତି । ସେହିଭଳି ନେତାଙ୍କୁ ସମ୍ମାନ ଦେବା ଆବଶ୍ୟକ ନାହିଁ ।

ତେବେ ବୈଜୟନ୍ତଙ୍କ ଏଭଳି ବୟାନକୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲା ବିଜେଡି । ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଦେବ ବି ଆଶଙ୍କା କରୁଥିଲେ ବିଜେପିରେ ଯୋଗ ଦେବାକୁ ଚାହୁଁଛନ୍ତି ବୈଜୟନ୍ତ । ସେଥିପାଇଁ ଏଭଳି ଯୁକ୍ତି ରଖିଛନ୍ତି ସାଂସଦ । କାରଣ ଅଫିସର ମାନେ ରାଜନୀତି କରୁଛନ୍ତି ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହୁଥିଲେ ଏବେ ବୈଜୟନ୍ତ କହୁଛନ୍ତି । ତେଣୁ ଦୁଇଜଣଙ୍କର ଏବେ ଗୋଟିଏ ସ୍ୱର ହୋଇଯାଇଛି । ବୈଜୟନ୍ତଙ୍କ ଏହି ବୟାନ ପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଛି । ଏନେଇ ପ୍ରତାପ ଦେବ କହିଛନ୍ତି, ବୈଜୟନ୍ତ ବିଜେପିରେ ମିଶିବେ କି ନାହିଁ ସେଇଟା ସେ କହିବେ । କିନ୍ତୁ ଯେହେତୁ ନିର୍ବାଚନ ପାଖେଇ ଆସିଲାଣି ତେଣୁ ଏଭଳି ବୟାନ ଆହୁରି ଦେଖିବାକୁ ମିଳିବ