ଆଖି ପିଛୁଳାକେ ଏଟିଏମରୁ ଟଙ୍କା ଗାୟବ ! ଚାଲାକ୍ ନହେଲେ ଚାଲିଯିବ ଆପଣଙ୍କ ଟଙ୍କା । ଭୁବନେଶ୍ୱରରେ ଧରାପଡ଼ିଲା ଧୂରନ୍ଧର ଏଟିଏମ୍ ଚୋର, ଏଟିଏମର କ୍ଲୋନ୍ କରି ଚୋରି କରୁଥିଲା ଟଙ୍କା ।

920

କନକ ବ୍ୟୁରୋ : ଆଖି ପିଛୁଳାକେ ଏଟିଏମରୁ ଟଙ୍କା ଗାୟବ ! ଚାଲାକ୍ ନହେଲେ ଚାଲିଯିବ ଆପଣଙ୍କ ଟଙ୍କା । ଧରା ପଡ଼ିଲା ଧୂରନ୍ଧର ଚୋର । ଅସମ୍ଭବକୁ ସମ୍ଭବ କରୁଥିବା ଏହି ମୋଷ୍ଟ ୱାଣ୍ଟେଡ୍ ଏବେ ପୁଲିସ୍ କବଜାରେ । ଏଟିଏମରୁ ଟଙ୍କା ଚୋରିର ଏଭଳି ଏକ ବାଟ ବାଛି ନେଇଥିଲା, ଯାହାକୁ ସାଧାରଣ ଲୋକ ଜାଣିବା ବେଶ କଷ୍ଟକର । ଏଟିଏମ୍ କ୍ଲୋନ୍ ବା ଏଟିଏମର ନକଲ କରି ଟଙ୍କା ଚୋରି କରୁଥିଲା ସମ୍ଭବ ଆଚାର୍ଯ୍ୟ । ଆଉ ଚୋରର ଚାଲାକି ଠିକ୍ ଧରାପଡ଼ିଲା ଯେତେବେଳେ ଇଏ ଶୁଭଶ୍ରୀଙ୍କ ସହ ମୁହାମୁହିଁ ହୋଇଥିଲା ।

ଏଭଳି କାଣ୍ଡ ଭିଆଇବାରେ ଧୂରନ୍ଧର ସମ୍ଭବ ଆଚାର୍ଯ୍ୟ । ମୋଷ୍ଟ ୱାଂଟେଡ ଠକ ସମ୍ଭବକୁ ଗିରଫ କରିଛି କମିଶନରେଟ୍ ପୁଲିସ । ରାଜଧାନୀ ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି । ଗିରଫ ସମ୍ଭବ ପାଖରୁ ପୁଲିସ ୧୦ରୁ ଅଧିକ ଏଟିଏମ୍ କାର୍ଡ ଓ ୪୦ରୁ ୪୫ ହଜାର ନଗଦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି ।

ପ୍ରାୟ ଅସମ୍ଭବ ଥିବା ଚୋରି କେମିତି କରୁଥିଲା ସମ୍ଭବ, ତାର ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ କନକ ନ୍ୟୁଜର ହସ୍ତଗତ ହୋଇଛି । ଲୋକଙ୍କୁ ସହାୟତା କରିବା ବାହାନାରେ କିମ୍ବା ପରାମର୍ଶ ଦେବା ବାହାନାରେ ଚୋରିର ପ୍ଲଟ୍ ପ୍ରସ୍ତୁତ କରୁଥିଲା ଏହି ମୋଷ୍ଟ ୱାଣ୍ଟେଡ୍ । ଏଭଳି ସ୍ଥିତିରେ ଆପଣ କେମିତି ଟଙ୍କା ଉଠାଣ ସୁରକ୍ଷିତ ଭାବେ କରିପାରିବେ, ସେ ସମ୍ପର୍କର୍ରେ ସୂଚନା ଦେଇଛନ୍ତି ବ୍ୟାଙ୍କ ମ୍ୟାନେଜର । ସେ କହିଛନ୍ତି, ଏଟିଏମ୍ ଅପେକ୍ଷା ୟୋନୋ କ୍ୟାସ୍ ବ୍ୟବହାର କରିବା ହିଁ ସୁରକ୍ଷିତ ।