୮୨ ଦିନ ପରେ ନୀଳଗିରି ବିଧାୟକଙ୍କୁ ପୁଣି କରୋନା ନେଇ ବରିଷ୍ଠ ଡାକ୍ତରଙ୍କ ପ୍ରତିକ୍ରିୟା । କହିଲେ, ପୁଣି ଥରେ ହୋଇଥାଇପାରେ ସଂକ୍ରମଣ, ବିଧାୟକଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିଏମସିର ଡାକ୍ତର ।

508

କନକ ବ୍ୟୁରୋ : କରୋନାରେ ପଜିଟିଭ ଚିହ୍ନଟ ହେବାର ୮୨ ଦିନ ପରେ ପୁଣିଥରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ପଜିଟିଭ୍ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବିଧାୟକ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ଡାକ୍ତର । ବିଏମସି ପକ୍ଷରୁ ଡାକ୍ତର ଯାଇ ସୁକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ତେବେ ତାଙ୍କ କ୍ଷେତ୍ରରେ କଣ ହୋଇଥାଇପାରେ ତାକୁ ନେଇ ଡାକ୍ତର ମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ପୁଣିଥରେ ସଂକ୍ରମଣ ହୋଇଥାଇପାରେ କିମ୍ବା ପୁରୁଣା ସଂକ୍ରମଣ ଠିକ୍ ଭାବରେ ତାଙ୍କ ଶରୀରରୁ ଯାଇନଥିବା ମଧ୍ୟ ସନ୍ଦେହ କରାଯାଉଛି । ପୂର୍ବରୁ ହଂକଂରେ ଏବଂ ଭାରତର ବାଙ୍ଗାଲୋରରେ ପୁଣିଥରେ ସଂକ୍ରମଣର ନଜିର ରହିଛି ।

ନୀଳଗିରି ବିଧାୟକ ସୁକାନ୍ତ ନାୟକ ୮୨ ଦିନ ପରେ ପୁଣି ଥରେ ପଜିଟିଭ ଚିହ୍ନଟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ତାଙ୍କୁ ପୁଣିଥରେ ସଂକ୍ରମଣ ହୋଇଛି ନା ପୁରୁଣା ସଂକ୍ରମଣ ଏବେ ବି ଛାଡିନାହିଁ, ତାହା ତର୍ଜମାର ବିଷୟ । କିନ୍ତୁ ବିଧାୟକ ନାୟକଙ୍କୁ, ଗତ ସେପ୍ଟେମ୍ବର ୧୨ ତାରିଖରୁ ପୁଣି ଜ୍ୱର ଆସୁଛି । ଅଢେଇ ମାସ ତଳେ ଜୁଲାଇ ୬ ତାରିଖରେ ସେ ପ୍ରଥମେ ପଜିଟିଭ ଚିହ୍ନଟ ହୋଇଥିଲେ । ଅବଶ୍ୟ ସେତେବେଳେ ତାଙ୍କୁ କୌଣସି ଲକ୍ଷଣ ଆସିନଥିଲା । କିନ୍ତୁ ଏବେ ତାଙ୍କ ଠାରେ ଲକ୍ଷଣ ଦେଖିବାକୁ ମିଳୁଛି ।

ପୁଣି ଥରେ ପଜିଟିଭ ଚିହ୍ନଟ ହେବା ପରେ ସୁକାନ୍ତଙ୍କ ଘରକୁ ବିଏମସି ପକ୍ଷରୁ ଡାକ୍ତର ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ଏପଟେ ରାଜ୍ୟର ବରିଷ୍ଠ ଚିକିତ୍ସକମାନେ କହୁଛନ୍ତି, ବିଧାୟକଙ୍କୁ ପୁଣିଥରେ ସଂକ୍ରମଣ ହୋଇଥାଇପାରେ, କିମ୍ବା ପୁରୁଣା ସଂକ୍ରମଣର ମୃତ ଭୂତାଣୁ ଶରୀରରେ ରହିଥିବାରୁ ପଜିଟିଭ ଆସୁଛି ।

ପୂର୍ବରୁ ହଂକଂ ଓ ଭାରତର ବାଙ୍ଗାଲୋର ସମେତ କିଛି ସ୍ଥାନରେ କିଛି ମାସ ପରେ ଦ୍ୱିତୀୟ ବାର କରୋନା ସଂକ୍ରମଣ ହୋଇଥିବାର ପ୍ରମାଣ ମିଳିଛି । ପ୍ରଥମ ସଂକ୍ରମଣ ଓ ଦ୍ୱିତୀୟ ସଂକ୍ରମଣର ଭାଇରସ ଭିନ୍ନ ପ୍ରକାରର ଥିଲେ । ତେଣୁ ଦ୍ୱିତୀୟ ବାର ସଂକ୍ରମଣ ହୋଇଥିଲା ବୋଲି ପ୍ରମାଣ ମିଳିଥିଲା ।

ଦୁଇ ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି, ଭାରତରେ ଖୁବ କମ୍ ସଂଖ୍ୟାରେ ପୁଣି ଥରେ ସଂକ୍ରମଣର ରିପୋର୍ଟ ଆସୁଛି । କିନ୍ତୁ ଏହି ପ୍ରସଙ୍ଗରେ ଅଧିକ ଗବେଷଣା ଚାଲିଛି ଏବଂ ଏଯାଏଁ ଦ୍ୱିତୀୟ ସଂକ୍ରମଣ ମାରାତ୍ମକ ହେଉନଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।