ଓଡିଶା ପାଇଁ ଅଙ୍କ କଷୁଛନ୍ତି ବିଜେପି ଚାଣକ୍ୟ । ମୋଦିଙ୍କ ପରେ ଆସୁଛନ୍ତି ଅମିତ ଶାହା, ପ୍ରତିଷ୍ଠା ଦିବସରେ ବଳ ଦେଖାଇବା ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି

145

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳକୁ ଶକ୍ତ ଧକ୍କା ଲାଗିବା ପରେ ବିଜେପି ଫୋକସରେ ଓଡିଶା । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ବିଶାଳ ଜନସମାବେଶ କରୁଥିବା ବେଳେ ଫେବୃୟାରୀ ୨ରେ ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା । ଏପଟେ ମୋଦିଙ୍କ ଗସ୍ତର ଠିକ୍ ପରେ ଏବଂ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆସନ୍ତା ୨୬ ତାରିଖରେ ବିଜେଡି ପାଳନ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବି ଚଳିତ ମାସ ଶେଷ କିମ୍ବା ଆସନ୍ତାମାସ ପ୍ରଥମ ସପ୍ତାହରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି ।

ହିନ୍ଦୀ ହାଟ୍ ଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ବିଜେପିକୁ ମିଳିଥିବା ଝଟକା, ଦଳକୁ ଯେତିକି ବଡ ଶିକ୍ଷା ଦେଇଛି, ତାଠୁ ଅଧିକ ୨୦୧୯ ପାଇଁ ଆହ୍ୱାନ ସୃଷ୍ଟି କରିଛି । ହିନ୍ଦୀ ଭାଷାଭାଷୀ ଅଂଚଳ ହାତରୁ ଯିବା ପରେ ଏବେ ଅଣ ହିନ୍ଦୀ ଇଲାକା ଉପରେ ରହିଛି ବିଜେପିର ନଜର । ଆଉ ଏହି କ୍ରମରେ ଓଡ଼ିଶା ଆସୁଛି ପ୍ରଥମ ସ୍ଥାନରେ ।

ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ବିଶାଳ ଜନସମାବେଶ କରୁଥିବା ବେଳେ ଫେବୃୟାରୀ ୨ରେ ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା । ମୋଦିଙ୍କ ସମାବେଶର ଠିକ୍ ପରେ ପରେ ଭୁବନେଶ୍ୱରରେ ଆୟୋଜିତ ହେବ ବିଜେପି ଜନଜାତି ମୋର୍ଚ୍ଚାର ଦୁଇ ଦିନିଆ ମହାଅଧିବେଶନ । ବିଜେପିର ତୁଙ୍ଗ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ଏବଂ ଓଡ଼ିଶାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ ହିଁ ସ୍ପଷ୍ଟ କରୁଛି, ବିଜେପି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶାର ୨୧ଟି ଲୋକସଭା ଆସନ ।

ଏପଟେ ମୋଦିଙ୍କ ଗସ୍ତର ଠିକ୍ ପରେ ଏବଂ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆସନ୍ତା ୨୬ ତାରିଖରେ ବିଜେଡି ପାଳନ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ । ମୋଦି ଏବଂ ଶାହାଙ୍କ ଗସ୍ତ ଭିତରେ ଏହି ପ୍ରତିଷ୍ଠା ଦିବସ ପଡୁଥିବାରୁ ବିଜେଡି ଏହି କାର୍ଯ୍ୟକ୍ରମକୁ ଅସ୍ତ୍ର ଭଳି ବ୍ୟବହାର କରିପାରେ । ଏପଟେ ବିଜେପି କହିଛି- ବିକାଶର ମୁଦ୍ଦା ନେଇ ଆସୁଛନ୍ତି ମୋଦି ।

ବିଜେଡି ବିଜେପିର ଏହି ଲଢ଼େଇ ଭିତରେ କଂଗ୍ରେସ ବି ପଛରେ ପଡ଼ିନି । ଚଳିତ ମାସ ଶେଷ ସପ୍ତାହ କିମ୍ବା ଆସନ୍ତାମାସ ପ୍ରଥମ ସପ୍ତାହରେ, ୩ଟି ରାଜ୍ୟରେ ବିଜୟବାନା ଉଡାଇ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।