ଭୟ ବଢାଉଛି ବାତ୍ୟା ‘ପେଥାଇ’ ! ବିଲରେ ଧାନ, ଚିନ୍ତାରେ ଚାଷୀ ।

137

କନକ ବ୍ୟୁରୋ : ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ଉପକୂଳରେ ସ୍ଥଳଭାଗକୁ ଛୁଇଁବ । ହେଲେ ଏହାର ପ୍ରଭାବରେ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଆଉ ଏହି ବର୍ଷାରେ ଚାଷୀ ମନରେ ଛନକା ପଶିଛି । ବର୍ଷଯାକର ପରିଶ୍ରମ ଯେପରି ବର୍ଷାରେ ବୁଡିନଯାଏ, ସେଥିପାଇଁ ଅମଳ ଫସଲକୁ ସାଇତି ରଖିବାରେ ଲାଗିପଡିଛି ଚାଷୀ ।

ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଦକ୍ଷିଣ ଓଡିଶାର ମାଲକାନଗିରି, କଳାହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳରେ ଝିପ୍ ଝିପ୍ ବର୍ଷା ଜାରି ରହିଛି । ଆଉ ଏହି ବର୍ଷା ନିଦ ହଜାଇଦେଇଛି ଚାଷୀର । ଧାନ ଅମଳ ସମୟରେ ବର୍ଷା ଯୋଗୁଁ ଚାଷୀ ମନରେ ଛନକା ପଶିଛି । ତରତର ହୋଇ ଚାଷୀ ଅମଳ ଧାନକୁ କାଟିବାରେ ବ୍ୟସ୍ତ ।

ଖଳାରେ ପଡିରହିଛି ପାଚିଲା ଧାନ । ଅମଲ ଫସଲକୁ କିଭଳି ସାଇତି ରଖିବ ସେହି ଚିନ୍ତା ଘାରିଛି ଚାଷୀକୁ । ଯାହାକୁ ମୂଲିଆ ମିଳିଲା ସେ, ଧାନକୁ ବିଲରୁ ଖଳାକୁ ଆଣିଛି । ଆଉ ଯାହାକୁ ନମିଳିଲା ସେ, ବିଲରେ ହିଁ ପାଲ ଘୋଡାଇ ରଖିବାକୁ ଉଦ୍ୟମ କରୁଛି । ଏପଟେ ମଣ୍ଡିରେ ବି ଖୋଲା ଆକାଶ ତଳେ ଧାନ ବସ୍ତା ପଡିରହିଛି ।

ଏପଟେ ଡାକବାଜି ଯନ୍ତ୍ରରେ ଚାଷୀଙ୍କୁ ସତର୍କ କରାଯାଉଛି । ବର୍ଷା ଆରମ୍ଭ ହୋଇଯାଇଥିବାରୁ ଆଉ ଧାନ ନ କାଟିବାକୁ ପ୍ରଶାସନ ପରାମର୍ଶ ଦେଉଛି । ବିଲ ଏବଂ ଖଳାରେ ପାଚିଲା ଧାନକୁ ଘୋଡାଇ ରଖିବାକୁ କୁହାଯାଇଛି । ଦୁଇ ମାସ ତଳେ ବାତ୍ୟା ତିତଲି ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବିଲରେ ପାଣି ମାଡିଯାଇଥିଲା । ଯାହା କିଛି ଅମଳ ହୋଇଥିଲା ଏବେ ସେତକ ବି ବର୍ଷାରେ ବୁଡିବାକୁ ବସିଛି ।