ଆନ୍ଧ୍ର ମୁହାଁ ବାତ୍ୟା, ଓଡ଼ିଶାରେ ବର୍ଷା ! ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ ବାତ୍ୟା ‘ପେଥାଇ’ ।

524

କନକ ବ୍ୟୁରୋ : ତିତଲି ପରେ ଆଉ ଏକ ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ମୁହାଁ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଷ୍ଟର୍ମ ଆସନ୍ତା ୬ଘଂଟା ଭିତରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି । ଏହା ଆସନ୍ତାକାଲି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କାକିନାଡା ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଂଟାପ୍ରତି ୯୦ରୁ ୧୧୦ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ପେଥାଇ, ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ବେଗ ରହିଛି ଘଂଟାପ୍ରତି ୧୯ କିଲୋମିଟର । ଆସନ୍ତା ୬ ଘଂଟା ମଧ୍ୟରେ ପେଥାଇ, ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପେଥାଇ, ଆସନ୍ତା ୧୭ ତାରିଖ ଅପରାହ୍ନରେ, ଆନ୍ଧ୍ରର ମଛଲିପଟ୍ଟନମ୍ ଓ କାକିନାଡା ମଧ୍ୟରେ ସ୍ଥଳ ଭାଗ ଛୁଇଁବ ।

ପାଖଉଛି ‘ପେଥାଇ’ । ୧୧୦ କିଲୋମିଟର ଯାଏଁ ବହିପାରେ ପବନ । କେତେବେଳେ ଗତି ବଦଳାଉଛି ତ ଆଉ କେତେବେଳେ ଦିଗ ବଦଳାଉଛି ସାଇକ୍ଲୋନିକ ଷ୍ଟର୍ମ । ଆଇଏମଡି ଆକଳନ କରିଛି, ସ୍ଥଳଭାଗ ଛୁଇଁବା ପୂର୍ବରୁ ଏବଂ ଉପକୂଳ ଅତିକ୍ରମ କରିବା ବେଳେ ସାମୁଦ୍ରିକ ଝଡ ଅଳ୍ପ ଦୁର୍ବଳ ହୋଇଯିବ । ତଥାପି ସେତେବେଳେ ଏହାର ବେଗ ଘଂଟାପ୍ରତି ୯୦ ରୁ ୧୧୦ କିଲୋମିଟର ରହିବା ସମ୍ଭାବନା ରହିଛି । ସାମୁଦ୍ରିକ ଝଡର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବର୍ଷା ଆରମ୍ଭ ହୋଇସାରିଛି । ସକାଳୁ ଝିପ୍ ଝିପ୍ ବର୍ଷା ଲାଗିରହିଛି । ପେଥାଇର ପ୍ରଭାବ, ଆନ୍ଧ୍ରର ଉପକୂଳ ଜିଲ୍ଲା ଗୁଂଟୁର, କୃଷ୍ଣା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ ଓ ବିଶାଖାପଟ୍ଟନମରେ ପଡିବା ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀକୁ ମଧ୍ୟ ବାତ୍ୟା ଅଳ୍ପ ପ୍ରଭାବିତ କରିବ ।