ଟିମ୍ ଇଣ୍ଡିଆର କୋଚ୍ ହେବାକୁ ବିସିସିଆଇ ଦେଇଥିଲା ଅଫର୍, ମନା କରିଦେଲେ ବିଶ୍ୱକପ ବିଜେତା ଅଧିନାୟକ ।

418

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇପାରନ୍ତି ରାହୁଲ ଦ୍ରାବିଡ । ଟି-୨୦ ବିଶ୍ୱକପ୍ ପରେ ମୁଖ୍ୟ କୋଚ୍ ପଦ ଛାଡିବେ ରବି ଶାସ୍ତ୍ରୀ । ତେବେ ଦ୍ରାବିଡଙ୍କୁ କୋଚ୍ ଭାବେ ବାଛିବା ପୂର୍ବରୁ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ରିକି ପଣ୍ଟିଂକୁ ଯୋଗାଯୋଗ କରିଥିଲା ବିସିସିଆଇ । ତେବେ ବିସିସିଆଇର ପ୍ରସ୍ତାବକୁ ରିକି ପଣ୍ଟିଂ ଗ୍ରହଣ କରିନଥିଲେ । ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ରହିଛନ୍ତି । ଆଉ ତାଙ୍କ କୋଚିଂ ସମୟରେ ଦିଲ୍ଲୀ ଗତ ୩ ବର୍ଷରେ ପ୍ଲେ ଅଫରେ ଖେଳିଛି ଏବଂ ୨୦୨୦ରେ ରନର୍ସ ଅପ ମଧ୍ୟ ରହିଛି । ତେଣୁ ପଣ୍ଟିଂଙ୍କ ଭଳି ଜଣେ ଦକ୍ଷ ପ୍ରଶିକ୍ଷକଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରିବାକୁ ଚାହୁଁଥିଲା ବିସିସିଆଇ । କିନ୍ତୁ ପଣ୍ଟିଂ ଏହି ପ୍ରସ୍ତାବରେ ରାଜି ନ ହେବାରୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇର କୋଚ୍ ପ୍ରସ୍ତାବକୁ ପଣ୍ଟିଂ କାହିଁକି ଗ୍ରହଣ କରିନାହାନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ରାହୁଲ ହିଁ ଏକମାତ୍ର ଯୋଗ୍ୟ ପ୍ରାର୍ଥୀ ଥିଲେ କିନ୍ତୁ ତାଙ୍କୁ କିଭଳି ରାଜି କରାଯିବ ତାହା ବିସିସିଆଇ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । ଦ୍ରାବିଡ ମୁଖ୍ୟ କୋଚ୍ ପାଇଁ ପ୍ରସ୍ତୁତ ନଥିଲେ କିନ୍ତୁ ବିସିସିଆଇ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ପରେ ଏହି ପ୍ରସ୍ତାବରେ ରାଜି ହୋଇଥିବା କୁହାଯାଉଛି । ୪୮ ବର୍ଷୀୟ ଦ୍ରାବିଡ ଗତ ୬ ବର୍ଷ ହେବ ଭାରତ-ଏ ଓ ୧୯ ବର୍ଷରୁ କମ ଟିମର ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହାଛଡା ଏନସିଏର ମୁଖ୍ୟ ରହିଛନ୍ତି ଦ୍ରାବିଡ । ଏବେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଅଧିକାଂଶ ଖେଳାଳୀ ଦ୍ରାବିଡଙ୍କ ତତ୍ୱାବଧାନରେ କୋଚିଂ ନେଇଛନ୍ତି । ।ତେଣୁୁ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦ୍ରାବିଡଙ୍କୁ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ସେହିଭଳି ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ସହ ବାର୍ଷିକ ୧୦ କୋଟି ଟଙ୍କା ପାରିଶ୍ରମିକ ଦ୍ରାବିଡଙ୍କୁ ମିଳିବ ବୋଲି କୁହାଯାଉଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜ ପୂର୍ବରୁ ଦ୍ରାବିଡ ଦାୟିତ୍ୱ ଗ୍ରହଣ କରିବେ ବୋଲି କୁହାଯାଉଛି ।