ଶ୍ରୀକ୍ଷେତ୍ରରେ ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି : ଆସନ୍ତାକାଲି ନିଳାଦ୍ରୀ ବିଜେ ସହ ଶେଷ ହେବ ରଥଯାତ୍ରା

84

କନକ ବ୍ୟୁରୋ : ସୁନାବେଶ ଦର୍ଶନ ପରେ ଦ୍ୱାଦଶୀ ତିଥୀରେ ଆଜି ରଥାରୂଢ ଶ୍ରୀବିଗ୍ରହଙ୍କୁ ରଥ ଉପର ଅଧରପଣା ଲାଗି ହୋଇଛି । ଅଧର ନୀତି ସହ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚର ତୁମ୍ବରେ ପଣା ପ୍ରସ୍ତୁତ କରାଯାଇଥିଲା । ଶ୍ରୀଜୀଉଙ୍କୁ ଏହା ଲାଗି ହେଲା ପରେ ଭାଙ୍ଗି ଦିଆଯାଇଛି । ବିଶ୍ୱାସ ଅଛି ଅଶରୀରମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରପଣା ହାଣ୍ଡି ଭଙ୍ଗା ଯାଇଥାଏ । ରଥର ପାଶ୍ୱର୍ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବାକୁ ଚଣ୍ଡୀ ଚାମୁଣ୍ଡାମାନେ ଘୁରି ବୁଲୁଥିବାରୁ ପଣା ପରିପୂର୍ଣ୍ଣ ଅଧର ହାଣ୍ଡି ଭାଙ୍ଗି ସେମାନଙ୍କୁ ଉତ୍ସର୍ଗ କରାଯାଏ ବୋଲି କଥିତ ରହିଛି । ଆସନ୍ତାକାଲି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସଂପନ୍ନ ହେବ । ଚତୁର୍ଦ୍ଧା ମୂରତି ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଏହା ସହ ରଥଯାତ୍ରାର ନୀତି ଶେଷ ହେବ ।

ସେପଟେ ସୁପ୍ରିମକୋର୍ଟର ନିର୍ଦ୍ଦେଶ, ମନ୍ଦିର ପ୍ରଶାସନର ବ୍ୟବସ୍ଥାକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି ସେବାୟତ । ଆଜି ରଥାରୁଢ ଦିଅଁଙ୍କ ଅଧରପଣା ନୀତି ଚାଲିଥିବା ବେଳେ ରଥ ଆଗରେ ଥାଳି ରଖି ଦାନ ଗ୍ରହଣ କରୁଛନ୍ତି ସେବାୟତ । ଭକ୍ତଙ୍କ ଦାନ କେବଳ ହୁଣ୍ଡିକୁ ଯିବ, କୌଣସି ସେବାୟତଙ୍କୁ ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଭକ୍ତଙ୍କ ଦାନ ଗ୍ରହଣ କରିବା ପାଇଁ ମନ୍ଦିର ପ୍ରଶାସନ ୧୨ଟି ହୁଣ୍ଡି ସ୍ଥାପନ କରିବା ନେଇ ନିଷ୍ପତ୍ତି ନେଇ ଥିବା ବେଳେ ଆଜି ରଥ ଆଗରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।