ପୁଣି ଦେଶରେ ବଢିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୭ ହଜାରରୁ ଅଧିକ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ କେବଳ କେରଳରୁ ଚିହ୍ନଟ ।

110

କନକ ବ୍ୟୁରୋ: ଦେଶରେ ଜାରି ରହିଛି କରୋନା ସଙ୍କଟ । ପୁଣି ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ଆଉ ଗତ ୨୪ ଘଣ୍ଟାର ସଂକ୍ରମଣ ହାର କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଗତ ୨ ମାସ ଭିତରେ ସବୁଠାରୁ ଅଧିକ । ତେବେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ଆକ୍ରାନ୍ତ କେବଳ କେରଳରୁ ଚିହ୍ନଟ ହୋଇଛନ୍ତି ।

କେରଳ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ୮୫ ପ୍ରତିଶତ ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହିଛନ୍ତି । ଯେଉଁମାନଙ୍କ ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ସେପଟେ କେରଳ ସଂକ୍ରମଣ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟରେ ଏତେ ମାତ୍ରାରେ ଲୋକେ ସଂକ୍ରମିତ ହେଉଥିବାବେଳେ କେରଳ ସରକାର କେନ୍ଦ୍ର ସରକାଙ୍କ ଉପଦେଶ ପାଳନ କରୁନଥିବା ଜଣା ପଡିଛି । ଫଳରେ ୨ ମାସ ପରେ ସଂକ୍ରମଣ ହାର ସର୍ବାଧିକ ହୋଇଥିବା ରିପୋର୍ଟ ହୋଇଛି ।

  • ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମଣ ହାର ୧୨% ବୃଦ୍ଧି
  • ଦେଶରେ ମୋଟ୍ ୪୭,୦୯୨ଜଣ ସଂକ୍ରମିତ ହୋଇଥିବାବେଳେ ଏଥିରୁ ୩୨,୮୦୩ ଜଣ ଆକ୍ରାନ୍ତ କେରଳରୁ ଚିହ୍ନଟ
  • ଦେଶରେ ଗତ ୨୪ ଘଣ୍ଟାରେ ୫୦୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି
  • କେବଳ କେରଳରୁ ୧୭୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି କେରଳରେ ମୋଟ୍ ସଂକ୍ରମିତ ସଂଖ୍ୟା ୪୦,୯୦,୦୩୬
  • ରାଜ୍ୟରେ ସଂକ୍ରମଣ ହାର ୧୮.୭୬%

କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦେଶରେ ଦୈନିକ ସଂକ୍ରମଣ ହାର ୨.୮୦% ରହଛି । ସେହିପରି ସକ୍ରିୟ ମାମଲା ହାର ୧.୧୯%ରହିଛି । ଦେଶରେ ବର୍ତମାନ ୩,୮୯,୫୮୩ ସକ୍ରିୟ ମାମଲା ରହିଛି । ସେହିପରି ସୁସ୍ଥ ହାର ୯୭.୪୮% ରହିଛି । ଗତ ୨୪ ଘଣ୍ଟାରେ ୩୪,୧୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୦ ଲକ୍ଷ ୨୮ ହଜାର ୮୫୨ଜଣ କରୋନାରୁ ସୁସ୍ଥ ହୋଇ ସାରିଲେଣି । ସେହିପରି ମାରାତ୍ମକ କରୋନାରେ ଦେଶରେ ମୋଟ୍ ୪ ଲକ୍ଷ ୩୯ ହଜାର ୫୨୯ କରୋନାରେ ପ୍ରାଣ ହରାଇ ସାରିଲେଣି ।

କରୋନା ମହାମାରୀ ସହ ଲଢେଇ ପାଇଁ ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜୋର ଦାର ରହିଛି । ଗତ ୨୪ ଘଣ୍ଟାରେ ୮୧,୦୯,୨୪୪ ଜଣ କରୋନା ଟିକା ନେଇଛନ୍ତି । ଏହାରି ସହିତ ଦେଶରେ ମୋଟ ୬୬କୋଟି ୩୦ଲକ୍ଷରୁ ଅଧିକ ଲୋକ କରୋନା ଟିକା ନେଇ ସାରିଲେଣି । ତେବେ ଚିନ୍ତାର ବିଷୟ ଏହା କି କରୋନା ଟିକା ନେଇଥିବା ସତ୍ତେ୍ୱ ଲୋକେ ସଂକ୍ରମିତ ହେଉଛନ୍ତି ।