ମୋବାଇଲ ନମ୍ବର ଅପଡେଟ କରିବାକୁ ଫୋନ୍ କଲେ, ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଲେ । ଓଟିପି ମିଳିବା ମାତ୍ରେ ଆକାଉଣ୍ଟରୁ ଚଳୁ କରିଦେଲେ ୪୬ ହଜାର ଟଙ୍କା ।

102

କନକ ବ୍ୟୁରୋ :  ବ୍ୟାଙ୍କ୍‌ ଆକାଉଣ୍ଟ ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ଅପଡେଟ୍ କରାଇବା ନାଁରେ ଜଣେ ଯୁବତୀଙ୍କ ଠାରୁ ସାଇବର ଠକ ପ୍ରାୟ ୪୬ ହଜାର ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ହୋଇଥିବା ଯୁବତୀ ହେଉଛନ୍ତି, ଜାଗମରା ପଞ୍ଚସଖାନଗରର ବିଶ୍ୱରୂପା ସାହୁ। ଏନେଇ ସେ ଆଜି ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବିଶ୍ୱରୂପାଙ୍କ ପାଖରୁ ସାଇବର ଠକ ୩ଟି ପର୍ଯ୍ୟୟରେ ୪୬ହଜାର ୪ଶହ ଟଙ୍କା ଠକି ନେଇଛନ୍ତି।

ବିଶ୍ୱରୂପାଙ୍କ ଭାଇ ନାରାୟଣଙ୍କ କହିବାନୁଯାୟୀ, ତାଙ୍କ ସାନଭଉଣୀ ଗତ ୪ତାରିଖ ଖଣ୍ଡଗିରିସ୍ଥିତ ଏକ ବ୍ୟାଙ୍କକୁ ନିଜ ମୋବାଇଲ ନମ୍ବର ଅପଡେଟ୍ କରାଇବାକୁ ଯାଇଥିଲା। ଏହାର ୨ଦିନ ପରେ ଭଉଣୀ ମୋବାଇଲକୁ ଏକ ନମ୍ବର (୭୬୯୯୦୯୩୯୧୫)ରୁ କଲ୍ ଆସିଥିଲା। ଏହା ପରେ କଲ୍ କରିଥିବା ଯୁବକ ତାଙ୍କୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପରିଚୟ ଦେବା ସହିତ ସେ ମୋବାଇଲ ନମ୍ବର ଅପଡେଟ୍ କରାଇବା ପାଇଁ କରିଥିବା ଆବେଦନ ସଂପର୍କରେ ସୂଚନା ଦେଇଥିଲା। ଅପଡେଟ୍ କରାଇବାକୁ ହେଲେ ମୋବାଇଲକୁ ଯାଇଥିବା ଓଟିପି ନମ୍ବର ଦେବାକୁ ହେବ ବୋଲି ସାଇବର ଠକ ବିଶ୍ୱରୂପାଙ୍କୁ କହିଥିଲା। ଠକର କହିବାନୁଯାୟୀ, ବିଶ୍ୱରୂପା ଆସିଥିବା ୪ନମ୍ବର ବିଶିଷ୍ଟ ଓଟିପି ଦେବା ପରେ ଅଧଘଣ୍ଟା ମଧ୍ୟରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୪୬ହଜାର ୪ଶହ ଟଙ୍କା କଟିଯାଇଥିଲା। କେବଳ ଗୋଟିଏ ବ୍ୟାଙ୍କ ନୁହେଁ ଆଉ ଏକ ଘରୋଇ ବ୍ୟାଙ୍କକୁ ଉକ୍ତ ନମ୍ବର ସହିତ ସଂଯୋଗ କରାଇ ଲୁଟ୍ ହୋଇଥିବା ନାରାୟଣ କହିଛନ୍ତି।

ଏନେଇ ସାଇବର ବିଶେଷଜ୍ଞ କହିଛନ୍ତି, ଏଭଳି ଠକେଇ ସାଧାରଣତଃ ବ୍ୟାଙ୍କରୁ ତଥ୍ୟ ଲିକ୍ ନଚେତ୍ ସାଇବର ଠକ ନେଟୱର୍କ ପେନିଟ୍ରେସନ୍ କରିବା ଯୋଗୁଁ ହୋଇଥାଏ। ମାତ୍ର ଉପରୋକ୍ତ ଘଟଣାରେ ନେଟୱର୍କ ପେନିଟ୍ରେସନ ଅର୍ଥାତ୍ ଯୁବତୀ ଅନଲାଇନ୍‌ରେ କଷ୍ଟମର୍ କେୟାର୍ ନମ୍ବର ଖୋଜି ଯୋଗାଯୋଗ କରି ମୋବାଇଲ ନମ୍ବର ଅପଡେଟ୍ କରାଇବା ପାଇଁ ଆବେଦନ କରିନାହାନ୍ତି। ବରଂ ସେ ନିଜେ ବ୍ୟାଙ୍କକୁ ଯାଇ ଅପଡେଟ୍ ପାଇଁ ଆବେଦନ କରିଛନ୍ତି। ତେଣୁ ଯୁବତୀଙ୍କ ତଥ୍ୟ ଲିକ୍ ସମ୍ଭବତଃ ବ୍ୟାଙ୍କରୁ ହୋଇଥାଇପାରେ ବୋଲି ସେ କହିଛନ୍ତି। ତେଣୁ ଏହି ଠକେଇରୁ ବର୍ତ୍ତିବା ପାଇଁ ହେଲେ, ଅଜଣା ନମ୍ବରରୁ ଆସୁଥିବା ଫୋନ୍ କଲ୍ ରିସିଭ୍‌ ବା ଓଟିପି କାହାକୁ ଦିଅନ୍ତୁ ନାହିଁ। କାରଣ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏହି ଉପାୟରେ କୌଣସି କାର୍ଯ୍ୟ କରନ୍ତି ନାହିଁ ବୋଲି ସେ ସୂଚନା ଦେଇଛନ୍ତି।