ମଲା ପରେ ବି ମା’ର ମୃତଦେହ ପାଖକୁ ଆସିଲେନି ୩ ପୁଅ: ଝିଅ-ଜ୍ୱାଇଁ କାନ୍ଧରେ ମଶାଣି ଗଲା ମା’ର କୋକେଇ

182

କନକ ବ୍ୟୁରୋ: ପଚାରିଲେ ନାହିଁ ପୁଅ, ଝିଅ କାନ୍ଧରେ ମା’ର ଶେଷ ଯାତ୍ରା । ମା’ର ମୃତ୍ୟୁ ଖବର ଶୁଣିବି ଆସିଲେ ନାହିଁ ପୁଅ-ବୋହୂ କି ନାତୀ ନାତୁଣୀ । ଏମିତିକି ନିଜ ଗାଁ ମଶାଣିରେ ଶବଦାହ କରିବାକୁ ଦେଲେ ନାହିଁ । ଶେଷରେ ଝିଅ-ଜ୍ୱାଇଁଙ୍କ କାନ୍ଧରେ ମଶାଣି ଗଲା ମାଆର ଶବ । ଏବଂ ଝିଅ ଘର ଗାଁର ମଶାଣିରେ ଜଳିଲା ମାଆର ଜୁଇ । ମାଆ ମୁହଁରେ ମୁଖାଗ୍ନୀ ଦେଇ ମାଆ-ଭଉଣୀଙ୍କୁ ଦୁର୍ବଳ ଭାବୁଥିବା ସ୍ୱାର୍ଥପୁର ପୁଅଙ୍କ ମୁହଁରେ ଶକ୍ତ ଚାପୁଡା ଦେଇଛନ୍ତି କେନ୍ଦୁଝରର ଝିଅ ନିରାଶ ନାୟକ ।

ଯେବେ ପୁଅମାନଙ୍କ ପାଇଁ ଅଲୋଡା ହୋଇଯାଏ ଜଣେ ମାଆ, ଯେବେ ମାଆର ନିର୍ଭେଜାଲ ଭଲପାଇବା ଓ ଦୁଃଖ କଷ୍ଟକୁ ଭୁଲି ଯାଆନ୍ତି ସ୍ୱାର୍ଥପର ପୁଅ, ସେତେବେଳେ ମାଆ ପାଇଁ ଠିଆ ହୁଏ ଝିଅ । ମାଆର ଲୁହ ପୋଛି ଦିଏ, ପାଖରେ ରଖି ବର୍ଷ ବର୍ଷ ଧରି ସେବାଯତ୍ନ କରେ । ଶେଷରେ ମାଆ ମୁହଁରେ ମୁଖାଗ୍ନୀ ଦେଇ ଗାଁ ମଶାଣିରେ ମାଆକୁ ସବୁଦିନ ପାଇଁ ବିଦାୟ ଦେଇଛି ଝିଅ । କେନ୍ଦୁଝର ଜିଲ୍ଲାରେ ସେମିତି ଏକ ଘଟଣା ଘଟିଛି ।

୮୦ ବର୍ଷରେ ଆରପାରିକୁ ଚାଲିଯାଇଛନ୍ତି କେନ୍ଦୁଝର ଯୋଡାର ମରସୁଆଁର ଅପୂର୍ବା ନାୟକ । ଅପୂର୍ବାଙ୍କର ପୁଅ-ବୋହୂ ନାତି ନାତୁଣୀ ସମସ୍ତେ ଅଛନ୍ତି । କିନ୍ତୁ ପରିଣତ ବୟସରେ ମା’ ପୁଅମାନଙ୍କ ପାଇଁ ବୋଝ ପାଲଟିଗଲେ । ପୁଅମାନେ ହତାଦର କରିବାରୁ ଅପୂର୍ବା ସଲେଇକେନାରେ ଥିବା ନିଜ ଝିଅ ନିରାଶଙ୍କ ଘରେ ରହୁଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ର ଶେଷ ଯାତ୍ରାରେ ସାମିଲ ହେବା ପାଇଁ ପୁଅମାନଙ୍କୁ ଖବର ଦିଆଯାଇଥିଲା, ହେଲେ ସେମାନେ ଆସିଲେ ନାହିଁ । ଶେଷରେ ସ୍ଥାନୀୟ ସରପଂଚ ଓ ପଡୋଶୀଙ୍କ ସହଯୋଗରେ ଅପୂର୍ବାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଝିଅ ନିରାଶ ଓ ଜ୍ୱାଇଁ ସତ୍ୟାନନ୍ଦ ନାୟକ ମିଶି ମାଆଙ୍କ କୋକେଇ କାନେ୍ଧଇବା ଠାରୁ ଆରମ୍ଭ କରି ମୁଖାଗ୍ନୀ ଦେବା ଯାଏଁ ସବୁ କାମ ମିଳିମିଶି କରିଛନ୍ତି । ଆଉ ଆଜିର ସମାଜରେ ଥିବା କିଛି ସ୍ୱାର୍ଥପର ପୁଅଙ୍କୁ କଡା ଜବାବ ଦେଇଛନ୍ତି ।