ସରକାରଙ୍କ ଉନ୍ନୟନମୂଳକ କାମକୁ ବିରୋଧ: ଜବରଦଖଲ ଉଚ୍ଛେଦ ବିରୋଧରେ ଉମରକୋଟ ସହରରେ ଲାଗିଲା ପୋଷ୍ଟର

227

କନକ ବ୍ୟୁରୋ: ସରକାରଙ୍କ ଉନ୍ନୟନମୂଳକ କାମକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର । ଏମିତି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ ଉମରକୋଟ ସହରର ମୁଖ୍ୟ ରାସ୍ତା ମେଡ଼ିକାଲ ଛକ ଠାରୁ ମିକ୍ସଡ୍ ଫାର୍ମ ଯାଏ ରାସ୍ତାର ପ୍ରଶସ୍ତିକରଣ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଗତ ଏପ୍ରିଲ ମାସ ୨୦ ତାରିଖରେ ରାସ୍ତା ଦୁଇ ପାର୍ଶ୍ୱରେ ରହିଥିବା ଜବରଦଖଲ ଉଚ୍ଛେଦ କରାଯାଇଥିଲା । ସେହି ସମୟରେ କିଛି ବ୍ୟକ୍ତି ଏହି ଉଚ୍ଛେଦ କାମକୁ ବିରୋଧ କରି ନିଜେ ଭାଙ୍ଗିବାକୁ ସମୟ ମାଗିଥିଲେ । ହେଲେ ରାସ୍ତା କାମ ଆରମ୍ଭ କରିବା ପୂର୍ବରୁ ଏହି କାମକୁ ବିରୋଧ କରି ମେଡିକାଲ ରାସ୍ତା ଓ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଉଲ୍ଲେଖ ରହିଛି ” ମେଡିକାଲ ରୋଡ କଣ ୟୁକ୍ରେନ ହୋଇ ଗଲା?” “ଆମ ଜୀବିକା ଗଲା ଆମେ ଏବେ କ’ଣ ନକ୍ସଲ ହେବୁ? । ତେବେ ଏଭଳି ପୋଷ୍ଟର ଜିଲ୍ଲା ପୁଲିସକୁ ଚ୍ୟାଲେଂଜ କହିଲେ କିଛି ଭୂଲ ହେବ ନାହିଁ । ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ବେଳେ କିଏ ଏଭଳି ଅସାମାଜିକ କାମ କରିଛି ତାହାର ତଦନ୍ତ କରାଯାଉଛି ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ଡିପିଓ କହିଛନ୍ତି ।