ସେମିଫାଇନାଲରେ ଧରାଶାୟୀ ହେଲେ ମୋଦି, ବାଜି ମାରିନେଲେ ରାହୁଲ ।

୨୦୧୯ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟ ତଥା, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ବିଜୟଧାରାକୁ ଅଟକାଇଛି ।

266

କନକ ବ୍ୟୁରୋ: ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି । କାରଣ ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଗେରୁଆ କରିବା ପାଇଁ ଅଣ୍ଟା ଭିଡ଼ିଥିଲା ବିଜେପି । ସଫଳତା ମଧ୍ୟ ବିଜେପି ହାତକୁ ଖୁବ୍ ଶୀଘ୍ର ମିଳୁଥିଲା । ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟ ତଥା, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ବିଜୟଧାରାକୁ ଅଟକାଇଛି । ବିଜେପି ହାତରୁ ୨ଟି ରାଜ୍ୟ ଖସିବାକୁ ଏକ ପ୍ରକାର ସୁନିଶ୍ଚିତ ହୋଇଛି । ତେବେ ଦୀର୍ଘ ଚାରିବର୍ଷ ପୂର୍ବେ ଯେଉଁଭଳି କଂଗ୍ରେସକୁ ଧିରେ ଧିରେ ମୂଳପୋଛ କରିବାକୁ ଉଦ୍ୟମ କରିଥିଲା ବିଜେପି । ଠିକ୍ ସେହିଭଳି କର୍ଣ୍ଣାଟକ ପରେ ଏବେ ୨୦୧୯ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ଫଳାଫଳ ଆଗକୁ କେଉଁ ମୋଡ଼ ନେବ ତାହାକୁ ନେଇ ଏବେଠୁ ସସପେନ୍ସ ଜାରି ରହିଛି ।

ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବୋଲି ଡ଼ିଣ୍ଡିମ ପିଟୁଥିଲା । କିନ୍ତୁ କଂଗ୍ରେସର ଏହି ବିପୁଳ ବିଜୟ ଗାଥା ବିଜେପି ଶିବିରକୁ ଥରାଇଦେଇଥିବା ମତ ରଖିଛନ୍ତି ରାଜନୀତି ବିଶେଷଜ୍ଞ । ତେବେ ଏହି ୫ଟି ରାଜ୍ୟର ନିର୍ବାଚନକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ  ମୋଦି ଏବଂ ଚାଣକ୍ୟ ଅମିତ୍ ଶାହ ଏହି ୫ଟି ରାଜ୍ୟକୁ ଯାଇ ଘମାଘୋଟ୍ ପ୍ରଚାର କରିଥିଲେ । ଏହାସହ ବିଜେପିର ପ୍ରମୂଖ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କେନ୍ଦ୍ରମନ୍ତ୍ରୀଗଣ ଯାଇ ଡ଼େରା ମାସ ମାସ ଧରି ପକାଇଥିଲେ । ହେଲେ ବାଜି ମାରିନେଲା କଂଗ୍ରେସ  । ଯେଉଁ ଆକଳନ କରାଯାଉଥିଲା ସବୁ ଅଙ୍କକୁ ଭୁଲ ପ୍ରମାଣିତ କରିଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କାରଣ ବିଜେପିର ସମସ୍ତ ବରିଷ୍ଠ ନେତାଙ୍କ ରଣନୀତିକୁ ଭେଦି ବିଜୟ ଟିକା ପିନ୍ଧିଲେ ରାହୁଲ । 

ଅନ୍ୟପଟେ ୨୦୧୯ର ଫାଇନାଲ ପାଇଁ କାଉଣ୍ଟଡ଼ାଉନ୍ ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନ ଫଳାଫଳରୁ କଂଗ୍ରେସ ପୁଣି ଦେଶବାସୀଙ୍କ ହୃଦୟ ଜିଣିପରିଛି ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି । ଏହାସହ ମୋଦିଙ୍କ ଲୋକପ୍ରିୟତା ହ୍ରାସ ହେଉଥିବାବେଳେ କଂଗ୍ରେସ ଯୁବରାଜ ରାହୁଲଙ୍କ ସପକ୍ଷରେ ଜନାଦେଶର ସମର୍ଥନ ରହିଛି ବୋଲି ଏହି ନିର୍ବାଚନ ଫଳାଫଳରୁ ଦୃଶ୍ୟମାନ ହେଉଛି । ତେବେ କଂଗ୍ରେସର ଏହି ବିଜୟ ଆଗକୁ ହେବାକୁଥିବା ୨୦୧୯ ଫାଇନାଲ ଲଢ଼େଇ ପାଇଁ ମୋଦିଙ୍କୁ ଚେତାବନୀ ଦେଲା କି? ନା କଂଗ୍ରେସର କ୍ଷଣିକ ଖୁସିକୁ ପୁଣି ଆଗାମୀ ଫାଇନାଲ ଟକ୍କରରେ ଜବାବ ଦେବେ ମୋଦି ତାହା ଉପରେ ସମସ୍ତଙ୍କ ନଜର ।