ମାଗଣାରେ ଖାଆନ୍ତୁ ସ୍ୱାଦିଷ୍ଟ ଭୋଜନ : ଏମିତିି ଏକ ରେଷ୍ଟୁରାଣ୍ଟ, ଯେଉଁଠି ଖାଇବା ପାଇଁ ଦେବାକୁ ପଡେନି ଟଙ୍କା

67

ବିନା ପଇସାରେ କୈାଣସି ରେଷ୍ଟୁରାଣ୍ଟ ଖାଦ୍ୟ ପରଷିବ, ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଭାରତରେ ଏଭଳି ଏକ ସ୍ଥାନ ରହିଛି , ଯେଉଁଠି ରେଷ୍ଟୁରାଣ୍ଟରେ ପେଟ ପୂରା ଖାଦ୍ୟ ଖାଇବା ପରେ ମଧ୍ୟ ପଇସାଟିଏ ମଧ୍ୟ ବିଲ ବାବଦକୁ ଦେବାକୁ ପଡେ ନାହିଁ । ଗୁଜରାଟ, ଅହମଦାବାଦର ଗୁଜରାଟୀ ସେବା କାଫେରେ ଏଭଳି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏଠାରେ ମନଭରି ଖାଦ୍ୟ ଖାଇଲେ ମଧ୍ୟ ଟଙ୍କାଟେ ଖର୍ଚ୍ଚ କରିବାକୁ ପଡେ ନାହିଁ । ଦ୍ୱିପହର ଖାଦ୍ୟ ସାଙ୍ଗକୁ ରାତ୍ରି ଭୋଜନ ମଧ୍ୟ ସଂପୂର୍ଣ୍ଣ ମାଗଣା ।

ଗତ ୧୧ ବର୍ଷ ହେବ ଏହି ସେବା କାଫେ ଏଭଳି ପ୍ରୟାସ ଆରମ୍ଭ କରିଛି । ଗୋଟିଏ ପଟେ ଦୁନିଆର ଲୋକମାନେ ଯେଉଁଠି ଟଙ୍କା ପାଇଁ ଅନ୍ଧ ହୋଇ ଜୀବନ ନେବାକୁ ବି ପଛାଉ ନାହାନ୍ତି, ସେଠାରେ ଏଭଳି ଏକ କାଫେ ମାନବିକତାର ଅନନ୍ୟ ପରିଚୟ ପ୍ରଦାନ କରିଛି । ମାନବ ସଦନ, ଗ୍ରାମ ଶ୍ରୀ ଏବଂ ସ୍ୱଚ୍ଛ ସେବା ଭଳି ଏନଜିଓ ମିଶି ଏହି ‘ସେବା କାଫେ’ ଚଳାଉଛନ୍ତି । ଏହା ଗିଫ୍ଟ ଇକୋନୋମି ଆଧାରରେ ଚାଲୁଛି । ଅର୍ଥାତ ଗ୍ରାହକଙ୍କୁ ଖାଇବା ପରେ କୈାଣସି ପ୍ରକାରର ବିଲ ପ୍ରଦାନ କରାଯାଇନଥାଏ । ସେମାନେ ସେବା କାଫେର କର୍ମଚାରୀଙ୍କ ଆତିଥ୍ୟରେ ଖୁସି ହୋଇ ଯାହା ଇଚ୍ଛା ଦେଇଥାନ୍ତି । ଏହା ଉପହାରସ୍ୱରୁପ ଗ୍ରହଣ କରାଯାଏ । ପ୍ରତିଦିନ ପ୍ରାୟ ୫୦ ଜଣ ଗ୍ରାହକଙ୍କୁ ଏଠାରେ ଖାଦ୍ୟ ଖାଇବାର ସୁଯୋଗ ମିଳିଥାଏ ।