କନକ ବ୍ୟୁରୋ: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ କ୍ୟାବିନେଟ, ଉତ୍ତର ପ୍ରଦେଶର ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ନୂତନ ଅଧ୍ୟଦେଶକୁ ଆଜି ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ନୂତନ ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ଉତ୍ତର ପ୍ରଦେଶର ଘରୋଇ ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ ବହୁ ମାତ୍ରାରେ ଉପକୃତ ହେବେ । (ସେଣ୍ଟ୍ରାଲ ବୋର୍ଡ ସେକଣ୍ଡାରି ଏଡୁକେସନ୍) ସବିଏସଇ ଓ (ଇଣ୍ଡିଆନ୍ ସାର୍ଟିଫିକେଟ ଅଫ୍ ସେକଣ୍ଡାରି ଏଡୁକେସନ୍) ଆଇସିଏସଇ ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ଯେଉଁପରି ଭାବେ ମନମାନି କରୁଛନ୍ତି ଓ ମନଇଚ୍ଛା ଭାବେ ଛାତ୍ରଛାତ୍ରୀମାନଙ୍କର ସ୍କୁଲ ଫି ନିର୍ଦ୍ଧାରଣ କରୁଛନ୍ତି, ଏହି ନୂତନ ଅଧ୍ୟାଦେଶ ତା’ ଉପରେ ଲଗାମ୍ ଲଗାଇବ।
Kanak News is now on WhatsApp
Join and get latest news updates delivered to you via WhatsApp
ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଠାରୁ ବାର୍ଷିକ ୨୦ ହଜାର ଟଙ୍କା କିମ୍ବା ତଦୁର୍ଦ୍ଧ ସ୍କୁଲ ଫି ନେଉଥିବା ସମସ୍ତ ସବିଏସଇ ଓ ଆଇସିଏସଇ ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ସମେତ ସମସ୍ତ ପ୍ରକାରର ଘରୋଇ ସ୍କୁଲ ଓ ୟୁପି ବୋର୍ଡ ଅଫ୍ ସେକେଣ୍ଡାରି ଏଡୁକେସନ୍ ଅଧୀନରେ ରହିଥିବା ବିଦ୍ୟାଳୟଗୁଡ଼ିକରେ ଏହି ଅଧ୍ୟାଦେଶ ଲାଗୁହେବ। ଏଣିକି ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ନାମଲେଖା (ଆଡମିସନ୍) ବେଳେ କେବଳ ମାତ୍ର ଥରେ ଫି ନେବେ ଏବଂ ଛାତ୍ରଛାତ୍ରୀମାନେ ଦଶମ ଉତ୍ତୀର୍ଣ୍ଣ ହୋଇ ଦ୍ୱାଦଶରେ ନାମଲେଖାଇଲା (ଆଡମିସନ୍) ବେଳେ ଆଉ ଥରେ ଫି ନେବେ। ଏହି ଅଧ୍ୟାଦେଶଟି ରାଜ୍ୟପାଳ ରାମ ନାଏକଙ୍କ ଅନୁମୋଦନ ପାଇଯିବା ମାତ୍ରେ ଏହାକୁ ଅବିଳମ୍ବେ ଆରମ୍ଭ ହେବାକୁ ଯାଉଥିବା ଶିକ୍ଷାବର୍ଷ ୨୦୧୮- ୧୯ ଠାରୁ ରାଜ୍ୟରେ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ରାଜ୍ୟରେ ଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଆଡମିସନ ଫି, ମନ୍ଥଲି ଫି, କ୍ୱାଟରଲି ଫି, ବସ୍ ଫି, ମେସ୍ ଫି, ବୁକ୍ ଫି, ୟୁନିଫର୍ମ ଫି, ମ୍ୟାଗାଜିନ୍ ଫି, ଆସେସରିଜ୍ ଫି ଆଦି ବିଭିନ୍ନ ବାଗରେ ଓ ବିଭିନ୍ନ ବାଟରେ ଛାତ୍ରଛାତ୍ରୀମାନଙ୍କୁ ଶୋଷଣ କରିବା ସହ ଅଭିଭାବକମାନଙ୍କୁ ଲୁଟ୍ କରୁଥିବା ସଂପର୍କରେ ବହୁ ଅଭିଯୋଗ ମିଳିବା ପରେ ସରକାର ଏପରି ଅଧ୍ୟାଦେଶ ଆଣିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥିସହ ଏହି ଅଧ୍ୟାଦେଶର ପାଳନକୁ ନିଶ୍ଚିତ କରିବା ପାଇଁ ଏକ କମିଶନର ସ୍ତରୀୟ ରେଗୁଲେଟରି କମିଟି ଗଠନ କରାଯିବା ସହ ଯେଉଁ ଅନୁଷ୍ଠାନଗୁଡ଼ିକ ଏହି ଅଧ୍ୟାଦେଶର ଅବମାନନା କରିବେ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।