ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ଇନ୍ସପେକ୍ଟରଙ୍କ ପରିବାରକୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ : ୫୦ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ କଲେ ଘୋଷଣା 

ମୃତକଙ୍କ ପତ୍ନୀଙ୍କୁ ୪୦ଲକ୍ଷ ଏବଂ ତାଙ୍କ ମା-ବାପାଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ ।

107

ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ପରିବାର ଲୋକଙ୍କୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ଲଖନଉଠାରେ ଯୋଗୀ ମୃତ ସୁବୋଧ ସିଂହଙ୍କ ପରିଜନଙ୍କୁ ଭେଟିବା ସହ ଘଟଣା ବାବଦରେ ଆଲୋଚନା କରିଛନ୍ତି । ଏହି ହିଂସା ଘଟଣାରେ ସାମିଲ ଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି । ୟୁପି ସରକାର ମୃତ ଇନସ୍ପେକ୍ଟରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି । ଏଥିରୁ ମୃତକଙ୍କ ପତ୍ନୀଙ୍କୁ ୪୦ଲକ୍ଷ ଏବଂ ତାଙ୍କ ମା-ବାପାଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ଏହା ବ୍ୟତିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି, ଏଟାରେ  ଜୈଥରା  କୁରାବଲୀ ସଡକକୁ ସୁବୋଧ ସିଂହଙ୍କ ନାଁରେ ନାମିତ କରାଯିବ ବୋଲି ୟୁପି ସରକାର ଘୋଷଣା କରିଛନ୍ତି । ଯୋଗୀଙ୍କ ସହ ବିଧାୟକ ଅତୁଲ ଗର୍ଗ, ଓ ଡିଜିପି ମଧ୍ୟ ସବୋଧ ସିଂହଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ବୁଲନ୍ଦସହର ହିଂସା ଘଟଣାରେ ତନାଘନା ଜାରି ରଖିଛି ପୁଲିସ ।

ସେପଟେ କଂସେଇଖାନାକୁ ବୁଲନ୍ଦସହରରେ ହିଂସା ପରେ ଯୋଗୀ ସରକାର ଜାରି କରିଛନ୍ତି ନୂଆ ଫରମାନ । ଯଦି କୌଣସି ଜିଲ୍ଲାରେ କଂସେଇଖାନା ଘଟଣା ସାମ୍ନାକୁ ଆସିଲା ତାହେଲେ ଏଥିପାଇଁ ସିଧାସଳଖ ଦାୟୀ ହେବେ ଏସପି ଓ ଡିଏମ । ଏନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାର ସମସ୍ତ  ଡିଏମ ଓ ଏସପିଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଣାଇଛନ୍ତି । ଏହା ପୂର୍ବରୁ ମଧ୍ୟ ବୁଲନ୍ଦସହର ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ।