ରେକର୍ଡ କଲା ମୁମ୍ବାଇ ବିମାନ ବନ୍ଦର । ଗୋଟିଏ ଦିନରେ ୯୬୯ ବିମାନର କଲେ ଉଡାଣ ଓ ଅବତରଣ

170

ବିରଳ ରେକର୍ଡର ଅଧିକାରୀ ହେଲା ମୁମ୍ବାଇ ବିମାନ ବନ୍ଦର । ଗୋଟିଏ ରନୱେରେ ୯୬୯ ଟି ବିମାନର ଉଡାଣ ଓ ଅବତରଣ କରାଇ ନୂତନ ରେକର୍ଡର ଅଧିକାରୀ ହୋଇଛି । ଗତ ଶୁକ୍ରବାର ଦିନ ୨୪ ଘଂଟା ଭିତରେ ମୁମ୍ବାଇ ଏୟାରପୋର୍ଟ ଏଭଳି ରେକର୍ଡ କରିଛି । ପୂର୍ବରୁ ଗୋଟିଏ ରନୱେରେ ୯୩୫ଟି ବିମାନର ଉଡାଣ ଓ ଅବତରଣ କରାଇବାର ରେକର୍ଡ କରିଥିଲା ମୁମ୍ବାଇ ଏୟାର ପୋର୍ଟ । ଏବେ ନିଜ ରେକର୍ଡ ଭାଙ୍ଗିଛି ମୁମ୍ବାଇ ଏୟାରପୋର୍ଟ ।

ଲଂଡନ, ନିୟୁୱର୍କ ଓ ଦିଲ୍ଲୀରେ ଦୁଇ ବା ଅଧିକ ରନୱେ ରହିଛି ଯାହା ଏକାସାଙ୍ଗରେ କାମ କରିପାରିବ । ଯଦିଓ ମୁମ୍ବାଇ ଦୁଇଟି ରନୱେ ରହିଛି କିନ୍ତୁ ସେଗୁଡିକ କ୍ରିସକ୍ରସ ହୋଇ ରହିଛନ୍ତି । ଫଳରେ ସେଠାରେ କେବଳ ଗୋଟିଏ ରନୱେ କାମ କରିପାରେ । ଆଉ ଏଥିପାଇଁ ମୁମ୍ବାଇ ଏୟାରପୋର୍ଟକୁ ସିଙ୍ଗଲ ରନୱେ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି ।

ମୁମ୍ବାଇ ଏୟାରପୋର୍ଟରେ ପ୍ରତିଦିନ ୯ଶହ ବିମାନ ଅବତରଣ କରିଥାଏ । ଯେତେବେଳେ ନିର୍ଧାରିତ ହୋଇନଥିବା ବିମାନ, ଚାର୍ଟାର,ଘରୋଇ ବିମାନଗୁଡିକ ଅବତରଣ କରିଥାନ୍ତି ସେତେବେଳେ ଏୟାର ଟ୍ରାଫିକ ସମସ୍ୟା ଉପୁଜିଥାଏ । ଯାହା ଶୁକ୍ରବାର ଦିନ ହୋଇଥିଲା ବୋଲି ସେ କହିଛନ୍ତି । ଖୁବ ଶୀଘ୍ର ଆମକୁ ଦୈନିକ ଏକ ହଜାର ବିମାନ ଚଳାଚଳ ଦାୟିତ୍ୱ ନେବାକୁ ପଡିବ ବୋଲି କହିଛନ୍ତି ବିମାନ ବନ୍ଦରର ପ୍ରବକ୍ତା ।

ସେହିପରି ଗୋଟିଏ ଘଂଟାରେ ୫୦ଟି ବିମାନର ଉଡାଣ ଓ ଅବତରଣ କରାଇଥିଲା ମୁମ୍ବାଇ ଏୟାର ପୋର୍ଟ । ଶୁକ୍ରବାର ଦିନ ଦୁଇ ଥର ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ସକାଳେ ଓ ସନ୍ଧ୍ୟାରେ ଦୁଇ ଥର ଗୋଟିଏ ଘଂଟାରେ ୫୦ଟି ବିମାନ ଉଡାଣ ଓ ଅବତରଣ କରିଥିଲା ବିମାନ ବନ୍ଦର । କିନ୍ତୁ ମୁମ୍ବାଇ ବିମାନ ବନ୍ଦରର କ୍ଷମତା ହେଉଛି ଗୋଟିଏ ଘଂଟାରେ ୪୬ ବିମାନ ଚଳାଚଳ କରିବା । ଦୁଇଟି ବିମାନ ଚଳାଚଳ ମଧ୍ୟରେ ବ୍ୟବଧାନ ଥିଲା ମାତ୍ର ୬୫ ସେକେଣ୍ଡ । ଅତି ବ୍ୟସ୍ତ ସମୟରେ ମାତ୍ର ପାଂଚ ମିନିଟ ଭିତରେ ଚାରୋଟି ବିମାନ ଚଳାଚଳ କରିଥିଲା । ଦୁଇଟି ବିମାନ ଅବତରଣ କରିଥିବା ବେଳେ ଦୁଇଟି ବିମାନ ଅବତରଣ କରିଥିଲା ।