ପୁଅ ମରିସାରିଥିଲା, ହେଲେ ମାନୁନଥିଲା ମା’ ମନ ! ଜୀବିତ ଥିବା ଆଶାରେ ମୃତ ପୁଅର ଶବକୁ ଇନ୍ଦୋରରୁ ଉଜ୍ଜୟନୀ ଆଣିଲେ ମା’

58

ପୁଅ ମରି ସାରିଥିଲା କିନ୍ତୁ ଏକଥାକୁ ମାନିବାକୁ ନାରାଜ ଥଲା ମା’ । ବୁଝୁନଥିଲା ମା’ ମନ । ମୃତ ପୁଅର ଶବକୁ ଅଟୋରେ ଇନ୍ଦୋରରୁ ଉଜ୍ଜୟନୀ ଆଣିଥିଲେ ମହିଳା । ଉଜ୍ଜୟନୀର ରାମଘାଟ ପାଖରେ ଥିବା ସିଦ୍ଧ ଆଶ୍ରମ ପାଖରେ ଶବ ନେଇ ବସିରହିଲେ ମିହଳା । ମହାକାଳ ପୁଅକୁ ଜୀବିତ କରିଦେବେ ବୋଲି ଜିଦ୍ ଧରି ବସିଥିଲେ । ଯେତେ ବୁଝାଇଲେ ମଧ୍ୟ ପୁଅ ମୃତ ବୋଲି ମାନୁନଥିଲେ । ତେବେ ଅଟୋ ଚାଳକ ଏନେଇ ଜଣେ ପୋଲିସକୁ ସୂଚନା ଦେଇଥିଲା । ମହାକାଳ ପୋଲିସ ଘଟଣା ସ୍ଥଳରେରେ ପହଞ୍ଚି ଶବ ଉଦ୍ଧାର କରିଥିଲା । ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇ ପଠାଇ ଦେଇଥିଲା ।

ପୋଲିସ ସୂଚନା ଅନୁସାରେ ମହିଳାଙ୍କ ନାମ ହେଲା ରୀତା । ମୃତକ ଜଣକ ହେଲେ ତାଙ୍କ ପୁଅ ଅମିତ ତ୍ରିପାଠୀ । ମହିଳାଙ୍କ କହିଛନ୍ତି ତାଙ୍କ ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିଲା । ଆଉ ସେ ରିଙ୍କୁ ନାମକ ଜଣେ ବ୍ୟକ୍ତି ସହ ରହୁଥିଲେ । ତେବେ ରିଙ୍କୁ ପୁଅ ଅମିତ ଏକାଠି ରହୁ ବୋଲି ଚାହୁଁନଥିଲେ । ତେଣୁ ଭଡ଼ା ଘର ନେଇ ଅମିତ ଅନ୍ୟ ଏକ ସ୍ଥାନରେ ରହୁଥିଲା । ସୋମବାର ଅପରାହ୍ୱ ପାଖାପାଖି ୧ ଟା ପର୍ଯ୍ୟନ୍ତ ଅମିତ କବାଟ ଖୋଲିନଥିଲା । ପଡ଼ୋଶୀଙ୍କ ଠାରୁ ଏକଥା ଜାଣିବା ପରେ ରିତା ଅମିତ ପାଖରେ ପହଞ୍ଚିଥିଲେ । ଆଉ ସେ ଦେଖିଲେ ଅମିତ ଚଟାଣରେ ମୁହଁ ମାଡ଼ି ପଡ଼ିଛି ।

ପୁଅକୁ ଏପରି ଅବସ୍ଥାରେ ଦେଖି ସେ ପୁଅ ଅସୁସ୍ଥ ଅଛି କହି ଏକ ଅଟୋ ଭଡ଼ା କରିଥିଲେ । ୧୦୦୦ ଟଙ୍କା ଭଡ଼ା ଦେଇ ପ୍ରାୟ ୩ଟାରେ ଉଜ୍ଜୟନୀ ପହଞ୍ଚିଥିଲେ । ଏବଂ ସେଠାରେ ରାମଘାଟ ପାଖରେ ଥିବା ସିଦ୍ଧ ଆଶ୍ରମ ପାଖକୁ ଯାଇ ବସିରହିଲେ । ମହାକାଳ ମୃତ ପୁଅକୁ ଜୀବିତ କରିଦେବେ ବୋଲି ଆଶା ବାନ୍ଧି ଆଶ୍ରମ ପାଖରେ ବସିଥିଲେ । ସୂଚନା ଅନୁସାରେ ପୋଲିସ ଅଟୋରୁ ଶବ ବାହାର କରିବା ସମୟରେ ମହିଳା ଜଣଙ୍କ ବାହୁନି ବାହୁନି କାନ୍ଦୁଥିଲେ । ସେ କହୁଥିଲେ ପୁଅର ଦେହ ଭଲ ନାହିଁ । ମହାକାଳଙ୍କ ଭରସାରେ ସେ ଉଜ୍ଜୟନୀ ଆସିଛନ୍ତି । ମହାକାଳ ନିଶ୍ଚିତ ପୁଅକୁ ଭଲ କରିଦେବେ । ପୋଲିସର କହିବା ଅନୁସାରେ ୨୪ ଘଂଟା ପୂର୍ବରୁ ଅମିତର ମୃତ୍ୟୁ ହୋଇସାରିଥିଲା । ଏବଂ ଶବରୁ ଗନ୍ଧ ମଧ୍ୟ ଆସିବାରେ ଲାଗିଥିଲା ।