ରାଜରାସ୍ତାରେ ମହିଳା ବାଇକରଙ୍କ ରାଜ ! ପରମ୍ପରା ଭାଙ୍ଗିଲେ,ପ୍ରେରଣା ପାଲଟିଲେ ।

60

ଓଡିଶାର ରାଜରାସ୍ତାରେ ସାହସ, ଧୈର୍ଯ୍ୟ, କ୍ରୀଡା ନୈପୁଣ୍ୟତା କେବଳ ପୁରୁଷଙ୍କ ପାଖରେ ସୀମିତ ହୋଇରହିନାହିଁ । ରାଜରାସ୍ତାରେ ମହିଳା ବାଇକରଙ୍କ ରାଜ ! ପରମ୍ପରା ଭାଙ୍ଗିଲେ,ପ୍ରେରଣା ପାଲଟିଲେ । ରାଜ୍ୟରେ ‘ଅଖିଳ ମହିଳା ବାଇକର’ ଦଳ ପ୍ରଥମଥର ପାଇଁ ସମସସ୍ତଙ୍କ ଆଖି ଖୋଲିଦେଇଛନ୍ତି । ଅବିଶ୍ୱାସ ହେଲେ ବି ସତ । ପାଂଚ ଜଣ ମହିଳାଙ୍କ ଏପରି ପ୍ରଶଂସନୀୟ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଦେହରେ ଜାକେଟ, ହାତରେ ଗ୍ଲୋବସ, ସଂପୂର୍ଣ୍ଣ ସ୍ପୋର୍ଟିଂ ଲୁକରେ ଯୁବତୀ । ଏଭଳି ବିରଳ ଦୃଶ୍ୟ ଭୁବେନଶ୍ୱରରେ ଦେଖିବାକୁ ମିଳିଥିଲା । ବିଭିନ୍ନକ୍ଷେତ୍ରରୁ ପାଂଚଜଣ ମହିଳା ରବିବାର ଦିନ ଭୁବନେଶ୍ୱରରୁ ଅଂଶୁପା ହ୍ରଦ ପର୍ଯ୍ୟନ୍ତ ୬୦ କିଲୋମିଟର ବାଇକ ଟ୍ରିପରେ ଯାଇଥିଲେ । ସେମାନଙ୍କ ଭିତରେ ଥିଲେ ଜଣେ ଛାତ୍ରୀ, ସ୍କୁବା ଡାଇଭର, ଫଟୋଗ୍ରାଫର, କଂଟେଂଟ ଏଡିଟର ଏବଂ ଜଣେ ଗ୍ରାଫିକ୍ସ ଡିଜାଇନର ।

ଆମେ ବାଇକ ଚଳାଇବାକୁ ଭଲପାଉ, ଏଥିପାଇଁ ସମସ୍ତେ ବାହରିଥିଲୁ । ଟ୍ରିପ ଅତ୍ୟନ୍ତ ଭଲ ଥିଲା । ଯେତେବେଳ ଆମେ ଜଣେ ଯୁବକକୁ ରାସ୍ତାରେ ଓଭରଟେକ କରିଥିଲୁ ସେତେବେଳେ ଆମକୁ ଭଲ ଲାଗିଥିଲା । ଆମେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଚାହୁଁଛୁ । କାହିଁକି ମହିଳାମାନେ ବାଇକ ଚଳାଇପାରିବେ ନାହିଁ ବୋଲି କହିଥିଲେ ଟିମରେ ସାମିଲ ହୋଇଥିବା ଫଟୋଗ୍ରାଫର । ଭୁବନେଶ୍ୱରରୁ ଷାଠିଏ କିଲୋମିଟର ଦୂର ଅଂଶୁପା ଟ୍ରିପ ବହୁତ ଆରାମଦାୟକ ଥିଲା । ଆଗାମୀ ଦିନରେ ଏଭଳି ଅନେକ ଟ୍ରିପ ପାଇଁ ଟିମ ଯୋଜନାକରିଥିବା ଜଣାପଡିଛି । ତେବେ ଏହାର କାରଣ କଣ ବୋଲି ପଚାରିଲେ , ସେମାନେ କୁହନ୍ତି, ଆମେ ନିଜ ପ୍ରତିଭା ଦେଖାଇବାକୁ ଚାହୁଁଛୁ ।

ଆମେ ରୋମାଂଚଭର ଯାତ୍ରା କରିବା ପାଇଁ ଚାହୁଁଛୁ ଏବଂ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ । ଯେତେବେଳେ ଜଣେ ଯୁବକ ବାଇକ ଚଲାଉଛି, ସେତେବେଳେ କେହି ପଚାରି ନଥାନ୍ତି, କିନ୍ତୁ ଜଣେ ଯୁବତୀ ବାଇକ ଚଳାଇଲେ କାହିଁକି ବିଭିନ୍ନ ପ୍ରଶ୍ନ ଉଠିଥାଏ ବୋଲି କହିଛନ୍ତି ଟିମର ସଦସ୍ୟା ଥିବା  ଏମବିଏ ଛାତ୍ରୀ । ସୁପରବାଇକ ଠାରୁ ଆରମ୍ଭ କରି ପିଲିଅନସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ବାଇକ ଚଳାଇବାରେ ସିଦ୍ଧହସ୍ତ ଟିମର ପ୍ରତ୍ୟେକ ସଦସ୍ୟା । ଟିମ ସଦସ୍ୟାମାନେ ଭୁବନେଶ୍ୱରରୁ କୋଲକାତା ୪୫୦ କିଲୋମିଟର ଟ୍ରିପ ପାଇଁ ଲକ୍ଷ୍ୟ ରଖିଛନ୍ତି ।

ନିରାଳି ନିର୍ଲିପ୍ତା ରୟାଲ ଏନଫିଲ୍ଡ କ୍ସାସିକ ଚଳାଉଥିବା ବେଳେ ବର୍ଷା ପ୍ରିୟମ୍ବଦା ଓ ଆର୍ସିଆ ମୁସାରତ କେଟିଏମ ୨୫୦ ଚଲାଉଥିଲେ । ପ୍ରିୟଙ୍କା ଘୋଷାଲ କେଟିଏମ ଡ୍ୟୁକ ୨୦୦, ପ୍ରୋଶିସଗୋଲ୍ୟାନ ରୟାଲ ଏନଫିଲ୍ଡ ଚଲାଇ ଭୁବନେଶ୍ୱରରୁ ଅଂଶୁପା ଯାଏ ଯାଇଥିଲେ । ଏମାନେ ଭୁବନେଶ୍ୱର ଏକ ମହିଳା ବାଇକର ଟିମ ଗଢିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ମହିଳା ସଶକ୍ତୀକରଣକିଛି ଫଳପ୍ରଦ ହେବନାହିଁ ,ଯେପର୍ଯ୍ୟନ୍ତ ଆମେ ଆଗକୁ ନଆସିଛୁ । ମୋତେ ବାଇକ ଚଳାଇବା ନେଇ ଅନେକ କମେଂଟ ଶୁଣିବାକୁ ପଡିଛି କିନ୍ତୁ ମୁଁ ଖାତିର କରେ ନାହିଁ ବୋଲି କହିଛନ୍ତି ନିରାଲି । ମୁଁ ବାଇକ ଚଲାଇବାକୁ ଭଲ ପାଏ ଏବଂ ବାଇକ ଚଲାଇବି । ସେହିପରି ବର୍ଷା କହିଛନ୍ତି ମହିଳାମାନେ ଆଗକୁ ଆସିବା ପାଇଁ ଆମେ ନିମନ୍ତ୍ରଣ କରୁଛୁ । ପୁରୀ ବାଇପାସ ରୋଡରେ ଜଣେ ପୁରୁଷ ଚାଳକ ତାଙ୍କୁ କିପରି ଚ୍ୟାଲେଂଜ କରିଥିଲେ ସେ କଥା ସବୁ ବଖାଣିଥିଲେ ଟିମର କନିଷ୍ଠ ସଦସ୍ୟା ଆର୍ସିଆ । ଆର୍ସିଆ ପୁରୀରୁ ବାଇକ ଚଳାଇ ଆସୁଥିବା ସମୟରେ ଜଣେ ଯୁବକ ତାଙ୍କୁ ବାରମ୍ବାର ଅତିକ୍ରମ କରିଥିଲା । ସେ ତାକୁ ଚ୍ୟାଲେଂଜ ହିସାବରେ ନେଇଥିଲେ ଓ ବାଇକ ଡ୍ରାଇଭିଂରେ ଜିତିଥିଲେ ବୋଲି ହସି ହସି କହିଥିଲେ ଆର୍ସିଆ । ନିଜ ପରିବାରର ସହଯୋଗ ପାଇଁ ସେ ତାଙ୍କ ପରିବାରର ସମସ୍ତ ସଦସ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକୃତରେ ଓଡିଶା ଭଳି ରାଜ୍ୟରେ ମହିଳାମାନେ ବାଇକ ଟ୍ରିପରେ ଯିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଯୁବତୀଙ୍କର ଏଭଳି ପ୍ରଶଂସନୀୟ ଉଦ୍ୟମକୁ ସମସ୍ତେ ସହୃଦୟତାର ସହ ଗ୍ରହଣ କରିବା ଉଚିତ ।

ସୌଜନ୍ୟ : ଦି ଟେଲିଗ୍ରାଫ