ମହିଳାଙ୍କ ମସ୍ତିଷ୍କରୁ ଟ୍ୟୁମର୍ ଅସ୍ତ୍ରୋପଚାର କରୁଥିଲେ ଡାକ୍ତର : ଅସ୍ତ୍ରୋପଚାର ଅଧାରୁ ଉଠିପଡିଲେ ମହିଳା ଏବଂ ବଜାଇଲେ ଭାଓଲିନ୍ ।

774

ମସ୍ତିଷ୍କ ଅସ୍ତ୍ରୋପଚାର ବେଳେ ଭାଓଲିନ ବଜାଇଲେ ମହିଳା । ଏପରି ଏକ ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ , ଏହା ଘଟିଛି ଲଣ୍ଡନରେ । ଦାଗମର ଟର୍ଣ୍ଣର ନାମକ ଜଣେ ୫୩ ବର୍ଷୀୟା ମହିଳାଙ୍କ ମସ୍ତିଷ୍କର ଡାହାଣ ଅଂଶରେ ଟ୍ୟୁମର ହୋଇଥିଲା । ହସ୍ପିଟାଲରେ ଏକ ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରାପଚାର କରୁଥିବା ସମୟରେ ସେ ଭାଓଲିନ ବଜାଉଥିବା ଦେଖିବାକୁ ମିଳିଥିଲା । ଅସ୍ତ୍ରାପଚାର କରୁଥିବା ଡାକ୍ତର ଏନେଇ ନିଜର ମତ ଦେଇ କହିଛନ୍ତି ଯେ, ସେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର ବେଳେ ରୋଗୀଙ୍କୁ ଭାଓଲିନ ବଜାଉଥିବା ଦେଖିବାକୁ ପାଇଥିଲେ । ଉକ୍ତ ମହିଳା ରୋଗୀ ଜଣକ ପ୍ରାୟ ୪୦ ବର୍ଷ ଧରି ଭାଓଲିନ ବଜାଇ ଆସୁଥିଲେ । ତେବେ ସେ ଯେତେବେଳେ ଶୁଣିଲେ ଯେ, ମସ୍ତିଷ୍କ ଟ୍ୟୁମର କାରଣରୁ ସେ ଆଉ ଭାଓଲିନ ବଜାଇ ପାରିବେ କି ନାହିଁ ତାଙ୍କୁ ନେଇ ସନ୍ଦେହ ରହିଛି । ସେତେବେଳେ ସେ ଦୁଃଖିତ ହୋଇଥିଲେ । ଡାକ୍ତରଙ୍କ ମତ ଅନୁସାରେ ଅସ୍ତ୍ରୋପଚାର ପରେ ତାଙ୍କ ସ୍ମରଣ ଶକ୍ତି ରହିବ ନାଁ ନାହିଁ ସେ ନେଇ ଦ୍ୱନ୍ଦ ରହିଥିଲା । ତେଣୁ ମହିଳା ଜଣକ ଅସ୍ତ୍ରୋପଚାର ସମୟରେ ଭାଓଲିନ ବଜାଇବା ପାଇଁ ନିଷ୍ପତି ନେଇଥିଲେ ।

ଅସ୍ତ୍ରୋପଚାର ପରେ ଉକ୍ତ ମହିଳାଙ୍କ ମସ୍ତିଷ୍କରୁ ୯୦ ପ୍ରତିଶତ ଟ୍ୟୁମର ବାହାର କରାଯାଇଛି । ଦାଗମର ଟର୍ଣ୍ଣର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍ ଥିବା ବେଳେ, ସେ ଡାକ୍ତରଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ଭାଓଲିନକୁ ନେଇ ଦାଗମର କୁହନ୍ତି, ପିଲାଟି ଦିନରୁ ଭାଓଲିନ ପ୍ରତି ମୋର ଦୁର୍ବଳତା ରହିଛି । ୧୦ ବର୍ଷ ବୟସରୁ ମୁଁ ଭାଓଲିନ ବଜାଇ ଆସୁଛି ।