ଛିଣ୍ଡୁନି ରାଜସ୍ଥାନ ଗଣିତ,ଏବେ ବି ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଦ୍ୱନ୍ଦ୍ୱ ! ଦିଲ୍ଲୀରେ ଡେରା ପକାଇଛନ୍ତି ସଚିନ ପାଇଲଟ୍ ଓ ଅଶୋକ ଗେହଲୋଟ୍

112

କନକ ବ୍ୟୁରୋ : ରାଜସ୍ଥାନରେ ଅଙ୍କ ଛିଣ୍ଡୁନି । ଗତ ରାତିରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ବାସଭବନରେ ବସିଥିଲା ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କୁ ନେଇ ବୈଠକ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଲୋଚନା ହୋଇଥିବାର ସୂଚନା ରହିଛି । ପ୍ରଥମେ ସଚିନ ପାଇଲଟଙ୍କ ସହ ରାହୁଲ ୨ ଘଂଟା ବୈଠକ କରିଥିଲେ । ଏହା ପରେ ଅଶୋକ ଗେହଲତଙ୍କୁ ଭେଟିଥିଲେ ରାହୁଲ । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସମ୍ଭାବନା ରହିଛି ।

କଂଗ୍ରେସର ଯୁବନେତା ସଚିନ୍ ପାଇଲଟଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବାରେ ବିଳମ୍ବ ହେଉଥିବା ପ୍ରତିବାଦ କରି ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଅନ୍ୟପଟେ ଦଳର ବରିଷ୍ଠ ନେତା ଅଶୋକ ଗେହଲୋଟ ସମର୍ଥକଙ୍କ ସହ ମଧ୍ୟ ପାଇଲଟଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି । ପାଇଲଟଙ୍କ ସମର୍ଥକମାନେ ଆଜି ସନ୍ଧ୍ୟାରେ ରାଜ୍ୟର କାରୁଆଲି ଏବଂ ଜୟପୁରକୁ ସଂଲଗ୍ନ କରୁଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାସ୍ତା ଅବରୋଧ କରିଛନ୍ତି । ଏହାବ୍ୟତୀତ ଉଗ୍ର ସମର୍ଥକମାନେ ଦୌସାରେ ବସ୍, ଟ୍ରକ୍ ଆଦି ଭଙ୍ଗାରୁଜା କରିଥିବା ରିପୋର୍ଟ ମିଳିଛି ।

ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ତାଙ୍କ ସମର୍ଥକଙ୍କ ଧମକ ରାଜ୍ୟ କଂଗ୍ରେସକୁ ଅଡୁଆରେ ପକାଇଛି । ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଚୂଡ଼ାନ୍ତ ଘୋଷଣା ପୂର୍ବରୁ କଂଗ୍ରେସର ଦୁଇ ଗୋଷ୍ଠୀ ଏଭଳି ମୁହାଁମୁହିଁ ହୋଇଥିବାରୁ ଆଗାମୀ ଦିନରେ କଂଗ୍ରେସ କନ୍ଦଳ ଉଗ୍ର ରୂପ ନେବା ଆଶଙ୍କା କରାଯାଉଛି । ରାଜ୍ୟ ରାଜପଥ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଥିବାରୁ ହଜାର ହଜାର ଟ୍ରକ୍, ବସ୍ ଅଟକିରହିଛି । ଯାତ୍ରୀସେବା ବ୍ୟାହତ ହୋଇଥିବାରୁ ଜନ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ, ସେ ନେଇ ଦ୍ବନ୍ଦ୍ବ ଜାରି ରହିଥିବା ବେଳେ ଯୁବନେତା ସଚିନ୍ ପାଇଲଟଙ୍କ ହାତରେ ରାଜ୍ୟର କ୍ଷମତା ଡୋରି ଦେବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚାହୁଥିବା ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ରାହୁଲଙ୍କ ମାଆ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଭଉଣୀ ପ୍ରିୟଙ୍କା ଅଶୋକ ଗେହଲଟଙ୍କୁ ସମର୍ଥନ କରୁଛନ୍ତି । ମୁଖ୍ୟମନ୍ତ୍ରୀ କିଏ ହେବ, ସେ ସମ୍ପର୍କିତ ନିଷ୍ପତ୍ତି ରାହୁଲ ହିଁ ନେବେ ବୋଲି ଦଳର ସବୁ ନେତା ଏକସ୍ବରରେ କହୁଥିଲେ ମଧ୍ୟ ବାସ୍ତବରେ ସ୍ଥିତି ଭିନ୍ନ ରହିଛି ଏବଂ ପାଇଲଟ୍ ଓ ଗେହଲୋଟଙ୍କ ସମର୍ଥକମାନେ ଦଳୀୟ ନେତୃତ୍ବ ଉପରେ ପ୍ରବଳ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି । ଗେହଲୋଟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚୟନରେ ସମୟ ଲାଗିଥାଏ ଏବଂ କର୍ମୀମାନେ ଏ ନେଇ ଧୈର‌୍ୟ୍ୟ ରକ୍ଷା କରିବା ଜରୁରୀ ।