ଗୌରୀଙ୍କୁ ମାରିଲା କିଏ ! ଖୋଲାମତ ନା ବିଚାରଧାରା

83

କନକ ବ୍ୟୁରୋ: ବରିଷ୍ଠ କନ୍ନଡ ପତ୍ରକାର ଗୌରୀ ଲଙ୍କେଶଙ୍କର ହତ୍ୟା ପରେ ଅନେକ ପ୍ରଶ୍ନ ଏବେ ଉଙ୍କିମାରିଛି । କିଏ କାହିଁକି ହତ୍ୟା କଲା ଗୌରୀଙ୍କୁ । କିଏ ରଚିଥିିଲା ଷଡଯନ୍ତ୍ର । ନିର୍ଭୟରେ ସବୁ ଖବରକୁ ସାମ୍ନାକୁ ଆଣୁଥିବା ଜଣେ ଲେଡି ଜର୍ଣ୍ଣାଲିଷ୍ଟଙ୍କ ହତ୍ୟା ପଛର କାରଣ କଣ ହୋଇପାରେ । ଘଟଣାକୁ ଅନେକ ସମୟ ବିତି ଯାଇଥିଲେ ବି ଆସାମୀମାନଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇନି । ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜେନ÷ତିକ ଅରୋପ ପ୍ରତ୍ୟାରୋପ ।

ଗୌରୀ ଲଙ୍କେଶ । କର୍ଣ୍ଣାଟକ ବାଙ୍ଗାଲୋରର ବରିଷ୍ଠ ମହିଳା ସାମ୍ବାଦିକା । ଯାହା ଦେଖନ୍ତି ସେଇଆ ଲେଖନ୍ତି । ଖବର ଯାହା ବିରୁଦ୍ଧରେ ହେଉ ନା କାହିଁକି ଗୋଟିଏ କଥା ସବୁବେଳେ କୁହନ୍ତି ଗୌରୀ । ଆଉ ତାହା ହେଉଛି ନୋ କମ୍ପ୍ରମାଇଜ । ସତକୁ ସାମ୍ନାକୁ ଆଣିବା ପାଇଁ ସବୁବେଳେ ପ୍ରୟାସ କରିଛନ୍ତି ସେ । ନିଜ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ସାପ୍ତାହିକ କନ୍ନଡ ଖବରକାଗଜ ଲଙ୍କେଶ ପତ୍ରିକାର ସଂପାଦକ ଥିଲେ ଗୌରୀ । ସେପ୍ଟେମ୍ବର ୫ ତାରିଖ ରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ରାଜରାଜେଶ୍ୱରୀ ନଗର ଠାରେ ଥିବା ତାଙ୍କ ଘର ବାହାରେ ହିଁ ଗୌରୀଙ୍କୁ ହତ୍ୟା କରି ଖସି ଯାଇଛି ଆତତାୟୀ ।

୧୯୬୨ରେ ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲେ ଗୌରୀ ଲଙ୍କେଶ । ତାଙ୍କ ପିତା ହେଉଛନ୍ତି ପ୍ରସିଦ୍ଧ କବି ତଥା ସାମ୍ବାଦିକ ପି. ଲଙ୍କେଶ । ବାଙ୍ଗାଲୋରରେ ପ୍ରଥମେ ଦୈନିକ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆରୁ ନିଜ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ ସେ । କିଛିଦିନ ପରେ ଯଦିଓ ସେ ଦିଲ୍ଲୀକୁ ଚାଲି ଆସିଥିଲେ କିନ୍ତୁ ପୁଣି ଫେରି ଯାଇଥିଲେ ବାଙ୍ଗାଲୋର ।

ଏହାପରେ ଦୀର୍ଘ ୯ବର୍ଷ ଧରି ସନଡେ ମାଗାଜିନ ପାଇଁ ସାମ୍ବାଦିକ ଭାବେ କାର୍ଯ୍ୟ କରନ୍ତି । ୨୦୦୦ ମସିହାରେ ପିତାଙ୍କ ମୃତ୍ୟୁ ସମୟରେ ସେ ତେଲୁଗୁ ଟିଭି ଚ୍ୟାନେଲ ଇନାଡୁ ରେ ଦିଲ୍ଲୀ ପ୍ରତିନିଧୀ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ସେ ନିଜ ପତ୍ରିକାକୁ ଚଳାଇବା ଆରମ୍ଭ କରିଥିଲେ । ଦୀର୍ଘ ୧୬ ବର୍ଷ ଧରି ସାମ୍ବାଦିକତା ଦୁନିଆ ସହ ଜଡିତ ରହିଥିଲେ ଗୌରୀ ଲଙ୍କେଶ ।

ପିତା ପି. ଲଙ୍କେଶଙ୍କ ମୃତ୍ୟୁ ପରେ ଗୌରୀ ବାଧ୍ୟ ହୋଇ ଲଙ୍କେଶ ପତ୍ରିକାର ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କଲେ । ଖବରକାଗଜର ପ୍ରକାଶନ ଦାୟିତ୍ୱରେ ରହିଲେ ଭାଇ ଇନ୍ଦ୍ରଜିତ । ଏହାପରେ ଆରମ୍ଭ ହେଲା ଗୌରୀଙ୍କ ନୂଆ କ୍ୟାରିୟର । ସତ୍ୟକୁ ସାମ୍ନାକୁ ଆଣିବାରେ ଆଉ ବାଧା ରହିଲାନି । ଯାହା ଦେଖିଲେ ଆଉ ପ୍ରମାଣ ପାଇଲେ ସବୁ ଲେଖିଲେ ନିଜ ଖବରକାଗଜରେ ।

ହେଲେ ତଥାପି ସାଥ୍ ଦେଲେନି ଭାଇ ଇନ୍ଦ୍ରଜିତ । ଭାଇ ଭଉଣୀଙ୍କ ମନାନ୍ତର ସାମ୍ନାକୁ ଆସିଲା ୨୦୦୫ରେ । ଅବଶ୍ୟ ୨୦୦୧ରେ ଏହି ଅଶାନ୍ତିର ନିଆଁ ଜଳିବା ଆରମ୍ଭ ହୋଇଥିଲା । ଘଟଣାକ୍ରମରେ ୨୦୦୫ରେ ପୁଲିସ ଉପରେ ନକ୍ସଲ ଆକ୍ରମଣ ନେଇ ଗୌରୀଙ୍କ ଏକ ଖବର ପ୍ରକାଶ ପାଇବା ପରେ ଏହାକୁ ପ୍ରକାଶକ ଥିବା ଭାଇ ଇନ୍ଦ୍ରଜିତ ପ୍ରତ୍ୟାହର କରିନେଇଥିଲେ । ପରେ ପ୍ରକାଶନ ସଂସ୍ଥାରୁ ପ୍ରିଣ୍ଟର, କମ୍ପ୍ୟୁଟର, ସ୍କାନର ପ୍ରଭୃତି ଚୋରୀ କରିନେଇଥିବା ଗୌରୀଙ୍କ ନାଁରେ ପୁଲିସରେ ଅଭିଯୋଗ କରିବା ସହ ଗୌରୀ ନକ୍ସଲବାଦର ପ୍ରଚାର କରୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ।

ଏହାର ପ୍ରତ୍ୟୁତ୍ତର ଦେଇଥିଲେ ଗୌରୀ । ରିଭଲଭର ଦେଖାଇ ତାଙ୍କୁ ଭୟଭୀତ କରିଥିବା ଇନ୍ଦ୍ରଜିତଙ୍କ ନାଁରେ ପୁଲିସରେ ପାଲଟା ଅଭିଯୋଗ କରିଥିଲେ ସେ । ଖାଲି ସେତିକି ନୁହେଁ, ଇନ୍ଦ୍ରଜିତ ତାଙ୍କୁ ସାମାଜିକ କାର୍ଯ୍ୟକର୍ତ୍ତ ଭାବେ କାଯ୍ୟ କରିବାକୁ ଦେଉନଥିବା ମଧ୍ୟ ସେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ଏହାପରେ ସବୁକିଛି ବଦଳି ଯାଇଥିଲା । ସମୟ ବଦଳିବା ସହ ଅଲଗା ହୋଇଥିଲେ ଭାଇଭଉଣୀ । ତୁଟି ଯାଇଥିଲା ସଂପର୍କ । ଯାହାଫଳରେ ଗୌରୀ ନିଜର ଏକ ସାପ୍ତାହିକ କନ୍ନଡ ପତ୍ରିକାର ଆରମ୍ଭ କରିଥିଲେ । ଯାହାର ନାଁ ରଖିଥିଲେ ଗୌରୀ ଲଙ୍କେଶ ପତ୍ରିକା ।

ଗଣମାଧ୍ୟମର କଣ୍ଠରୋଧକୁ ଘୋର ବିରୋଧ କରୁଥିଲେ ଗୌରୀ । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଏସ.ଏମ. କ୍ରିଷ୍ଣାଙ୍କ ଅତି ପାଖଲୋକ ଭାବେ ଜଣାଶୁଣା କଂଗ୍ରେସ ନେତା ଡି. କେ. ଶିଭକୁମାରଙ୍କ ନାଁରେ ବି ଲେଖିବାକୁ ପଛାଇ ନଥିଲେ ସେ । ୨୦୧୪ରେ କର୍ଣ୍ଣାଟକରେ କଂଗ୍ରେସ ସରକାର ନକ୍ସଲଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ ଗଠିତ କମିଟିରେ ଗୌରୀଙ୍କୁ ସଦସ୍ୟ ଭାବେ ମନୋନୀତ କରିଥିଲେ । ଅବଶ୍ୟ ସେତେବେଳେ ଏହାର ବିରୋଧ କରିଥିଲା ବିଜେପି । ଜାତିପ୍ରଥାର ଘୋର ବିରୋଧ କରି ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଗୌରୀ । ଯେଉଁଥିପାଇଁ ତାଙ୍କୁ ଅନେକ ସମୟରେ ସମାଲୋଚନାର ଶୀକାର ହେବାକୁ ପଡିଛି ।

ନିଜ ଲେଖା ମାଧ୍ୟମରେ ଖୋଲାଖୋଲି ନେତାମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଓ କଳା ଧନ୍ଦାକୁ ବନ୍ଦ କରିବା ପାଇଁ ତାଙ୍କ ଲେଖା ଗୌରୀଙ୍କୁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ହେଲେ ୫ତାରିଖ ଦିନ ତାଙ୍କୁ ହତ୍ୟା କରାଯାଇଛି । କିଏ କାହିଁକି ହତ୍ୟା କରିଛି ତାହା ଜଣାପଡିନି କିନ୍ତୁ ଆତତାୟୀ ଗୁଳିମାରି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଅଫିସରୁ ଫେରି ଘରର ଦୁଆର ଫିଟାଉଥିବା ବେଳେ ମୋଟରସାଇକେଲରେ ତିନି ଜଣ ଅଜଣା ଲୋକ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ପାଖାପାଖି ୭ ରାଉଣ୍ଡ ଗୁଳି ଚଳାଇଥିଲେ ହତ୍ୟାକାରୀ । ଯେଉଁଥିରୁ ତିନିଟି ଗୁଳି ତାଙ୍କ ମୁଣ୍ଡ, ବେକ ଓ ଛାତିରେ ଲାଗିଥିଲା । ଆଉ ଟଳିପଡିଥିଲେ ଗୌରୀ ।

ସାମ୍ବାଦିକତା ଦୁନିଆର ମହିଳା ଆଦର୍ଶ ବୋଲି ବିବେଚନା କରାଯାଉଥିବା ଗୌରୀ ଲଙ୍କେଶଙ୍କ ମୃତ୍ୟୁ ପରେ ଦେଶ ବ୍ୟାପ ପ୍ରତିକ୍ରିୟା ପ୍ରକାଶ ପାଇଛି । ସବୁ ରାଜ୍ୟରେ ସବୁ ସ୍ଥାନରେ ସାମ୍ବାଦିକମାନେ ଏହାର ବିରୋଧ କରି ବିକ୍ଷୋଭ କରିଛନ୍ତି । ଗୌରୀଙ୍କ ହତ୍ୟା ଗଣତନ୍ତ୍ରର ହତ୍ୟା ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମ୍ବାଦିକମାନେ । ଆଉ ଏହାସହ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ବିଜେପି ଦୋଷ ଲଦିଛି କଂଗ୍ରେସ ଉପରେ କଂଗ୍ରେସ ସିଧାସଳଖ କହିଛି ବିଜେପି ଓ ଆରଏସଏସ ହିଁ ଗୌରୀଙ୍କ ହତ୍ୟାକାରୀ ।

ଏତେବଡ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ । ଗଡକରୀ କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଅଛନ୍ତି ଏବଂ ଜୁରୀ ନୁହେଁ ସେ ସବୁ କଥାରେ ପ୍ରତିକ୍ରିୟା ପ୍ରକାଶ କରିବେ । ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ କର୍ଣ୍ଣାଟକର କଂଗ୍ରେସ ସରକାର ଦୋଷୀୁ ତୁରନ୍ତ ଗିରଫ କରି ଦଣ୍ଡ ଦେବା ଦରକାର ବୋଲି ସେ କହିଛନ୍ତି ।

ଏପର୍ଯ୍ୟନ୍ତ ଘଟଣାରେ ଖାସ ଅଗ୍ରଗତି ହୋଇନାହିଁ । ତଦନ୍ତ ନାଁରେ ଦୁଇଜଣଙ୍କୁ ଡାକି ପଚରାଉଚୁରା କରିଛି ଚିକାକମଲଗୁର ପୁଲିସ । ଜଣଙ୍କ ନାଁ ସନ୍ଦୀପ ଓ ଅନ୍ୟଜଣେ ମଲ୍ଲିକାର୍ଜୁନ ବୋଲି ଜଣାପଡିଛି । ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ଗୌରୀଙ୍କ ନାଁରେ ଫେସବୁକରେ ପୋଷ୍ଟ କରିଥିବା ଦୁଇଜଣଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଛି । କଲବୁର୍ଗୀ, ପଂସାରେ ଓ ଦାଭୋଲକରଙ୍କ ହତ୍ୟା ସମୟରେ ଏହିଭଳି ହତ୍ୟା କରାଯାଇଥିବାରୁ ଘଟଣାର ଗୁରୁତ୍ୱ ବଢ଼ିଯାଇଛି ବୋଲି ସେ କହିଛନ୍ତି । ପୁଲିସ ଆଇଜିଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ।

ତେବେ ଗୌରୀଙ୍କ ହତ୍ୟା ପରେ ସାରାଦେଶରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଛି । ବିଗତ ଦିନର ଇତିହାସକୁ ମନେ ପକାଇ ଏହା ବ୍ୟବସ୍ଥାର ହତ୍ୟା ବୋଲି ସ୍ୱର ଉଠିଛି । ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାର ଅର୍ଥ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରିବା ବୋଲି ଅନେକ ମତ ଦେଇଛନ୍ତି । କେବଳ ଗୌରୀ ଲଙ୍କେଶ ନୁହଁନ୍ତି ଅତୀତରେ ଏମିତି ଅନେକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ୨୦୧୫ରେ ସେହି କର୍ଣ୍ଣାଟକରେ ସାହିତ୍ୟିକ ତଥା ପତ୍ରକାର ଏମଏମ କୁଲବର୍ଗୀଙ୍କୁ ଧାରବାଡ ନିକଟ ତାଙ୍କ ଘର ସାମ୍ନାରେ ହତ୍ୟା କରାଯାଇଥିଲା । ଏ ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ପାରିନି ।

୨୦୧୫ରେ ମହାରାଷ୍ଟ୍ରରେ ସାମାଜିକ କର୍ମୀ ଗୋବିନ୍ଦ ପଂସାରେଙ୍କୁ ହତ୍ୟା କରା ଯାଇଥିଲା । ଗୁଳିମାଡରେ ଟଳି ପଡିଥିଲେ ଏହି ସାମାଜିକ କର୍ମୀ ଜଣକ । ତାଙ୍କ ପତ୍ନୀଙ୍କୁ ବି ସେତେବେଳେ ଟାର୍ଗେଟ କରାଯାଇଥିଲା । ଆଉ ଏହି ଘଟଣାରେ ରାଇଟ ୱିଙ୍ଗର କିଛି ଲୋକଙ୍କୁ ଗିରଫ କରାଯାଇଥିଲା ।

୨୦୧୩ରେ ପୁଣେରେ ଆଉ ଜଣେ ସାମାଜିକ କର୍ମୀ ଡଃ ନରେନ୍ଦ୍ର ଦାମ୍ଭୋଲକାରଙ୍କୁ ହତ୍ୟା କରାଯାଇଥିଲା । ସକାଳୁ ସକାଳୁ ତାଙ୍କୁ ଟାର୍ଗେଟ କରାଯାଇଥିଲା ଓ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରାଗଲା । ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଲଗାତର ଲଢ଼େଇ କରୁଥିବା ଦାମ୍ଭୋଲକରଙ୍କ ହତ୍ୟା ସାମାଜିକ ବିଧି ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଛିଡା କରିଥିଲା ।

ଭୟ କଣ କେବେ ଜାଣି ନଥିବା ପତ୍ରକାର ଗୌରୀ ଲଙ୍କେଶ ଅନେକ ସମୟରେ ଅନେକ ମୁଦ୍ଦା ଉଠାଇଛନ୍ତି । ଯାହା ସମାଜ ଉପରେ ପ୍ରଭାବ ପକାଇଛି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଥିଲେ ଗୌରୀ । ଅନେକ ପ୍ରସଙ୍ଗରେ ସ୍ୱର ଉଠାଇଛନ୍ତି ସେ । ହତ୍ୟାର ପୂର୍ବଦିନ ସେ ଫେକ ପୋଷ୍ଟକୁ ନେଇ ଟୁଇଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ବର୍ତ୍ତମାନର ସମୟରେ କିଛି ଲୋକ ଫେକ ପୋଷ୍ଟ କରିବାର ଭୁଲ କରୁଛନ୍ତି । ସେଥିପାଇଁ ଜଣେ ଆଉ ଜଣଙ୍କୁ ଚେତାବନୀ ଦେଇ ଜଣେ ଆଉଜଣଙ୍କୁ ଏକ୍ସପୋଜ ନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ସେ ଆଉ ଏକ ଟ୍ୱିଟ ବି କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି, ଆମମାନଙ୍କ ଭିତରୁ କିଛିଜଣ ନିଜ ଭିତରେ ହିଁ ଲଢ଼ୁଛେ । ଆମେ ନିଜେ ନିଜର ବଡ ଶତ୍ରୁ ପାଲଟିଯାଇଛେ । ଏହା ଉପରେ କଣ ଧ୍ୟାନ ଦିଆଯାଇପାରିବ । ଏହାବ୍ୟତୀତ ସୋସିଆଲ ମିଡିଆ ଫେସବୁକ, ଟ୍ୟୁଟର ଓ ୟୁଟୁବରେ ଅନେକ ପ୍ରସଙ୍ଗ ଉପରେ ପୋଷ୍ଟ କରୁଥିଲେ । ଯାହାଦ୍ୱାରା ସମସ୍ତଙ୍କର ନଜର ତାଙ୍କ ଉପରେ ରହୁଥିଲା । ଏହାକୁ ନେଇ ତାଙ୍କୁ ଅନେକ ସମୟରେ ଧମକ ମିଳୁଥିବା ନେଇ ମଧ୍ୟ ପୂର୍ବରୁ ଶୁଣିବାକୁ ମିଳିଥିଲା ।

ସେପଟେ ପୁଲିସ କହିଛି ଜମିଜମା ବିବାଦ ବି ଗୌରୀଙ୍କ ମୃତ୍ୟୁର ଆଉ ଏକ କାରଣ ହୋଇପାରେ । କାରଣ ଗୌରୀ ଓ ଭାଇ ଇନ୍ଦ୍ରଜିତଙ୍କ ମଧ୍ୟରେ ପୂର୍ବରୁ ବିବାଦ ମୁଣ୍ଡ ଟେକିଥିଲା । ତେଣୁ ମୃତ୍ୟୁ ପଛର କାରଣ ଖୋଜି ଏ ଦିଗରେ ବି ଯାଂଚ କରୁଛି ପୁଲିସ । ତେବେ ଖୁବଶୀଘ୍ର ଆସାମୀ ମାନଙ୍କ ପାଖରେ ଆଇନର ଲମ୍ବା ହାତ ପହଂଚିଯିବ ବୋଲି ପୁଲିସ କହିଛି ।