କୋଣାର୍କ ପରେ ଏବେ ଶ୍ରୀମନ୍ଦିର ! ସିଂହଦ୍ୱାରରୁ ଦଶାବତାର ମୂର୍ତ୍ତୀ କାଢିନେଇ ସାଦା ପଥର ଲଗାଯାଇଥିବା ନେଇ ଆସିଲା ସଙ୍ଗୀନ ଅଭିଯୋଗ

ମରାମତି ଆଳରେ ବର୍ଷ ବର୍ଷ ହେଲା ଲୁହା ଶିକୁଳିରେ ଶ୍ରୀମନ୍ଦିରକୁ ବାନ୍ଧି ରଖାଯାଇଛି

89

କନକ ବ୍ୟୁରୋ : ବିଶ୍ବ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇଥିବା କେବଳ କୋଣାର୍କ ମନ୍ଦିର ନୁହେଁ, ଶ୍ରୀମନ୍ଦିରକୁ ବି ଏକପ୍ରକାର ଶ୍ରୀହୀନ କରି ଦେଉଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)। ଏଠାରୁ ଅନେକ ନିଖୁଣ କାରୁକାର୍ଯ୍ୟକୁ କାଢ଼ି ନିଆଯାଇ ସାଦା ପଥର ଯୋଡ଼େଇ କରାଯାଇଛି। ମରାମତି ଆଳରେ ବର୍ଷ ବର୍ଷ ହେଲା ଲୁହା ଶିକୁଳିରେ ଶ୍ରୀମନ୍ଦିରକୁ ବାନ୍ଧି ରଖାଯାଇଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଦଶାବତାର ମୂର୍ତି। ପ୍ରାୟ ୭ ବର୍ଷ ତଳେ ଖୋଲି ଦିଆଯାଇଥିବା ଏହି ମୂର୍ତି ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଲାଗିପାରୁନାହିଁ। ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଦଶାବତାରଙ୍କୁ ମୁଣ୍ଡିଆ ମାରି ଯିବାର ବିଶ୍ବାସ ରହିଥିବା ବେଳେ ଏଏସ୍ଆଇ ବିବାଦ, ଆଇନର ଆଳ ଦେଖାଇ ଏହି ବିଶ୍ବାସରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି। ମରାମତି, ସଂରକ୍ଷଣ ଆଳରେ ଏଏସ୍ଆଇ ଶ୍ରୀମନ୍ଦିରକୁ ଏକପ୍ରକାର ଭୁଲୁଣ୍ଠିତ କରୁଥିବା ଭକ୍ତ ଓ ସେବାୟତମାନେ ଅଭିଯୋଗ କରିଛନ୍ତି।

 

କାହିଁ କେଉଁ ଅମଳରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଶାବତାର ମୂର୍ତି ପୂଜା ପାଇ ଆସୁଥିଲେ। ଯେଉଁଥିରେ ମତ୍ସ୍ୟ, କଶ୍ୟପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୌଦ୍ଧ ଓ କଳକୀଙ୍କୁ ସ୍ଥାନୀତ କରାଯାଇଥିଲା। ବର୍ଷ ବର୍ଷ ଧରି ଦଶାବତାର ମୂର୍ତିଙ୍କୁ ଭକ୍ତମାନେ ମୁଣ୍ଡିଆ ମାରି ମନ୍ଦିର ପ୍ରବେଶ କରୁଥିଲେ। କିନ୍ତୁ ଶ୍ରୀମନ୍ଦିରର ମରାମତି, ସଂରକ୍ଷଣ ଆଳରେ ୨୦୧୨ ମସିହାରେ ଏଏସ୍ଆଇ ଏହାକୁ ସିଂହଦ୍ବାର ଗୁମୁଟରୁ ହଟାଇ ଦେଇଛି। ସେ ସମୟରେ ଦଶାବତାର ମୂର୍ତିକୁ ହଟାଇ ନୀଳାଦ୍ରି ମ୍ୟୁଜିୟମରେ ରଖାଯାଇଥିଲା। ଏହା ବଦଳରେ ଦଶାବତାରଙ୍କ ସ୍ଥାନରେ ସାଦା ପଥର ଲଗାଯାଇଥିଲା। ଯାହା ଏବେ ବି ରହିଛି। ଏହା ଶ୍ରୀମନ୍ଦିରର ଶ୍ରୀକୁ ନଷ୍ଟ କରିବା ସହ ଭକ୍ତଙ୍କ ଭାବାବେଗକୁ ଘୋର ଆଘାତ ପହଞ୍ଚାଇଛି। ସେ ସମୟରେ ଦଶାବତାର ମୂର୍ତି ହଟାଯିବାକୁ ନେଇ ତୀବ୍ର ବିବାଦ, ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପୁନର୍ବାର ପୂର୍ବ ସ୍ଥାନରେ ଦଶାବତାର ମୂର୍ତି ଲଗାଇବା ପାଇଁ ଭକ୍ତ ଓ ବିଭିନ୍ନ ସଂଗଠନ ଦାବି କରିଥିଲେ। ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଏଠାରେ ଦଶାବତାର ମୂର୍ତି ଲଗାଇବାକୁ ନିଷ୍ପତ୍ତି ନେଇଥିଲା।

 

ସେହି ଅନୁଯାୟୀ ମୂର୍ତି ମଧ୍ୟ ବରାଦ ଦିଆଗଲା। କିନ୍ତୁ ଦଶାବତାର ମୂର୍ତିଙ୍କ ନବମ ସ୍ଥାନରେ ରହିଥିବା ବୁଦ୍ଧଙ୍କ ମୂର୍ତି ଲଗାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବୁଦ୍ଧଙ୍କ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତି ଲଗାଇବାକୁ ଅନେକ ଯୁକ୍ତି ବାଢ଼ିଥିଲେ। ଯେହେତୁ ନବମ ଅବତାର ବୁଦ୍ଧଙ୍କର, ଦଶାବତାର ଭିତରେ ଜଗନ୍ନାଥ ରହିବା ଅନୁଚିତ୍ ବୋଲି କେତେକ ମତ ରଖିଥିଲେ। ଏହି ବାଦବିବାଦ ଭିତରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦଶାବତାର ମୂର୍ତି ଲାଗିପାରୁନି। ଯାହାର ମୂଳ କାରଣ ହେଉଛି ଏଏସ୍ଆଇ। ଯେଉଁ ସମୟରେ ଏଏସ୍ଆଇ ଶ୍ରୀମନ୍ଦିରର ମରାମତି କଲା ସେ ସମୟରେ ଦଶାବତାର ମୂର୍ତିଙ୍କୁ ଭାଙ୍ଗି ଦେଇଥିଲା। ଦଶବତାର ମୂର୍ତି କ୍ଷତବିକ୍ଷତ ହେବାରୁ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଏଏସ୍ଆଇ ଏହାକୁ ହଟାଇ ଦେଇଥିଲା। ପରବର୍ତୀ ସମୟରେ ଏହା ଖଡ଼ି ପଥରରେ ନିର୍ମାଣ କରାଯାଇଥିବାରୁ ମରାମତି ସମୟରେ ଏହାକୁ କାଢ଼ି ଦିଆଯାଇଥିବା କହି ଏଏସ୍ଆଇ ଚୁପ୍ ବସିଲା। ଏବେ ଏହି ପ୍ରସଙ୍ଗକୁ ଏଏସ୍ଆଇ ସଂପୂର୍ଣ୍ଣ ଭୁଲିଯାଇଛି। ଦଶାବତାର ମୂର୍ତି ନୀଳାଦ୍ରି ମ୍ୟୁଜିୟମରେ ଅଛି କି ନାହିଁ ତାର ବି ସଠିକ୍ ଉତ୍ତର କାହାରି ପାଖରେ ନାହିଁ। ଯାହା ଭକ୍ତ ଓ ସେବାୟତଙ୍କ ମନକୁ ଆନ୍ଦୋଳିତ କରିଛି।

 

ଭାତ ହାଣ୍ଡିରୁ ଗୋଟିଏ ଭଳି ଇଏ ଏକ ଉଦାହରଣ ମାତ୍ର। ଶ୍ରୀମନ୍ଦିରର ଏଭଳି ଅନେକ ସ୍ଥାନରୁ ଏଏସ୍ଆଇ ନିଖୁଣ କାରୁକାର୍ଯ୍ୟକୁ କାଢ଼ି ନେଇଛି। ଏ ତ’ ଗଲା ମୂର୍ତି କଥା। ବିଗତ ୪୩ ବର୍ଷ ହେଲା ଶ୍ରୀମନ୍ଦିର ମରାମତି ଦାୟିତ୍ବ ନେଇଥିବା ଏଏସ୍ଆଇ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରରୁ ଲୁହା ବାଡ଼ ହଟାଇପାରୁନି। ମରାମତି ଆଳରେ ବର୍ଷ ବର୍ଷ ଧରି ବିମଳା ମନ୍ଦିର ସମ୍ମୁଖ ଶ୍ରୀମନ୍ଦିରରେ ତଳୁ ଉପର ଯାଏ ଲୁହା ବାଡ଼ ଘେରାଇ ରଖାଯାଇଛି। ଏପରି ପରିସ୍ଥିତିରେ ୪୩ ବର୍ଷ ଧରି ସୁରକ୍ଷା ଦାୟିତ୍ବରେ ଥିବା ଏଏସ୍ଆଇ ଶ୍ରୀମନ୍ଦିରର କି ସୁରକ୍ଷା କରୁଛି ତାହା ସହଜରେ ଅନୁମେୟ। ଏ ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ଚିତ୍ତରଂଜନ ଦାସ କହିଛନ୍ତି, ଦଶାବତାର ମୂର୍ତି ଖଡ଼ି ପଥରରେ ତିଆରି ହୋଇଥିବାରୁ ଶ୍ରୀମନ୍ଦିର ମରାମତି ବେଳେ ଏହା ଗଳି ପଡ଼ିଥିଲା। ଏଏସ୍ଆଇର ଦାୟିତ୍ବ ହେଉଛି କେବଳ ଶ୍ରୀମନ୍ଦିରର ମରାମତି ଓ ସଂରକ୍ଷଣ। କୌଣସି ପଥର ଲଗାଇବା ଏଏସ୍ଆଇ କର୍ତୃତ୍ବ ବାହାରେ। ଏଣୁ ଶ୍ରୀମନ୍ଦିରରେ ଦଶାବତାର ମୂର୍ତି ଲଗାଇବା ଆମ ଦାୟିତ୍ବ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି। ଶ୍ରୀ ଦାସଙ୍କ ଏହି ମନ୍ତବ୍ୟ ଏଏସ୍ଆଇର ଚରମ ଦାୟିତ୍ବହୀନତା ଓ ଅବହେଳାକୁ ସୂଚିତ କରୁଛି। ଶ୍ରୀମନ୍ଦିର ଭଳି ପୁରାତନ ଐତିହ୍ୟର ସୁରକ୍ଷା ଦିଗରେ ଏଏସ୍ଆଇ କେତେ ଯତ୍ନବାନ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।