ହ୍ଵାଟସଆପ୍‌ ତଥ୍ୟକୁ ନିୟନ୍ତ୍ରଣ କରାଯାଇପାରିବ : ସୂଚନା ଦେଲେ ସରକାର

51

କୌଣସି ସେବା ପ୍ରଦାନକାରୀ ବା ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ଯଦି ଜଣଙ୍କ ବ୍ୟକ୍ତିଗତ ତଥ୍ୟ କାହାରିକୁ ପ୍ରଦାନ କରାଯାଏ ତାହା ସମ୍ବିଧାନର ଧାରା ୨୧ ଅନୁଯାୟୀ ତାହା ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଯଦି କୌଣସି ସେବା ପ୍ରଦାନକାରୀ ବା ସୋସିଆଲ ମିଡିଆ ପ୍ଲାଟଫର୍ମ ଯିଏ କି ଜଣଙ୍କ ଜୀବନ ପ୍ରତି ଅଧିକାରରେ ହସ୍ତକ୍ଷେପ କରୁଛି ତାହାକୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ସରକାର ଆଜି ଏହି ମତ ରଖିଛନ୍ତି ।

୨୦୧୬ରେ ଫେସବୁକ୍‌ ଏବଂ ହ୍ଵାଟସଆପ୍‌ ମଧ୍ୟରେ ହୋଇଥିବା ତଥ୍ୟ ଆଦାନପ୍ରଦାନ ରାଜିନାମାକୁ ବିରୋଧ କରି କେତେଜଣ ଛାତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ତଥ୍ୟ ଆଦାନ ପ୍ରଦାନ ଗୋପନୀୟତା ଆଇନର ଉଲ୍ଲଂଘନ କରୁଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏହି ତଥ୍ୟ ମଧ୍ୟରେ ହ୍ଵାଟସଆପରେ ବ୍ୟବହାରକାରୀମାନେ ଆଦାନପ୍ରଦାନ କରୁଥିବା ଫଟୋ, ମେସେଜ୍‌, ପିକ୍‌ଚର ଆଦି ଅନ୍ତର୍ଭୁକ୍ତ । ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ପି. ଏସ. ନରସିଂହ ଯୁକ୍ତି ଉପସ୍ଥାପନ କରି କହିଲେ, ମୋ ବ୍ୟକ୍ତିତ୍ୱ ସମ୍ପର୍କିତ ତଥ୍ୟ ମୋ ଜୀବନ ଏବଂ ମର୍ଯ୍ୟାଦାର ଅବିଚ୍ଛିନ୍ନ ଅଙ୍ଗ ।

ତେଣୁ ସମ୍ବିଧାନର ଧାରା ୨୧ ଉପରେ ଯଦି କେହି ହସ୍ତକ୍ଷେପ କରେ ତାହାକୁ ନିୟନ୍ତ୍ରିତ କରାଯିବା ଉଚିତ ବୋଲି ସେ କହିଛନ୍ତି । ତେବେ ଆଧାର ମାମଲାରେ ସରକାର ୯ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ସମ୍ମୁଖରେ ବ୍ୟକ୍ତିଗତ ଗୋପନୀୟତା ଉପରେ ଯେଉଁ ମତ ରଖିଛନ୍ତି ତାହା ସହିତ ଏହି ଖଣ୍ଡପୀଠରେ ରଖିଥିବା ମତ ଖାପ ଖାଉନାହିଁ । ଆଧାର ମାମଲାରେ ସରକାର ଯୁକ୍ତି ବାଢ଼ିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ଗୋପନୀୟତା ଏକ ମୌଳିକ ଅଧିକାର ନୁହେଁ । ଏହା ଏକ ସାଧାରଣ ଆଇନଗତ ଅଧିକାର ଏବଂ ଏଥିରେ ସରକାର ହସ୍ତକ୍ଷେପ କରିପାରିବେ ।