ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବିରେ ମହାବନ୍ଦ : ସମ୍ବଲପୁରରେ ରେଳରୋକ, ଯାତ୍ରୀ ହନ୍ତସନ୍ତ

103

କନକ ବ୍ୟୁରୋ : ତେଜିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଆଜିଠାରୁ ୪୮ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଦୁଇଦିନିଆ ମହାବନ୍ଦରେ ସମ୍ବଲପୁର, ଝାରୁସୁଗୁଡା, ବଲାଙ୍ଗୀର, ଦେବଗଡ ଓ ସୋନପୁର ଏକପ୍ରକାର ଠପ୍ ହୋଇଯାଇଛି । ସ୍କୁଲ-କଲେଜ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ରଖିବାକୁ ଆହ୍ୱାନ ଦେଇଥିଲା କମିଟି । ସକାଳୁ ସକାଳୁ ସମ୍ବଲପୁରରେ ରାସ୍ତାରୋକ କରାଯାଇଛି । ଆଜି ଓ କାଲି ଦୁଇ ଦିନ ଧରି ଏହି ମହାବନ୍ଦ ପାଳନ କରାଯିବ । ଆନ୍ଦୋଳନ ସମୟରେ ରାତିରେ ମଧ୍ୟ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି ସଂଘ । ଏହି ବନ୍ଦ୍ ଡାକରାକୁ ୨ଶହରୁ ଅଧିକ ସଂଗଠନ ସମର୍ଥନ ଦେଇଛନ୍ତି ।

ଫଳରେ ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ବୈଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡାରେ ଏହି ବନ୍ଦର ପ୍ରଭାବ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଜନିତ ଯାନବାହାନ ପ୍ରବେଶ ପାଇଁ ଓକିଲ ସଂଘ ପକ୍ଷରୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଇଛି । ସାଧାରଣ ଜନତା ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣି ରଖିବା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅପିଲ କରାଯାଇଛି ।

ଅନ୍ୟପଟେ ଏହି ବନ୍ଦ ପାଳନରେ ସାମିଲ ହେବେନି ବଲାଙ୍ଗୀର ଓ ବରଗଡ ଓକିଲ ସଂଘ । ଦୁଇ ଓକିଲ ସଂଘଙ୍କ ପକ୍ଷରୁ ବନ୍ଦରେ ସାମିଲ ହେବେନି ବୋଲି ସୂଚନା ଦିଆଯାଇଛି । ଗତତିନି ମାସ ହେଲା କୋର୍ଟ କାର୍ଯ୍ୟ ବନ୍ଦ ଥିବାବେଳେ ୧୯ତାରିଖରୁ କୋର୍ଟ ସାମନାରେ ପଶ୍ଚିମଓଡିଶାର ଓକିଲମାନେ ପିକେଟିଂ କରି କୋର୍ଟକୁ ସମ୍ପ୍ରୁ୍ଣ୍ଣ ବନ୍ଦ କରିଛନ୍ତି । ମହାବନ୍ଦରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିଭଳି ବିଭିନ୍ନ ଷ୍ଟେସନରେ ମଧ୍ୟ ଜିଆରପି ଓ ଆରପିଏଫ ମୁତୟନ ଅଛନ୍ତି ।