ରସଗୋଲା ଲଢ଼େଇରେ ବାଜି ମାରିଲା ପଶ୍ଚିମବଙ୍ଗ ! ରସଗୋଲା ପାଇଁ ହାସଲ କଲା ଜିଆଇ ଟାଗ୍

89

କନକ ବ୍ୟୁରୋ : ରସଗୋଲା ଯୁଦ୍ଧରେ ବାଜି ମାରିଲା ପଶ୍ଚିମବଙ୍ଗ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଜିତିଲା ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍ । ଓଡିଶା ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାକୁ ନେଇ ଏକ ପ୍ରକାର ଯୁଦ୍ଧ ଚାଲିଥିଲା । କିନ୍ତୁ ପରିଶେଷର ହାର ମାନିଲା ଓଡ଼ିଶା । ସୂଚନାଯୋଗ୍ୟ ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୁଇବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ୟ୍ୟାଳୟରେ ଆବେଦନ କରିଥିଲା । ଆଉ ଆଜି ରସଗୋଲାକୁ ଚେନ୍ନାଇସ୍ଥିତ ସଂପୃକ୍ତ କର୍ତୃପକ୍ଷ, ବଙ୍ଗଲା ରସଗୋଲା ନାଁରେ ଜିଆଇ ମାନ୍ୟତା ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢିଥିଲେ, ବଙ୍ଗଳା ହେଉଛି ରସଗୋଲାର ଉତ୍ପତି । ବଙ୍ଗଳାର ପ୍ରସିଦ୍ଧ ମିଠା ପ୍ରସ୍ତୁତକାରୀ ନବୀନ ଦାସ ଏହାକୁ ୧୮୬୮ ମସିହାରେ ଆବିଷ୍କାର କରିଥିଲେ । ପୂର୍ବରୁ ଓଡିଶା ସରକାର ରସଗୋଲାର ଉତ୍ପତି ୬୦୦ ବର୍ଷ ତଳର ବୋଲି କହିଥିଲେ । ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଥିବା ସାହିତ୍ୟିକ ପ୍ରମାଣ ମଧ୍ୟ ରହିଛି, ଯାହାକି ୫ ଶହ ବର୍ଷ ପୁରୁଣା ।

ତେବେ ପଶ୍ଚିମବଙ୍ଗ ଆବଦେନ ପରେ ଜିଆଇ ଅଧିକାରୀ କହିଛନ୍ତି ରସଗୋଲା କେବଳ ପଶ୍ଚିମବଙ୍ଗର, ଏଥିରେ ଓଡ଼ିଶାର କୌଣସି ଅଧିକାର ନାହିଁ । ଆବେଦନ ଫର୍ମରେ କୁହାଯାଇଥିଲା ତାଙ୍କ ରାଜ୍ୟରେ ଯେପରି ମିଠା ତିଆର ହେଉଛି ଅନ୍ୟ ରାଜ୍ୟରେ ସେପରି ହେଉନି । ଏପରିସ୍ଥଳେ ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦେଇଥିଲେ । ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ । ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିଲା । କିନ୍ତୁ ଏଥିରେ ବିଶେଷ କିଛି ସୁଫଳ ମିଳିନଥିଲା । ଆଉ ରସଗୋଲା ଆମର ବୋଲି ଦାବି କରୁଥିବା ଓଡ଼ିଶାକୁ ନରାଶ ହେବାକୁ ପଡ଼ିଛି ।ତେବେ ଜିଆଇ ଟାଗ୍ ହାସଲ କଲା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି । ରାଜ୍ୟ ପାଇଁ ବହୁତ ବଡ଼ ଖୁସିର କଥା ବୋଲି ମଧ୍ୟ କହିଛନ୍ତି ।