ଉତ୍ତର ଓଡିଶାରେ ବନ୍ୟା ସମ୍ଭାବନା ! ୬ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଲେ ସରକାର

53

କନକ ବ୍ୟୁରୋ : ଚିନ୍ତା ବଢାଇଲା ଲଗାଣ ବର୍ଷା । ଫୁଲୁଛି ଉତ୍ତର ଓଡିଶାର ପ୍ରମୁଖ ନଦୀ । ଉତ୍ତର ଓଡିଶାରେ ବନ୍ୟା ସମ୍ଭାବନା । ୬ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ ଚିଠି ଲେଖିଲେ ସରକାର । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖାରେ ଆସିପାରେ ବନ୍ୟା । ବିପଦ ସଙ୍କେତ ଉପରେ ବୋହୁଛି ଜଳକା । ଏହାରି ଭିତରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ଘଂଟା ମଧ୍ୟରେ ଉତର ଓ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ ।

ଏବେ ନଜର ପକାନ୍ତୁ କେଉଁ ନଦୀରେ କେତେ ରହିଛି ଜଳସ୍ତର :

ଜଳକା
ବିପଦ ସଙ୍କେତ ୫.୫୦ ମିଟର, ଜଳସ୍ତର( ୩ଟା ସୁଦ୍ଧା) ୬.୧୦ ମିଟର

ମହାନଦୀ( ନରାଜ)
ଜଳସ୍ତର- ୨୫.୪୧ ମିଟର, ବିପଦ ସଙ୍କେତ -୨୬.୪୧ ମିଟର, ଜଳସ୍ତର( ୩ଟା ସୁଦ୍ଧା) ୨୩.୫୭ମିଟର

ବ୍ରାହ୍ମଣୀ
ଜଳସ୍ତର- ୨୨.୦୦ ମିଟର, ବିପଦ ସଙ୍କେତ -୨୩.୦୦ ମିଟର, ଜଳସ୍ତର( ୩ଟା ସୁଦ୍ଧା) ୧୮.୬୦ ମିଟର

ବୈତରଣୀ ( ଆନନ୍ଦପୁର)
ଜଳସ୍ତର- ୨୨.୦୦ ମିଟର, ବିପଦ ସଙ୍କେତ -୨୩.୦୦ ମିଟର, ଜଳସ୍ତର( ୩ଟା ସୁଦ୍ଧା) ୧୮.୬୦ ମିଟର

ବୁଢାବଳଙ୍ଗ
ଜଳସ୍ତର- ୭.୨୧ ମିଟର, ବିପଦ ସଙ୍କେତ -୦୮.୧୩ମିଟର, ଜଳସ୍ତର( ୩ଟା ସୁଦ୍ଧା) ୦୩.୧୪ ମିଟର

ଲଗାଣ ବର୍ଷା ଯୋଗୁଁ ଜଳକା ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିପଦ ସଙ୍କେତ ଉପରେ ବୋହୁଛି ଜଳକା । ନଦୀରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଦିନ ୩ ଟା ସୁଦ୍ଧା ଏହା ୬.୧୦ ମିଟର ଉପରେ ପ୍ରବାହିତ ହେଉଛି । ଯଦି ବନ୍ୟା ଆସେ ତାହାହେଲେ ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକର ପାଖାପାଖି ୪୦ଟି ଗାଁ ପ୍ରଭାବିତ ହେବ ।

ଖାଲି ଜଳକା ନୁହେଁ ଉତ୍ତର ଓଡିଶାର ଅଧିକାଂଶ ନଦୀରେ ଏବେ ପ୍ରୋଖର ସ୍ରୋତ । ବିପଦ ସଙ୍କେତ ଛୁଇଁବାରେ ଲାଗିଛି ନଦୀଜଳ । ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ସ୍ଥିତି ସମାନ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଧୀରେ ଧୀରେ ଲଘୁଚାପର ରୂପ ନେଉଛି । ଫଳରେ ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ଆହୁରି ବଢିବ । ଆଉ ଉପରମୁଣ୍ଡରେ ଅଧିକ ବର୍ଷା, ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ।

ଏହାରି ଭିତରେ ଖୋଲିଛି ହୀରାକୁଦ ଡ୍ୟାମ୍ ଗେଟ୍ । ବର୍ତ୍ତମାନ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆଗକୁ ଆହୁରି ଗେଟ୍ ଖୋଲିବା ସମ୍ଭାବନା ରହିଛି ।