କାରଗିଲ୍ ଯୁଦ୍ଧରେ ଶତ୍ରୁଦେଶକୁ ନାକେଦମ୍ କରିଥିବା ଏଭଳି ଜଣେ ସାହସୀ ଯବାନଙ୍କ ବିଜୟ ଗାଥା,ଯାହାଙ୍କୁ ଆଜି ମଧ୍ୟ ଝୁରୁଛି ଭାରତ ।

53

ଦେଶ ପାଇଁ,ମାତୃଭୂମି ପାଇଁ ହସି ହସି ଜୀବନକୁ ବାଜି ଲଗାଇବାର ସତସାହସ ଜଣେ ବୀର ଯବାନ ହିଁ ଜୁଟାଇ ପାରିବେ । ଖରା,ବର୍ଷାକୁ ଭ୍ରୁକ୍ଷେପ ନକରି ବିପଦପୂର୍ଣ୍ଣ ସୀମାରେ ନିଜ ଜୀବନର ଅନ୍ତିମ ମୂହୁର୍ତ୍ତରେ ମଧ୍ୟ ଜଣେ ଯବାନ ପରିବାରକୁ ପଛରେ ପକାଇ ଭାରତମାତା ଏବଂ ଭାରତୀୟଙ୍କ ସୁରକ୍ଷା ସକାଶେ ଅହରହ ଚେଷ୍ଟା କରିଥାଏ । ଯାହାଙ୍କ ବଳିଦାନ ଯୋଗୁଁ ଆଜି ଭାରତ ଦେଶର ପ୍ରତ୍ୟେକଟି ଘରେ ଲୋକେ ଆରାମରେ ନିଶ୍ୱାସ ମାରି ପାରୁଛନ୍ତି । କହିବାକୁ ଗଲେ ବାସ୍ତବ ଜୀବନରେ ଭାରତୀୟଙ୍କ ହିରୋ ପାଲଟିଥିବା ବୀର ଯବାନଙ୍କ ଋଣ କେହି ଚାହିଁଲେ ବି ଶୁଝି ପାରିବେ ନାହିଁ । ଆଜି ଆମେ ଏଭଳି ଜଣେ ସାହସୀ ଯବାନଙ୍କ କଥା କହିବାକୁ ଯାଉଛୁ ଯେ କାରଗିଲ୍ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ନାକେଦମ୍ କରି ଶେଷରେ ନିଜ ସାଥିଙ୍କୁ ବଞ୍ଚାଇବାକୁ ଯାଇ ନିଜେ ସହିଦ୍ ହୋଇଯାଇଥିଲେ । ପରମବୀର ଚକ୍ର ପ୍ରାପ୍ତ କରିଥିବା ସେହି ଭାରତମାତାର ସାହସୀ ସନ୍ତାନ ହେଲେ କ୍ୟାପଟେନ୍ ବିକ୍ରମ ବତ୍ରା । ବିକ୍ରମ ବତ୍ରା କାରଗିଲ ଯୁଦ୍ଧରେ ଅଦ୍ଭୁତପୂର୍ଣ୍ଣ ବୀରତାର ପରିଚୟ ଦେଇ ସହିଦ ହୋଇଯାଇଥିଲେ । ଏହାପରେ ତାଙ୍କୁ ଭାରତର ବୀରତା ସମ୍ମାନ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

୧୯୯୯ ମସିହା ଜୁନ ମାସ ୧୯ ତାରିଖରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଲିଡରସିପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇଥିଲା ଏବଂ ସେହି ବର୍ଷ ଜୁଲାଇ ମାସ ୭ ତାରିଖରେ ତାଙ୍କର ମୃତ୍ୟୁ ନିଜର ଜଣେ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ହୋଇଥିଲା । ଏହି ଅଫିସରଙ୍କୁ ବଞ୍ଚାଇବା ବେଳେ ବିକ୍ରମ କହିଥିଲେ ତୁମ୍ ହଟ୍ ଯାଓ, ତୁମହାରେ ବିବି-ବଚେ ହେଁ । ତେବେ ସବୁବେଳେ ନିଜ ମିଶନରେ ସଫଳତା ପାଇବା ପରେ କ୍ୟାପଟେନ୍ ବିକ୍ରମ ବତ୍ରା ଜୋରରେ ଚିଲାଇଥାନ୍ତି । ତାଙ୍କ ସାଥୀ ନବୀନ, ଯିଏକି ବଙ୍କରରେ ତାଙ୍କ ସହ ଥିଲେ, ସିଏ କହନ୍ତି ଯେ, ହଠାତ ଏକ ବମ୍ ଆସି ତାଙ୍କ ପାଦ ପାଖରେ ଫାଟିଥିଲା । ନବୀନ ସମ୍ପୂର୍ଣ୍ଣ ଭାବରେ ଆହତ ହୋଇଯାଇଥିଲେ । କିନ୍ତୁ ବିକ୍ରମ ବତ୍ରା ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ହଟାଇଥିଲେ । ଆଉ ଯେଉଁଥିପାଇଁ ତାଙ୍କ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ଏହା ପରେ ଘଟିଥିଲା ଅତି ହୃଦୟ ବିଦାରକ ଘଟଣା । ଆଉ ଜଣେ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ସହିଦ ହୋଇଯାଇଥିଲେ କ୍ୟାପଟେନ୍ ବିକ୍ରମ ବତ୍ରା ।

କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ସାହସିକତାର କାହାଣୀ ନା କେବଳ ଭାରତ ମନେ ରଖିଛି ବରଂ ପାକିସ୍ତାନରେ ମଧ୍ୟ ବିକ୍ରମ ଅତ୍ୟନ୍ତ ପପୁଲାର ଅଟନ୍ତି । ଗୋଟିଏ ସମୟରେ ବିକ୍ରମ ମଧ୍ୟ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ । ବିକ୍ରମ ବତ୍ରାଙ୍କର ୧୩ ଜାକ୍ ରାଇଫଲ୍ସରେ ୧୯୯୭ ମସିହା ଡିସେମ୍ବର ୬ ତାରିଖରେ ଲେଫ୍ଟନେଣ୍ଟ ପୋଷ୍ଟରେ ପୋଷ୍ଟିଂ ହୋଇଥିଲା । ତେବେ ଦୁଇବର୍ଷ ମଧ୍ୟରେ ହିଁ ସେ କ୍ୟାପଟେନ୍ ହୋଇଯାଇଥିଲେ । ଆଉ ସେହି ସମୟରେ କାରଗିଲ୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ବିକ୍ରମ ସହିଦ ହୋଇଗଲେ ସତ କିନ୍ତୁ ଯେତେ ପର୍ୟ୍ୟନ୍ତ ବଞ୍ଚିଥିଲେ ନିଜ ସାଥୀ ଅଫିସରଙ୍କ ଜୀବନ ବଞ୍ଚାଇଥିଲେ । ଯେଉଁଥିପାଇଁ ଆଜି ସାରା ଦେଶ ତାଙ୍କୁ ମନେ ରଖିଛି ଆଉ ସେ ଦେଶ ପାଇଁ ଅମର ହୋଇ ରହିଛନ୍ତି ।