ନୀରବିଗଲେ “ଅର୍ଦ୍ଧଶତ୍ୟ’ର ନାୟକ ! ବଲିଉଡ ଜଗତରେ ଶୋକର ଛାୟା

36

ଫିଲ୍ମରେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟକୁ ଜୟ କରିଛନ୍ତି ବର୍ଷୀୟାନ ଅଭିନେତା ଓମ୍ ପୁରୀ । ତାଙ୍କ ଗୁରୁ ଗମ୍ଭୀର କଂଠସ୍ୱର ତାଙ୍କୁ ବିଶ୍ୱ ଦରବାରରେ ବିଶେଷ ପରିଚିତ କରାଇ ପାରିଛି । ୧୯୭୬ରେ ଅଭିନୟ ଜଗତରେ ପାଦ ଦେଇଥିବା ଏହି ବର୍ଷୀୟାନ କଳାକାର ବେଶ ସଫଳତା ସାଉଁଟିଛନ୍ତି । ନିଜର ସଫଳ ଅଭିନୟ ପାଇଁ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

୧୮ ଆକ୍ଟୋବର ୧୯୫୦ରେ ହରିୟାଣାର ଅମ୍ବାଲାରେ ଜନ୍ମ ଗ୍ରହଣ କରିଥିଲେ ବଲିଉଡର ବିଶିଷ୍ଟ ଅଭିନେତା ଓମ୍ ପୁରୀ । ଏକ ପଂଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ବର୍ଷୀୟାନ ଅଭିନେତା ନିଜର ଅଭିନୟ କ୍ୟାରିୟର ଭିତରେ ବହୁ ସଫଳତା ସାଉଁଟିଛନ୍ତି । କେବଳ ବଲିଉଡ ନୁହେଁ ପାକିସ୍ତାନ, ବ୍ରିଟିସ୍ ସହ ହଲିଉଡରେ ମଧ୍ୟ ନିଜର ପରଦର୍ଶିତା ଦେଖାଇଛନ୍ତି ଓମ୍ ପୁରୀ ।

ଶ୍ରେଷ୍ଠ ଅଭିନେତା ଭାବେ ୧୯୮୨, ୧୯୮୪ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ ଓମପୁରୀ । ୧୯୮୨ରେ “ଆରୋହଣ’ ପାଇଁ ସମ୍ମାନ ପାଇଥିବା ବେଳେ ୧୯୮୪ରେ “ଅର୍ଦ୍ଧଶତ୍ୟ’ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଜିଣିଥିଲେ ।୧୯୯୦ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଓମ୍ ପୁରୀ । ୨୦୦୯ରେ ଏହି ବିଶିଷ୍ଟ ଅଭିନେତାଙ୍କୁ ମିଳିଥିଲା ଲାଇଫ ଟାଇମ୍ ଆଚିଭମେଂଟ୍ ଆୱାର୍ଡ । ୨୦୧୫ରେ ମଧ୍ୟ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରୟାଗ ପକ୍ଷରୁ ଆୟୋଜିତ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଲାଇଫ ଟାଇମ୍ ଆଚିଭମେଂଟ୍  ଆୱାର୍ଡ ମିଳିଥିଲା ।

ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ସ୍ନାତକ ପାସ୍ କରିଛନ୍ତି ଓମ୍ ପୁରୀ । ୧୯୭୩ରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ନାସିରୁଦ୍ଧିନ ଶାହାଙ୍କ ସହ ଅଧ୍ୟୟନ କରିଛନ୍ତି । ୧୯୯୩ରେ ନନ୍ଦିତା ପୁରୀଙ୍କୁ ବିବାହ କରିଥିଲେ ଓମ୍ ପୁରୀ । ୨୦୧୩ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଓମ୍ ପୁରୀଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । ଯାହାଙ୍କର ନାମ ଇସାନ୍ ।

୧୯୭୬ରୁ ଏକ ମରାଠୀ ଫିଲ୍ମ ‘ଘସିରାମ୍ କୋତ୍ୱାଲ’ ଜରିଆରେ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ ଓମ୍ ପୁରୀ । ଯାହାର ନିର୍ଦ୍ଦେଶନା ଭାର ତୁଲେଇ ଥିଲେ କେ. ହରିହରନ ଏବଂ ମନି କାଉଲ୍ । ତାଙ୍କ ଅଭିନିତ ବଲିଉଡର ଶେଷ ହିଟ୍ ଫିଲ୍ମ ହେଉଛି ୨୦୧୬ରେ ରିଲିଜ ହୋଇଥିବା ‘ଘାୟଲ ୱାନ୍ସ ଏଗେନ୍’

ଏବେ ବି ଓମ୍ ପୁରୀଙ୍କ ଅଭିନିତ କେତକ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି । ସଲମାନ ଖାନଙ୍କ ଅପକମିଂ ଫିଲ୍ମ “ଟ୍ୟୁବ୍ ଲାଇଟ’ରେ ମଧ୍ୟ ନଜର ଆସିରେ ଓମ୍ ପୁରୀ । ତାଙ୍କ ଅଭିନିତ ଫିଲ୍ମ ‘ରମ୍ଭାଜାନ୍ ଜିନ୍ଦାବାଦ୍’ ଓ ଇଂରାଜୀ ଫିଲ୍ମ “ଭାଇସ୍ ରୟସ୍ ହାଉସ୍’ ଆଗକୁ ରିଲିଜ ହେବ ।

ତାଙ୍କ ଅଭିନୟ ଯେତିକି ଚିତାକର୍ଷକ କଂଠସ୍ୱର ବି ଖୁବ୍ ଦମଦାର । ଜଙ୍ଗଲ ବୁକରେ ସେ ଶେଷ ଧର ପାଇଁ କଂଠଦାନ କରିଛନ୍ତି । ବଲିଓଡର ବିଭିନ୍ନ ଫିଲ୍ମରେ ଅଭିନୟ କରିଥିବା ଏହି ବର୍ଷୀୟାନ କଳାକାର ବହୁ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଇଂଲଣ୍ଡ ଓ ଆମେରିକାରେ ବହୁ ଫିଲ୍ମ ତାଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଛି ।

ଏହି ଭେଟେରାନ୍ ମହାନ କଳାକାରଙ୍କର ନିଧନରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।