ଆଇଏଏସ୍ ପାଇଁ ଦିଲ୍ଲୀ ଚଲୋ

39

ଓଡିଶାରେ ଆଉ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତିର ମାହୋଲ ନାହିଁ । ନିଜ ଚମକ ହରାଇ ସାରିଛି ବାଣୀବିହାର, ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟ । କ୍ରମାଗତ ଭାବେ ସିଭିଲ ସର୍ଭିସ ପରୀକ୍ଷାରେ ଓଡିଆ ପିଲା ସଫଳ ହେଉଛନ୍ତି, ହେଲେ ସେମାନଙ୍କ ପ୍ରସ୍ତୁତି ଦିଲ୍ଲୀରେ । ଫଳାଫଳ ଦେଖିଲେ ଏହା ସ୍ପଷ୍ଟ ହୋଇଯାଇଛି । ପରିସ୍ଥିତିକୁ ଦେଖି ଉଦବେଗ ପ୍ରକାଶ କରିଛନ୍ତି ଶିକ୍ଷାବିଦ୍ ।

ଗତ କିଛି ବର୍ଷ ହେଲା ଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଉଥିବା ଓଡିଆଙ୍କ ଭିତରୁ ଅଧିକାଂଶ ଦିଲ୍ଲୀରେ ରହି ପ୍ରସ୍ତୁତି ଚଳାଥିଲେ । ସେ କଂଟାବାଂଝୀର ଝିଅ ସାରିକା ଜୈନ ହୁଅନ୍ତୁ ଅବା ଚଳିତ ବର୍ଷ ଓଡିଶା ଟପ୍ପର ଦିବ୍ୟଜ୍ୟୋତି ପରିଡା । ଓଡିଶା ବଦଳରେ ଦିଲ୍ଲୀରେ ରହି ଏମାନେ ଚଲାଇଥିଲେ ପ୍ରସ୍ତୁତି । ଏମିତି ନାଁ ଯୋଡିଲେ ତାଲିକା ଖୁବ ଲମ୍ବିବ । ଦିଲ୍ଲୀରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେବାର ମାହୋଲ ରହିବା ସହ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଅଧିକ । ତେଣୁ ଅଧିକାଂଶ ପିଲା ସେଠାରେ ରହିବାକୁ ପସନ୍ଦ କରୁଛନ୍ତି ।

ଏକଦା ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ନିଜର ଚମକ ଦେଖାଇଥିଲେ ଓଡିଆ ଛାତ୍ର ଛାତ୍ରୀ । ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ଭଳି ଶିକ୍ଷାନୁଷ୍ଠାନରେ ପାଠପଢି ଏହି ସମ୍ମାନ ବି ହାସଲ କରୁଥିଲେ । କିନ୍ତୁ ବର୍ତମାନ ଏସବୁ ସ୍ଥାନରେ ଶୈକ୍ଷିକ ମାହୋଲ ବିଗିଡି ଯାଇଛି । ଶିକ୍ଷା ସ୍ଥାନରେ ଶସ୍ତା ରାଜନୀତି ରାଜୁତି କରୁଛି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷାବିଦ୍ । ଅନ୍ୟପଟେ ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କର ପାଠ୍ୟଖସଡାରେ ପରିବର୍ତନ ଆବଶ୍ୟକ ଥିବା ମତ ଦେଇଛନ୍ତି ଅତୀତରେ ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ଶ୍ରୁତି ମହାପାତ୍ର ।

ରାଜ୍ୟ ରାଜଧାନୀରେ ପିଲାଙ୍କ ପାଇଁ ସିଭିଲ ସର୍ଭିସ ପ୍ରସ୍ତୁତିର ମାହୋଲ ନାହିଁ । ଏଥିପାଇଁ ଦିଲ୍ଲୀକୁ ବାଛି ନେଉଛନ୍ତି ଛାତ୍ରଛାତ୍ରୀ । ଆଉ ସମୟ ଆସିଛି ରାଜ୍ୟର ବ୍ୟବସ୍ଥା ଆଉ ଢାଂଚାକୁ ସୁଧାରିବାର ।