ଏପ୍ରିଲ ପହିଲାରୁ ମହଙ୍ଗା ହେବ ବିଦେଶୀ ବ୍ରାଂଡର ସାମଗ୍ରୀ ! ଲାଗୁ ହେବ ଆମଦାନୀ ଟିକସ

34

କନକ ବ୍ୟୁରୋ : ବ୍ରାଣ୍ଡ ବିଦେଶୀ କିନ୍ତୁ ଦାମ୍ ବେଶୀ । ଏପ୍ରିଲ ୧ରୁ ବିଦେଶୀ ମୋବାଇଲ୍, ଲାପଟପ୍, ମଟର ସାଇକେଲ ଓ କାର୍ ମହଙ୍ଗା ହେବ । ତେବେ ଭାରତରେ ତିଆରି ହେଉଥିବା ବିଦେଶୀ କମ୍ପାନୀ ସାମଗ୍ରୀର ଦାମ ବଢ଼ିବ ନାହିଁ । ଗୁରୁବାର କେନ୍ଦ୍ର ବଜେଟରେ ଅଧିକାଂଶ ବିଦେଶୀ ସାମଗ୍ରୀ ଉପରେ ସୀମା ଶୁଳ୍କକୁ ୫ ପ୍ରତିଶତ ବଢ଼ାଇ ଦେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଏପ୍ରିଲ ୧ରୁ ବିଦେଶୀ ମୋବାଇଲ୍, ଲାପଟପ୍ ମହଙ୍ଗା ହେବ । ବିଦେଶୀ ମଟର ସାଇକେଲ, କାର୍ ମହଙ୍ଗା ହେବ । ବିଦେଶୀ ପର୍ଫ୍ୟୁମ୍, ସିଲ୍ ଫାବ୍ରିକ୍ ମହଙ୍ଗା ହେବ । ତେବେ ଭାରତରେ ତିଆରି ହେଉଥିବା ବିଦେଶୀ କମ୍ପାନୀ ତିଆରି ସାମଗ୍ରୀର ଦାମ ବଢ଼ିବ ନାହିଁ । ଗୁରୁବାର କେନ୍ଦ୍ର ବଜେଟ୍ରେ ଅଧିକାଂଶ ବିଦେଶୀ ସାମଗ୍ରୀ ଉପରେ ସୀମା ଶୁଳ୍କକୁ ୫ ପ୍ରତିଶତ ବଢ଼ାଇ ଦେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ।

ବିଦେଶରୁ ଅର୍ଥାତ୍ ଚୀନରୁ ଆସୁଥିବା ଓପୋ ଫୋନ୍, ଯାହାର ଦାମ ପ୍ରାୟ ୨୨ ହଜାର ଟଙ୍କା ଥିଲା ତାହା ଏପ୍ରିଲ ୧ରୁ ଆଉ ୧୧ ଶହ ଟଙ୍କା ବଢ଼ିଯିବ । ସେହିଭଳି ଚୀନରୁ ଆସୁଥିବା ଭିଭୋ ଫୋନ୍, ଯେଉଁ ସେଟର ମୂଲ୍ୟ ୧୬ ହଜାର ଟଙ୍କା ଥିଲା ତାହା ଆଉ ୮୦୦ ଟଙ୍କା ବଢ଼ିଯିବ । ଆମେରିକାରୁ ଆସୁଥିବା ଡେଲ୍ କମ୍ପାନୀର ଲାପଟପ୍ ଯାହାର ଦାମ ୨୪ ହଜାର ଟଙ୍କା ଅଛି, ତାହା ଆଉ ୧୨ ଶହ ଟଙ୍କା ବଢ଼ିଯିବ । ଆମେରିକାର ବ୍ରାଣ୍ଡେଡ୍ କମ୍ପାନୀ ଫସିଲ୍ ରିଷ୍ଟ ୱାଚ୍ ଯାହାର ଦାମ ୧୨ ହଜାର ଥିଲା ତାର ଦାମ ଆଉ ୬ ଶହ ଟଙ୍କା ବଢ଼ିଯିବ । ସେହିଭଳି ବିଦେଶରୁ ଆସୁଥିବା ସିଲ୍କ ସାର୍ଟ ଯାହାର ଦାମ ୩ ହଜାର ଟଙ୍କା ଥିଲା ତାହା ଆଉ ଦେଢ଼ ଶହ ଟଙ୍କା ବଢ଼ିଯିବ । ଯୁବକମାନଙ୍କ ସୌଖୀନ ବାଇକ୍- ଆମେରିକାର ହାର୍ଲି ଡାଭିଡ୍ସନ୍ ବାଇକ୍ ଯାହାର ଦାମ ୫ ଲକ୍ଷ ଟଙ୍କା ରହିଛି, ତାହା ଆଉ ୨୫ ହଜାର ଟଙ୍କା ବଢ଼ିଯିବ । ଜର୍ମାନର ସୌଖୀନ କାର ଅଡି ଯାହାର ଏଂଟ୍ରି ସେଗମେଂଟ କାରର ଦାମ ୩୨ ଲକ୍ଷ ଟଙ୍କା ରହିଛି, ତାହା ଆଉ ଦେଢ଼ ଲକ୍ଷ ଟଙ୍କା ବଢ଼ିଯିବ ।

ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଏହାପରେ ଆପଣଙ୍କୁ ବିଦେଶୀ ସାମଗ୍ରୀ କିଣିଲା ବେଳକୁ କିଛି ଅଧିକ ଖର୍ଚ୍ଚ କରିିବାକୁ ପଡ଼ିବ । କାରଣ ବଜେଟ ଅନେକ ବିଦେଶୀ ସାମଗ୍ରୀ ଉପରେ ସୀମା ଶୁଳ୍କ ବା କଷ୍ଟମ୍ସ ଡ୍ୟୁଟିକୁ ୧୫ରୁ ୨୦ ପ୍ରତିଶତକୁ ବୃଦ୍ଧି କରିଦିଆଯାଇଛି । ଯେଉଁ କମ୍ପାନୀମାନେ ବାହାରୁ ଯନ୍ତ୍ରାଂଶ ଆଣି ଭାରତରେ କେବଳ ଆସେମ୍ବଲ କରୁଛନ୍ତି ସେମାନଙ୍କ ମୂଲ୍ୟ ବଢ଼ିଯିବ । ତେବେ ଯେଉଁ ବିଦେଶୀ କମ୍ପାନୀମାନେ ଭାରତରେ ତାଙ୍କାର ପ୍ଲାଂଟ ବସାଇ ଉତ୍ପାଦନ କରୁଛନ୍ତି ସେମାନଙ୍କ ଉପରେ ଏହି ବର୍ଦ୍ଧିିତ ଶୁଳ୍କ ଲାଗିବ ନାହିଁ ।

ଭାରତରେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ବିଦେଶରୁ ଆମଦାନୀ ହେଉଥିବା ଯନ୍ତ୍ରାଂଶ ଉପରେ ପୂର୍ବଅପେକ୍ଷା ଅଧିକ ୫ ପ୍ରତିଶତ ଟିକସ ପଡିବ । ତା’ ଉପରେ ୧୦ ଅଧିକ ପ୍ରତିଶତ ସେସ୍ ବା ଉପକର ବି ଲାଗିବ । ବିଦେଶୀ ସାମଗ୍ରୀର ମୋହକୁ ଏହା କେତେମାତ୍ରାରେ ଦୂର କରିବ ତାହା ବଡ଼ କଥା ନୁହେଁ, ମାତ୍ର କେତେ ବିଦେଶୀ କମ୍ପାନୀ ଏହାଦ୍ୱାରା ଭାରତର ବିଭିନ୍ନ ରାଜ୍ୟରେ ତାଙ୍କର କାରଖାନା ବସାଇବେ ଓ ଲୋକଙ୍କୁ ନିଯୁକ୍ତି ଦେବେ ତା ଉପରେ ସମସ୍ତଙ୍କ ନଜର ରହିବ ।