କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ୫୦ କୋଟି ଲୋକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବଜେଟରେ ଘୋଷଣା କରିଛନ୍ତି ସରକାର । ୧୦ କୋଟି ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ସରକାରୀ ସ୍ୱାସ୍ଥ୍ୟ ବୀମା । ତେବେ ଏହା କିପରି କାର୍ଯ୍ୟକାରୀ ହେବ, କିପରି ହିତାଧିକାରୀ ଚୟନ ହେବ, କେବେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ, ସେ ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ବିରୋଧୀ ଏହାକୁ ପ୍ରତିଶ୍ରୁତିର ଧୂଆଁବାଣ ବୋଲି କହୁଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗସିପ୍ ପ୍ରୋଗ୍ରାମ “ମୋଦି-କେୟାର”, ଅଗଷ୍ଟ ୧୫ ସ୍ୱାଧୀନତା ଦିବସ କିମ୍ବା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଦିନରୁ କାର୍ଯ୍ୟକାରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୪ ନିର୍ବାଚନ ପୂର୍ବରୁ ୟୁପିଏର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ଆଉ ଏବେ ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା । ଖାଦ୍ୟ ସୁରକ୍ଷାରେ ପାଖାପାଖି ୮୦ କୋଟି ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଟାର୍ଗେଟ କରାଯାଇଥିବା ବେଳେ ଜେଟଲୀଙ୍କ ବଜେଟରେ ପ୍ରାୟ ୫୦ କୋଟି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ରଖାଯାଇଛି ।
ବଜେଟରେ ଘୋଷଣା ପରେ ସାଧାରଣରେ ଏହାକୁ ନେଇ ଉକ୍ରଣ୍ଠା ପ୍ରକାଶ ପାଇଛି । ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି :
ଏହି ମେଗା ଯୋଜନା ପାଇଁ କେତେ ପ୍ରସ୍ତୁତ ସରକାର?
କ’ଣ ରହିବ ହିତାଧିକାରୀ ଚୟନର ମାନଦଣ୍ଡ?
କେବେ ସୁଦ୍ଧା ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା?
ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୦ କୋଟି ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ପ୍ରସ୍ତାବ ରହିଛି । ଜଟିଳ ରୋଗର ଚିକିତ୍ସା ପାଇଁ ପ୍ରତି ପରିବାର, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ପାଇବେ ଚିକିତ୍ସା ସୁବିଧା । ଏହି ଯୋଜନା ଯେତିକି ଆକର୍ଷଣୀୟ, ଏହାର କାର୍ଯ୍ୟକାରିତା ନେଇ ରହିଛି ସେତିକି ଦ୍ୱନ୍ଦ୍ୱ । ଆକଳନ କରାଯାଉଛି, ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍୍ୟ ବୀମା ପାଇଁ ସରକାରଙ୍କୁ ବାର୍ଷିକ ପ୍ରିମିୟମ ବାବଦରେ ୧୧,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ଅର୍ଥାତ୍ ପ୍ରତି ପରିବାର ପାଇଁ ୧୧,୦୦ ଟଙ୍କାର ପ୍ରିମିୟମ । ତେବେ ଚଳିତ ବର୍ଷ ପାଇଁ କେନ୍ଦ୍ର ସରକାର ଆବଂଟନ କରିଛନ୍ତି ମାତ୍ର ୨୦୦୦ କୋଟି ଟଙ୍କା । ଏହାକୁ ବିଚାରକୁ ନେଲେ କେନ୍ଦ୍ର ସରକାରଙ୍କୁ ଯୋଜନା କାର୍ଯ୍ୟକାରୀ ପାଇଁ ଅଧିକ ଟଙ୍କା ବ୍ୟୟବରାଦ କରିବାକୁ ପଡିବ । ସେପଟେ ହିତାଧିକାରୀ ଚୟନ ନେଇ କିଭଳି ମାନଦଣ୍ଡ ସ୍ଥିର ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଓବାମାକେୟାର ଢାଂଚାରେ ଜେଟଲୀଙ୍କ ବହୁ ଚର୍ଚ୍ଚିତ୍ ମୋଦି କେୟାର ଯୋଜନା କାର୍ଯ୍ୟକାରୀ ହେଲେ, ଏହା ହେବ ବିଶ୍ୱର ସବୁଠୁ ବଡ଼ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ତେବେ ଦେଶର ମୋଟ ଘରୋଇ ଉତ୍ପାଦର ମାତ୍ର ୧ ପ୍ରତିଶତ ସ୍ୱାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ କରନ୍ତି ସରକାର । ଯାହା ବିକଶିତ ରାଷ୍ଟ୍ରଗୁଡିକ ତୁଳନାରେ ନଗଣ୍ୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆକଳନ ଅନୁସାରେ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚ ପାଇଁ ପ୍ରତି ବର୍ଷ ଗରିବ ହୋଇଯାଆନ୍ତି ଦେଶର ପାଖାପାଖି ୭ ପ୍ରତିଶତ ଲୋକ ।