ଆଜି ରାଜ୍ୟସଭାରେ ପୁଣି ଆସିବ ତିନି ତଲାକ୍ ବିଲ୍ । ପାସ୍ କରିବା ପାଇଁ ସରକାରଙ୍କ ଉଦ୍ୟମ, ସିଲେକ୍ଟ କମିଟିକୁ ପଠାଇବା ଜିଦରେ ବିରୋଧୀ ଅଟଳ

ଲୋକସଭାରେ ପାରିତ ହୋଇସାରିଛି ବିଧେୟକ

74

କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ପୁଣି ତିନ ତଲାକ ବିଲ୍ ଉପସ୍ଥାପନ କରିପାରନ୍ତି ମୋଦି ସରକାର । ସୋମବାର ରାଜ୍ୟସଭାରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା ବିଲକୁ ଗୃହୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ବିଫଳ ହୋଇଥିଲା । ଏହି ବିଲ୍ ଆଗତ ହେବା କ୍ଷଣି କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡିକ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ।

ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଲଟି ଗୃହୀତ ହେବା ତ ଦୂରର କଥା , ଏହା ଉପରେ ଆଲୋଚନା ମଧ୍ୟ ହୋଇପାରିନଥିଲା । ମୁସଲିମ ମହିଳାଙ୍କ ପାଇଁ ବିଲଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥିବାରୁ ବିଲ ଉପରେ ଅଧିକ ଆଲୋଚନା ସହ ଏହାକୁ ଯୁଗ୍ମ ଚୟନ କମିଟିକୁ ପଠାଇବାକୁ ଅଡି ବସିଛନ୍ତି ବିରୋଧୀ । ତେବେ ଜାଣି ଶୁଣି ବିରୋଧୀ ଏହି ବିଲକୁ ଗୃହୀତ କରାଇ ଦେଉନଥିବା ଅଭିଯୋଗ ଆଣିଛି ବିଜେପି । ଗତସପ୍ତାହରେ ଲୋକସଭାରେ ଏହି ବିଧେୟକ ପାରିତ ହୋଇଥିଲା ।