ଦର୍ଶକଙ୍କୁ ଭୁଲ ତଥ୍ୟ ଦେଉଛି TATA Sky । ଅଭିଯୋଗ ପରେ ଟ୍ରାଇ ମାଗିଲା ରିପୋର୍ଟ

377

TATA Sky ଡିଟିଏଚ୍ ଗ୍ରାହକଙ୍କ ପାଇଁ ସବୁଠୁ ଜରୁରୀ ସୂଚନା । TATA Sky ନିଜ ଗ୍ରାହକ ମାନଙ୍କୁ ବ୍ରିଭାନ୍ତି କରିୁଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଆଉ ଗ୍ରାହକଙ୍କ ପାଖରୁ ଏଭଳି ଅଭିଯୋଗ ମିଳିବା ପରେ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ(ଟ୍ରାଇ) TATA Sky ଚ୍ୟାନେଲକୁ ଷ୍ଟାଟସ ରିପୋର୍ଟ ମାଗିଛି । ଦର୍ଶକଙ୍କୁ ଟ୍ରାଇର ନୂଆ ନିୟମ ବାବଦରେ କିଭଳି ସୂଚନା ଦେଉଛି କମ୍ପାନି ସେନେଇ ରିପୋର୍ଟ ମଗାଯାଇଛି ।  ଟ୍ରାଇ ନୂଆ ନିୟାମକ ବ୍ୟବସ୍ଥା ଅନୁଯାୟୀ, ଗ୍ରାହକଙ୍କୁ ନିଜର ପସନ୍ଦର ଚ୍ୟାନେଲ ବାଛିବାର ଅଧିକାର ଦେଇଛି । ଏଥିପାଇଁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସମୟ ଦେଇଛି ଟ୍ରାଇ । ନୂଆ ନିୟମ ଅନୁଯାୟୀ, ଦର୍ଶକ କେବଳ ନିଜ ପସନ୍ଦର ଚ୍ୟାନେଲ ପାଇଁ ପଇସା ଦେବେ । ଦେଖିବାକୁ ଚାହୁଁନଥିବା ଚ୍ୟାନେଲ ଗୁଡିକ ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଭିଯୋଗ ଆସିବା ପରେ ଟ୍ରାଇ TATA Skyକୁ ଚିଠି ଲେଖିଛି । ଯେଉଁଥିରେ କୁହାଯାଇଛି, ଟ୍ରାଇର ନୂଆ ନିୟମ ଅନୁଯାୟୀ ଗ୍ରାହକଙ୍କୁ ନିଜର ପସନ୍ଦର ଚ୍ୟାନେଲ ଚୟନ କରିବାର ବିକଳ୍ପ କମ୍ପାନି ଦେଉନାହିଁ । ଏପରିକି ଗ୍ରାହକଙ୍କୁ କମ୍ପାନିର ଗ୍ରାହକ ସେବା କେନ୍ଦ୍ର ବା କଷ୍ଟମର କେୟାର ମଧ୍ୟ ବିଭ୍ରାନ୍ତି କରୁଛନ୍ତି । ଟ୍ରାଇର ନୂଆ ନିୟମର ସମୟସୀମାକୁ ବଢାଇ ଦିଆଯାଇଛି କଷ୍ଟମର କେୟାର ପକ୍ଷରୁ କୁହାଯାଉଛ। ତେବେ ଟ୍ରାଇ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି । ଟ୍ରାଇ  ମୁତାବିକ, ଗ୍ରାହକଙ୍କୁ ନିଜ ପସନ୍ଦର ଟିଭି ଚ୍ୟାନେଲ ବାଛିବା ପାଇଁ ୩୧ ଜାନୁଆରୀ ଯାଏଁ ସମୟସୀମା ଦିଆଯାଇଛି ।

କଣ ଏହି ନୂଆ ନିୟମ :

ଟ୍ରାଇର ନୂଆ ନିୟମ ଅନୁଯାୟୀ, ଦର୍ଶକ ନିଜ ଡିଟିଏଚ୍ ଅପରେଟରଙ୍କୁ ସେତିକି ଚ୍ୟାନେଲ ପାଇଁ ଟଙ୍କା ଦେବେ ଯାହାକୁ ସେମାନେ ଦେଖିବାକୁ ଚାହୁଁଥିବେ । ପୂର୍ବରୁ ଦର୍ଶକଙ୍କୁ ୨୫୦ରୁ ୩୦୦ ଟଙ୍କାର ମାସିକ ପ୍ଲାନ ରିଚାର୍ଜ କରିବାକୁ ପଡୁଥିଲା । ଏହି ମାସିକ ପ୍ଲାନରେ ଦର୍ଶକଙ୍କ ପସନ୍ଦର ଚ୍ୟାନେଲ ତ ରହୁଥିଲା କିନ୍ତୁ ଏହାବାଦ ମଧ୍ୟ ଏମିତି କିଛି ଚ୍ୟାନେଲ ରହୁଥିଲା ଯାହାକୁ ଦର୍ଶକ କେବେ ଦେଖନ୍ତି ନାହିଁ । ଏପରିକି ନିଜ ପସନ୍ଦର ଚ୍ୟାନେଲ ଦେଖିବା ପାଇଁ ଦର୍ଶକଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡୁଥିଲା । ତେଣୁ ଟ୍ରାଇର ନୂଆ ନିୟମ ଆସିବା ପରେ ଡିଟିଏଚ୍ ଅପରେଟର ମାନେ ଦର୍ଶକଙ୍କୁ ଆଉ ମନଇଚ୍ଛା ଚ୍ୟାନେଲର ପ୍ଲାନ ଦେଇପାରିବେ ନାହିଁ । ପ୍ରତ୍ୟେକ ଚ୍ୟାନେଲ ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ଟିଭି ସ୍କ୍ରିନ ଉପରେ ଦେଖିପାରିବେ ଦର୍ଶକ । ତେଣୁ ଡିଟିଏଚ ଅପରେଟର ମଧ୍ୟ କୌଣସି ପ୍ରକାର ଦର୍ଶକଙ୍କୁ ଠକି ପାରିବେ ନାହିଁ ।

ଟ୍ରାଇର ନୂଆ ବ୍ୟବସ୍ଥା ଅନୁଯାୟୀ, ଗ୍ରାହକଙ୍କୁ ସର୍ବନିମ୍ନ ୧୩୦ ଟଙ୍କାର ବେସିକ ପ୍ଲାନ ପକାଇବାକୁ ପଡିବ । ଏହାବାଦ୍ ଜିଏସଟି ବାବଦକୁ ଅଲଗା ଅର୍ଥ ଦେବାକୁ ପଡିବ । ଏଥିରେ ଦର୍ଶକ ୧୦୦ଟି ଚ୍ୟାନେଲର ମଜା ନେଇପାରିବେ । ଆଉ ଏହି ୧୦୦ଟି ଚ୍ୟାନେଲ ମଧ୍ୟରୁ ପ୍ରସାର ଭାରତୀର ୨୪ଟି ଚ୍ୟାନେଲ ରଖିବା ଡିଟିଏଚ୍ ଅପରେଟରଙ୍କ ଅନିବାଯ୍ୟ । ଯଦି କୌଣସି ଦର୍ଶକ ଏହି ୧୦୦ଟି ଚ୍ୟାନେଲ ବ୍ୟତୀତ ଅଧିକ ଚ୍ୟାନେଲ ଦେଖିବାକୁ ଚାହୁଁଥିବେ ତେବେ ଉକ୍ତ ଚ୍ୟାନେଲ ବାବଦକୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ।

ପୂର୍ବରୁ ଟ୍ରାଇର ଏହି ନୂଆ ନିୟମର ଡେଡଲାଇନ ଡିସେମ୍ବର ୨୯ ରଖାଯାଇଥିଲା । ତେବେ ବିଭିନ୍ନ ପ୍ରସାରକ ଓ ଡିଟିଏଚ ଅପରେଟରଙ୍କ ଅନୁରୋଧ ପରେ ଟ୍ରାଇ ଚ୍ୟାନେଲ ଚୟନ କରିବାର ସମୟସୀମାକୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।